• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନର ଡାଟା ଲିକ୍ ପଛରେ ୨୧ ବର୍ଷୀୟ ଯୁବକ । ଡାଟା ଲିକ୍ କରିବା ଅଭିଯୋଗରେ ଏଫ୍ ବିଆଇ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । କିଏ ଏହି ଯୁବକ ଯିଏ ଆମେରିକା ଭଳି ଦେଶର ପ୍ରତିରକ୍ଷା ବିଭାଗର ଡାଟା ଲିକ୍ (Pentagon files leak)  କରିଛନ୍ତି ।

ଏହି ଯୁବକଙ୍କ ନାଁ- ଜ୍ୟାକ୍ ଟିକ୍ସେରା... ଓରଫ୍ ଜ୍ୟାକ୍ ଦ ଡ୍ରିପର୍... ବୟସ ମାତ୍ର ୨୧ । ୨୧ ବର୍ଷୀୟ ଯୁବକର କାରନାମା କେବଳ ଆମେରିକାକୁ ଚିନ୍ତାରେ ପକାଇନି, ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ପେଣ୍ଟାଗନ୍ ଡାଟା ଲିକ୍ ପଛରେ ଏଇ ୨୧ ବର୍ଷୀୟ ଯୁବକ ଜ୍ୟାକ୍ ଡଗଲସ୍ ଟିକ୍ସେରା ଥିବା ଜାଣିବା ପରେ, ତାକୁ ଗିରଫ କରିଛି FBI ।

FBI ପକ୍ଷରୁ ବିବୃତି ଜାରି କରାଯାଇଛି ଯେ, ମେସାଚୁସେଟ୍ସ ଉତ୍ତର ଡିଟନ ଅଞ୍ଚଳରୁ ଜ୍ୟାକଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଅଭିଯୋଗ ରହିଛି, ସେ ଆମେରିକା ସରକାର ଏବଂ ସେନାର ଗୁପ୍ତ ଦସ୍ତାବିଜ ଲିକ୍ କରିଛନ୍ତି । ଦେଶର ସୁରକ୍ଷାକୁ ବିପଦରେ ପହଞ୍ଚାଇଥିବା ନେଇ ମଧ୍ୟ ଜ୍ୟାକଙ୍କ ବିରୋଧରେ ଅଭିଯୋଗ ହୋଇଛି।...

ତେବେ କିଏ ଏହି ଜ୍ୟାକ୍ ଟିକ୍ସେରା (Jack Teixeira) ? ଜ୍ୟାକ୍ ୟୁଏସ୍ ଏୟାରଫୋର୍ସ ନାସନାଲ୍ ଗାର୍ଡର ଜଣେ କର୍ମଚାରୀ ହୋଇଥିବା ବେଳେ, ମେସାଚୁସେଟ୍ସ ସ୍ଥିତ ଓଟିସ୍ ଏୟାର ନ୍ୟାସନାଲ୍ ଗାର୍ଡ ବେସରେ ମୁତୟନ ଥିଲେ । ଜ୍ୟାକ୍ ଆମେରିକା ସେନାରେ ସାଇବର ଟ୍ରାନ୍ସପୋର୍ଟ ସିଷ୍ଟମ ସ୍ପେସାଲିଷ୍ଟ ପଦରେ ଥିଲେ। ସେ ନ୍ୟାସନାଲ୍ ଗାର୍ଡ ବେସ୍ ରେ ସୈନ୍ୟ ମିଲିଟ୍ରି ନେଟୱର୍କର ମେଣ୍ଟେନାନ୍ସ ଦାୟିତ୍ବରେ ମଧ୍ୟ ଥିଲେ । ଖାଲି ସେତିକି ନୁହେଁ, ତାଙ୍କ ପରିବାରରୁ ଅନେକ ସଦସ୍ୟ ସେନାରେ ସେବା ଯୋଗାଉଛନ୍ତି ଏବଂ ପୂର୍ବରୁ ବି ସେବା ଯୋଗାଇ ସାରିଛନ୍ତି।

ତେବେ କୁହାଯାଉଛି ଜ୍ୟାକ୍ ଏକ ଅନଲାଇନ୍ ଗେମର୍ସ ଗ୍ରୁପ୍ ର ସଦସ୍ୟ ଥିଲେ। ବନ୍ଧୁକ ଗଳିଗୋଳା କୁ ଭଲ ପାଉଥିବା ଏବଂ ଭଗବାନଙ୍କ ଉପରେ ବିଶ୍ୱାସ ରଖୁଥିବା ଲୋକଙ୍କୁ ନେଇ ଏହି ଗ୍ରୁପ୍ ଗଠିତ ହୋଇଥିଲା । ୨୪ ସଦସ୍ୟ ଥିବା ସେହି ଗ୍ରୁପ୍ ରେ ରୁଷ୍ ଏବଂ ୟୁକ୍ରେନର କିଛି ଯୁବକ ମଧ୍ୟ ଥିଲେ । ସେହି ଗ୍ରୁପ୍ ରେ ହିଁ ଜ୍ୟାକ୍ ପ୍ରଥମେ ସେନାର ଗୁପ୍ତ ଦସ୍ତାବିଜ୍ ଲିକ୍ କରିଥିବା ଚର୍ଚ୍ଚା ହେଉଛି । ପରେ ସେଠାରୁ ସେହି ଦସ୍ତାବିଜ୍ ସବୁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଲିକ୍ ହୋଇଛି ।

ଜ୍ୟାକ୍ ନିଜର ହ୍ୟାକିଂ ଓ ତଥ୍ୟ ଲିକ୍ କରିବା ଦକ୍ଷତା ପାଇଁ ଜ୍ୟାକ୍ ଦ ଡ୍ରିପର୍ ନାଁରେ ସେହି ଗ୍ରୁପରେ ପରିଚିତ ଥିଲେ । ଏହା ମଧ୍ୟ କୁହାଯାଉଛି ଡିସ୍କୋର୍ଡ ନାମକ ଏକ ସୋସିଆଲ୍ ମିଡିଆ ସାଇଟ୍ ରେ ପ୍ରଥମେ ଏହି ଦସ୍ତାବିଜ୍ ଆସିଥିଲା। ତେବେ ସେଠାକୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟସ ସବୁ କେମିତି ଗଲା ତାହା ଜଣାପଡ଼ିନାହିଁ।...

ଆମେରିକା ଏ ନେଇ ପ୍ରତିକ୍ରିୟା ରଖିଛି। ଆମେରିକାର ଉପ ପ୍ରେସ୍ ସଚିବ ସବରିନା ସିଂହ କହିଛନ୍ତି, ଲିକ୍ ହୋଇଥିବା ଦସ୍ତାବିଜ୍ ରେ ଅସ୍ତ୍ରଶସ୍ତ୍ରର ଡିଲିଭରି, ସେନାର ଶକ୍ତି ଏବଂ ଅନ୍ୟ ଜରୁରୀ ତଥ୍ୟ ରହିଛି । ମାତ୍ର ସେସବୁ ତଥ୍ୟ ଅତି କମ୍ ରେ ୫ ସପ୍ତାହ ପୁରୁଣା ହେବ। ତେବେ ବିଭାଗ ଏହାର ତଦନ୍ତ କରୁଛି ବୋଲି ସେ କହିଛନ୍ତି । ଏଥିସହ ଲିକ୍ ହୋଇଥିବା ଡକ୍ୟୁମେଣ୍ଟ ଅସଲି କି ନୁହେଁ, ତାର ମଧ୍ୟ ଯାଞ୍ଚ କରାଯାଉଛି ।

ତା ଛଡ଼ା ଡାଟା ଲିକ୍ ହେବା ଦ୍ୱାରା କଣ ରହିବ ଏହାର ପ୍ରଭାବ ତାର ଆକଳନ ଲାଗି ପେଣ୍ଟାଗନ ଆଭ୍ୟନ୍ତରୀଣ ସମୀକ୍ଷା ଆରମ୍ଭ କରିଦେଇଛି । ଡାଟାଲିକ୍ ଖବର କେମିତି ପ୍ରଚାର ହେଲା ଏବଂ ଏହି ଲିକ୍ ଡାଟା କାହା କାହା ପାଖକୁ ପହଞ୍ଚିଛି ତାର ମଧ୍ୟ ତଦନ୍ତ କରାଯାଉଛି । ଏଫବିଆଇ ଏ ସମସ୍ତ ଯାଞ୍ଚର ନେତୃତ୍ୱ ନେଇଛି ।