• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଋଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଘନଉଛି ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା । ଥରେ ଯୁଦ୍ଧ ଆରମ୍ଭ ହୋଇଗଲେ ଶ୍ମଶାନ ପାଲଟିଯିବ ଦୁନିଆ । ବିଶ୍ୱର ଶକ୍ତିଶାଳୀ ଦେଶ ଗୁଡ଼ିକ ମୁହାଁମୁହିଁ ହେବେ । ମଣିଷକୃତ ବିଭୀଷିକା ଧ୍ୱଂସଲୀଳା ରଚିବ । କୋଟି କୋଟି ଲୋକ କଲବଳ ହୋଇ ଜୀବନ ହରାଇବେ । କ୍ଷଣିକରେ ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଯିବ ।  ବସିଥିବା ଅବସ୍ଥାରେ ଲୋକ ଚମଡ଼ା ଜଳି ଖସିବାରେ ଲାଗିବ । ବୋମା ବିସ୍ଫୋରଣ ଭିତରେ ମଣିଷ ସମାଜର କଣ୍ଠରୋଧ ହୋଇଯିବ । ହାହାକାର ଓ ବିକଳ କାନ୍ଦଣାରେ ଗୁଞ୍ଜରିତ ହେବ ପୃଥିବୀ । ପରମାଣୁ ଆକ୍ରମଣ ହେଲେ ସବୁ କିଛି ଛାରଖାର ହୋଇଯିବ ।

ଅଗଷ୍ଟ ୧୯୪୫ରେ ଆମେରିକା ଉପରେ ପରମାଣୁ ଆକ୍ରମଣ କରିବା ପରେ ଏପରି କିଛି ଘଟିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିମା ଏବଂ ନାଗାସାକି ପରି ଦୁଇ ସହର ଉପରେ ପରମାଣୁ ଆକ୍ରମଣ କରିଥିଲା । ଏହି ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ କିଛି ମିନିଟ୍ ମଧ୍ୟରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । କ୍ଷମତା, ଅହଙ୍କାରର ଯୁଦ୍ଧରେ ସବୁ କିଛି ଜଳିଗଲା । ପରମାଣୁ ଆକ୍ରମଣ କରିବା ପରେ ମଧ୍ୟ ବର୍ଷ ବର୍ଷ ଧରି ଲୋକ ମରିବାକୁ ଲାଗିଲେ । ପୀଢ଼ି ପୀଢ଼ି ପରେ ବିକଳାଙ୍ଗ ଶିଶୁ ଜନ୍ମ ନେଉଥିଲେ ।

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପରମାଣୁ ଯୁଦ୍ଧର ଆଶଙ୍କା ପୁଣି ବଢ଼ିବାରେ ଲାଗିଛି । ଉଭୟ ଦେଶ ମଧ୍ୟରେ ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚି ସାରିଥିବା ବେଳେ ବିପଦକୁ ଏଡ଼ାଇ ଦିଆଯାଇନପାରେ । ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି । ସେପଟେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାବନୀ ଦେଇଛନ୍ତି ସମସ୍ତଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି । ଉଭୟ ଦେଶର ଯୁଦ୍ଧ ମଧ୍ୟରେ କେହି ହସ୍ତକ୍ଷେପ କଲେ ପରିଣାମ ଭୟଙ୍କର ହେବ । ବିଶେଷଜ୍ଞମାନେ ପୁଟିନଙ୍କ ଏହି ଚେତାବନୀକୁ ପରମାଣୁ ଯୁଦ୍ଧର ବିପଦ ସହ ଯୋଡି ଦେଖୁଛନ୍ତି ।

ପରମାଣୁ ଯୁଦ୍ଧ ହେଲେ କ’ଣ ହେବ?

ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ନକରିବାକୁ ସ୍ୱିଜରଲ୍ୟାଣ୍ଡର ଏକ ସଂସ୍ଥା, ଆନ୍ତର୍ଜାତୀୟ ଅଭିଯାନ (ICAN) ଚଳାଇଛି ୨୦୧୭ରେ । ଏହି ସଂସ୍ଥା ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ପାଇଛି । ICAN ଅନୁସାରେ, ଗୋଟିଏ ପରମାଣୁ ବୋମା କ୍ଷଣିକ ମଧ୍ୟରେ କୋଟି କୋଟି ଲୋକଙ୍କୁ ଶେଷ କରିଦେବ । ଗୋଟିଏରୁ ଅଧିକ ପରମାଣୁ ବୋମା ପଡ଼ିଲେ କେବଳ ଲୋକଙ୍କ ମୃତ୍ୟୁ ହେବ ନାହିଁ, ବରଂ ପୃଥିବୀର ଜଳବାୟୁ ତଥା ପାଣିପାଗ ବିଗିଡିଯିବ ।

କୋଟି କୋଟି ଲୋକଙ୍କ ମୃତ୍ୟୁ –

ICAN ଅନୁଯାୟୀ ଗୋଟିଏ ପରମାଣୁ ବୋମା ବଡ଼ ବଡ଼ ସହରକୁ ଧ୍ୱଂସ କରିପକାଇବ । ବର୍ତ୍ତମାନ ସମୟରେ ପରମାଣୁ ଅସ୍ତ୍ର ବ୍ୟବହାର କରାଗଲେ, କୋଟି କୋଟି ଲୋକ ପ୍ରାଣ ହରାଇବେ । ଏଥି ସହିତ ଆମେରିକା ଓ ଋଷିଆ ମଧ୍ୟରେ ପରମାଣୁ ଯୁଦ୍ଧ ଆରମ୍ଭ ହେଲେ ସବୁ କିଛି ଦ୍ୱଂସସ୍ତୁପ ପାଲଟିଯିବ । କୋଟି କୋଟି ସଂଖ୍ୟାରେ ଲୋକ ଜୀବନ ହାରିବେ ।

ମୁମ୍ବାଇ ପରି ସହରରେ ଏକ କିଲୋମିଟର ବ୍ୟାସାର୍ଦ୍ଧରେ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ବାସ କରୁଛି । ଏଠାରେ ହିରୋସିମା ପରି ଆଣବିକ ଆକ୍ରମଣ ହେଲେ ଗୋଟିଏ ସପ୍ତାହରେ ୮.୭୦ ଲକ୍ଷରୁ ଅଧିକ ମୃତ୍ୟୁ ଘଟିବ । ଆମେରିକା ଏବଂ ଋଷିଆ ମଧ୍ୟରେ ପରମାଣୁ ଯୁଦ୍ଧରେ ୫୦୦ ପରମାଣୁ ବୋମା ବ୍ୟବହୃତ କରାଗଲେ, ଅଧ ଘଣ୍ଟା ମଧ୍ୟରେ ୧୦ କୋଟିରୁ ଅଧିକ ଲୋକଙ୍କ ଜୀବନ ଚାଲିଯିବ ।

କେବଳ ଏତିକି ନୁହେଁ ବିଶ୍ୱ ସମସ୍ତ ଦେଶମାନଙ୍କ ପାଖରେ ଥିବା ପରମାଣୁ ଅସ୍ତ୍ରଗୁଡିକର ଏକ ପ୍ରତିଶତ ବ୍ୟବହାର କରାଗଲେ, କୋଟି କୋଟି ଲୋକ ଖାଇବାକୁ ପାଇବେ ନାହିଁ । ଭୋକ ବିକଳରେ ଅନେକ ଲୋକଙ୍କର ମୃତ୍ୟୁ ହେବ । ଏହା ସହିତ ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ନଷ୍ଟ ହୋଇଯିବ । ଫଳରେ ଆହତମାନେ ଚିକିତ୍ସା ହୋଇପାରିବ ନାହିଁ ।

ହିରୋସିମା-ନାଗାସାକି ଉପରେ ଆକ୍ରମଣ ହେବାପରେ କ’ଣ ହେଲା?

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ହାର ମାନିବାକୁ ପ୍ରସ୍ତୁତ ନଥିଲା । ଘମାଘୋଟ୍ ଲଢ଼େଇ ଚାଲିଥାଏ । ଆଉ ଏହାରି ଭିତରେ ଆମେରିକା ଜାପାନର ଦୁଇ ସହର ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ବୋମା ପକାଇଲା । ୬ ଅଗଷ୍ଟ ୧୯୪୫ରେ ହିରୋସିମା ଏବଂ ୯ ଅଗଷ୍ଟ ୧୯୪୫ରେ ନାଗାସାକି ଉପରେ ବୋମା ମାଡ଼ କରାଯାଇଥିଲା ।

ହିରୋସିମାରେ ପରମାଣୁ ଆକ୍ରମଣ ଯୋଗୁଁ ପ୍ରାୟ ୧ ଲକ୍ଷ ୪୦ ହଜାର ନିରୀହ ଲୋକଙ୍କର ପ୍ରାଣ ଚାଲିଯାଇଥିଲା । ନାଗାସାକିରେ ଯେଉଁ ପରମାଣୁ ବୋମା ମାଡ଼ ହୋଇଥିଲା, ତାହାର ରେଡିଏସନ୍‌ ୬.୭ କିମି ପର୍ଯ୍ୟନ୍ତ ପ୍ରଭାବିତ କରିଥିଲା । ଆଉ ଏଥିରେ ପାଖାପାଖି ୭୪ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ଆମେରିକାକୁ ସାରା ବିଶ୍ଵ ନିନ୍ଦା କରିଥିଲା ।