• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୬-୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ତଥା ଜାତିସଂଘ ଦ୍ୱାରା ଘୋଷିତ ଟପ୍ ଟେରୋରିଷ୍ଟ କେଉଁଠି ଲୁଚିଛି ? ଭାରତର ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ମାସୁଦ ଆଝାର ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାକିସ୍ତାନରେ ନା ତାଲିବାନୀ ଗଡ଼ ‌ଆଫଗାନିସ୍ତାନରେ? କିଏ କହୁଛି ସତ, ଆଉ କିଏ କହୁଛି ମିଛ?

ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ସୁପ୍ରିମୋ ମାସୁଦ ଆଝାରର ଗୋପନ ଠିକଣାକୁ ନେଇ ଏବେ ମୁହାଁମୁହିଁ ପାକିସ୍ତାନ ଓ ଆଫଗାନିସ୍ତାନ । ଆନ୍ତର୍ଜାତିକ ସ୍ତରରେ ଭାରତର ବାରମ୍ବାର ଚାପ ପ୍ରୟୋଗ ପରେ ପାକିସ୍ତାନର ଶେହବାଜ ସରକାର କହିଥିଲା ଯେ ମାସୁଦ ଆଫଗାନିସ୍ଥାନରେ ଲୁଚୁଛି ଓ ସେଇଠି ହିଁ ଶରଣ ନେଇଛି । ଆତଙ୍କୀ ମାସୁଦ୍ ଆଝାରକୁ ଧରିବାକୁ ଆଫଗାନ୍ ସରକାରଙ୍କୁ ଚିଠି ବି ଲେଖିଥିଲା ପାକିସ୍ତାନ ।

ତାଲିବାନ୍ କ୍ଷମତାକୁ ଆସିବା ପର ଠାରୁ ମାସୁଦ୍ ଆଫଗାନିସ୍ତାନ ପଳାଇଛି । ଏବେ ସେ ଆଫଗାନିସ୍ତାନର ନଙ୍ଗରହର୍ କିମ୍ବା କୁନୁରରେ ଥିବା ଅନୁମାନ କରି ତାକୁ ଠାବ କରି ଗିରଫ ପାଇଁ ଆଫଗାନିସ୍ତାନକୁ କହିଛି ପାକିସ୍ତାନ । ତେବେ ଦିନକ ତଳେ ପାକିସ୍ତାନର ଏହି ଦାବିକୁ ଖଣ୍ଡନ କରିଛି ତାଲିବାନ ସରକାର । ତାଲିବାନ ସରକାରଙ୍କ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ କହିଛନ୍ତି ଯେ, ଜୈସ ଇ ମହମ୍ମଦର ମୁଖ୍ୟ ମାସୁଦ୍ ଆଝାର ଆଫଗାନିସ୍ତାନରେ ନାହିଁ, ବରଂ ପାକିସ୍ତାନରେ ଥାଇପାରେ ବୋଲି ସେ ଆଶଙ୍କା କରିଛନ୍ତି । ଏଭଳି ମିଥ୍ୟା ଆରୋପ କାବୁଲ ଓ ଇସଲାମାବାଦ ମଧ୍ୟରେ ସଂପର୍କ ନଷ୍ଟ କରିବା ଆଶଙ୍କା ରହିଛି ବୋଲି ତାଲିବାନ ସରକାର କହିଛନ୍ତି ।

କୁହାଯାଉଛି ଅନ୍ତର୍ଜାତୀୟ ସଂସ୍ଥା ଫାଇନାନ୍ସିଆଲ୍ ଆକ୍ସନ ଟାସ୍କଫୋର୍ସ ବା ଏଫ୍ଏଟିଏଫ୍ ଗ୍ରେ ଲିଷ୍ଟ ବା ଧୂସର ତାଲିକାରୁ ମୁକୁଳିବା ପାଇଁ ପାକିସ୍ତାନ ବାଧ୍ୟ ହୋଇ ଏପରି ଉଦ୍ୟମ କରିଛି । କାରଣ ପାକିସ୍ତାନର ପ୍ରରୋଚନା ଓ ଶରଣରେ ମାସୁଦ୍ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଥିବାର ଇସଲାମାବାଦ୍ ବିରୋଧରେ ଏଫ୍ଏଟିଏଫର କଟକଣା ବଳବତ୍ତର ରହିଛି ।

ଅଥଚ ଏବେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଚରମ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଅନ୍ୟ ଉପାୟ ନପାଇ ଏଫ୍ଏଟିଏଫର ଗ୍ରେ ଲିଷ୍ଟରୁ ବର୍ତ୍ତିବାକୁ ଆଫଗାନିସ୍ତାନ ମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା କରିଥିବା ଚର୍ଚ୍ଚା ହେଉଛି । ୨୦୧୮ରେ FATF ଗ୍ରେ ଲିଷ୍ଟରେ ରହିଛି ପାକିସ୍ତାନ । ଏହା ପୂର୍ବରୁ ୨୦୧୨ରୁ ୨୦୧୫ ଯାଏ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନର ସମ୍ମୁଖିନ ହୋଇଥିଲା ପାକିସ୍ତାନ ।

ଭାରତରେ ସଂସଦ ଭବନ ଆକ୍ରମଣଠୁ ନେଇ, ମୁମ୍ବାଇ ବିସ୍ଫୋରଣ, ପଠାନକୋଟ ଓ ପୁଲୱାମା ଭଳି ଏକାଧିକ ଆତଙ୍କୀ ହମଲାରେ ମାସୁଦର ହାତ ଥିବାର ପ୍ରମାଣ ପୂର୍ବରୁ ପାକିସ୍ତାନକୁ ଦେଇ ସାରିଛି ଭାରତ । ପାକିସ୍ତାନ କିନ୍ତୁ କୌଣସି କାଯର୍ୟାନୁଷ୍ଠାନ ନେବା ତ ଦୂରର କଥା କର୍ଣ୍ଣପାତ କରୁନଥିଲା । ଏବେ ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ପାକ୍ ଓ ଆଫଗାନିସ୍ତାନ ।

୨୦୧୯ ଡିସେମ୍ବର ୩ରେ ଜାତିସଂଘ ସୁରକ୍ଷା ପରିଷଦର ଏକ ବିଶେଷ ଅଧିବେଶନରେ ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ବା ବିଶ୍ୱ ଆତଙ୍କୀ ଭାବେ ଘୋଷିତ କରାଯାଇଥିଲା । ଜୈସ୍ ପ୍ରତିଷ୍ଠା କରିବା, ଅଲ୍ କାଏଦା ସହ ଯୋଡ଼ି ହେବା, ଅଲ୍ କାଏଦା ପାଇଁ ଆତଙ୍କୀ ନିଯୁକ୍ତ କରିବା, ସୁବିଧା ସୁଯୋଗ ପ୍ରଦାନ କରିବା, ଅସ୍ତ୍ରଶସ୍ତ୍ର ଯୋଗାଣ ଆଦି ଅଭିଯୋଗ ଆଧାରରେ ଜାତିସଂଘ ସୁରକ୍ଷା ପରିଷଦ ମାସୁଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗ୍ଲୋବାଲ ଟେରୋରିଷ୍ଟର ଟାଗ୍ ଦେଇଥିଲେ ।

ଭାରତ ବିରୋଧି କାଯର୍ୟକଳାପ ପାଇଁ ମାସୁଦକୁ ଫେବୃଆରୀ ୧୯୯୪ ମସିହାରେ ଗିରଫ କରାଯାଇଥିଲା । ୧୯୯୫ ମସିହାରେ କିଛି ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରି ମାସୁଦକୁ ଛାଡ଼ିଦେବାକୁ ସର୍ତ୍ତ ରଖିଥିଲା ଗୋଟିଏ ମୌଳବାଦୀ ସଂଗଠନ । କିନ୍ତୁ ଏଥିରେ କିଛି ଫଳ ମିଳିପାରି ନଥିଲା । ୧୯୯୯ ମସିହାରେ ଇଣ୍ଡିଆନ ଏୟାର ଲାଇନ୍ସ ଅପହରଣ କରାଯାଇଥିଲା । ଅପହରଣ ପରେ କାନ୍ଦାହାର ନେଇ ଯାତ୍ରୀମାନଙ୍କୁ ପଣବନ୍ଦୀ କରି ରଖିଥିଲେ । ଫଳରେ ମାସୁଦ ଆଝାର ସମେତ ତିନିଜଣ କୁଖ୍ୟାତ ଆତଙ୍କୀଙ୍କୁ ଛାଡ଼ିବା ପାଇଁ ସର୍ତ୍ତ ରଖିଥିଲେ ଆତଙ୍କୀ ସଂଗଠନ । ଯାତ୍ରୀମାନଙ୍କର ଜୀବନ ରକ୍ଷା କରିବାକୁ ଭାରତ ତାକୁ ଛାଡ଼ିଦେଇଥିଲା ।