• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଶାନ୍ତ ବ୍ରାଜିଲ । ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲର ରାଜଧାନୀ ବ୍ରାସିଲିଆରେ ଗୃହଯୁଦ୍ଧ ସ୍ଥିତି । ଭଂଗାରୁଜା ସହ ବ୍ୟାପକ ହିଂସାକାଣ୍ଡ । ରାଷ୍ଟ୍ରପତି ଭବନକୁ ମଧ୍ୟ ଛାଡିଲେନି ଆନ୍ଦୋଳନକାରୀ(Brazil Protests) । କେବଳ ରାଷ୍ଟ୍ରପତି ଭବନ ନୁହେଁ ସଂସଦ ଭବନ ସହ ସୁପ୍ରିମକୋର୍ଟରେ ବି ବ୍ୟାପକ ଭଂଗାରୁଜା ହୋଇଛି । ସତେକି ତାଣ୍ଡବ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ହଜାର ହଜାର ସମର୍ଥକ । ଶତାଧିକ ସଂଖ୍ୟାରେ ଉପଦ୍ରବକାରୀ ଗିରଫ ବି ହୋଇଛନ୍ତି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଶ୍ୱର ପ୍ରମୁଖ ନେତା ଚିନ୍ତା ବ୍ୟକ୍ତ କରିଛନ୍ତି ... ।

ରାଷ୍ଟ୍ରପତି ନିର୍ବାଚନରେ ଅନିୟମିତତା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ସମର୍ଥକ ହଜାର ହଜାର ସମର୍ଥକ । ଜାତୀୟ ପତାକା ରଂଗର ସବୁଜ ଓ ହଳଦିଆ ପୋଷାକ ପିନ୍ଧି ଚାଲିଛି ବିକ୍ଷୋଭ । ରାଜଧାନୀ ବ୍ରାସିଲିଆରେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି । ଅନେକ ସରକାରୀ କାର୍ଯ୍ୟାଳୟରେ ପଶି ଉତ୍ପାତ କରିଛନ୍ତି ଆନ୍ଦୋଳନକାରୀ । ପାଖାପାଖି ୩ ହଜାରରୁ ଅଧିକ ବିକ୍ଷୋଭକାରୀ ସଂସଦ, ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟ ମଧ୍ୟକୁ ପଶିଯାଇଥିଲେ ।

ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ସମର୍ଥନରେ ରାଷ୍ଟ୍ରପତି ଭବନରେ ଭଂଗାରୁଜ କରିଥିଲେ । କେବଳ ରାଷ୍ଟ୍ରପତି ଭବନ ନୁହେଁ ପୋଲିସ ବାରିକେଡ୍ ଭାଂଗି ବ୍ରାଜିଲ ପାର୍ଲାମେଣ୍ଟ କଂଗ୍ରେସ ଭବନ ସହ ସୁପ୍ରିମକୋର୍ଟରେ ଚଢାଉ କରିଥିଲେ ଉପଦ୍ରବକାରୀ । ବିକ୍ଷୋଭକାରୀଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ସଂସଦ ଭବନରେ ପଶି ବାଚସ୍ପତିଙ୍କ ଆସନ ଉପରକୁ ଚଢିଯାଇ ନାରାବାଜି କରିଥିଲେ । ଆଉ କେତେଜଣ ସୁପ୍ରିମକୋର୍ଟ ମୁଖ୍ୟାଳୟରେ ବ୍ୟାପକ ଭଂଗାରୁଜା କରିଥିଲେ... ।

ଅଧିକ ପଢ଼ନ୍ତୁ: କମୁଛି ବ୍ରାଜିଲ୍‌ କଫିର ଡିମାଣ୍ଡ, ଆମେରିକା-ଇଟାଲି ଏବେ କୋରାପୁଟ ମୁହାଁ

ପ୍ରଦର୍ଶନକାରୀ ବ୍ରାଜିଲର ପାର୍ଲାମେଣ୍ଟ ଭବନ ଉପରକୁ ଚଢିଯାଇଥିଲେ । ସଂସଦ ଭବନକୁ ପ୍ରବେଶ କରିବା ପାଇଁ ହିଂସ୍ର ଆନ୍ଦୋଳନକାରୀଙ୍କୁ କାଚ କବାଟ ଓ ଝରକା ଭାଂଗୁଥିବା ଦେଖିବାକୁ ମିଳିଥିଲା । ସଂଘବଦ୍ଧ ଭାବେ ସଂସଦ ଭବନରେ ପ୍ରବେଶ କରିବା ପରେ ସଂସଦର କାର୍ଯ୍ୟାଳୟରେ ଭଂଗାରୁଜା କରିଥିଲେ ସେମାନେ । ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଆସିଥିବା ପୋଲିସ କର୍ମୀଙ୍କୁ ମଧ୍ୟ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା ।

ବ୍ରାସିଲିଆରେ ସ୍ଥିତି ନିୟନ୍ତ୍ରଣକୁ ନେବାକୁ ନାକେଦମ୍ ହୋଇଥିଲା ପୋଲିସ । ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପୋଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା । ହେଲିକପ୍ଟରରୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ । ଏସବୁ ପରେ ମଧ୍ୟ ଭିଡ଼କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା ବ୍ରାଜିଲ ପୋଲିସ ।

ଏହି ଘଟଣାକୁ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଲୁଲା ଦା ସିଲଭା । ଏଭଳି ଘଟଣା ଦେଶର ଇତିରହାସରେ କେବେ ବି ଦେଖିବାକୁ ମିଳିନଥିଲା ବୋଲି ସେ କହିଛନ୍ତି । ଆନ୍ଦୋଳନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଘଟଣାକୁ ନେଇ ଚାରିଆଡୁ ନିନ୍ଦାର ସ୍ୱର ତେଜିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘଟଣାକୁ ନିନ୍ଦା କରିବା ସହ ବ୍ରାଜିଲରେ ଗଣତାନ୍ତ୍ରିକ ବ୍ୟବସ୍ଥା ବିଗାଡିବାକୁ ଏହା ପ୍ରୟାସ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବ୍ରାଜିଲ ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି । ଗଣତାନ୍ତ୍ରିକ ପରମ୍ପରାକୁ ସମସ୍ତେ ସମ୍ମାନ କରିବା ଦରକାର ବୋଲି କହିଛନ୍ତି ମୋଦି । ବ୍ରାଜିଲର ସମସ୍ତ ଅଧିକାରୀଙ୍କୁ ଭାରତ ତରଫରୁ ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେ କହିଛନ୍ତି । ୟୁରୋପୀୟ ସଂଘ ଅଧ୍ୟକ୍ଷ ଚାର୍ଲସ ମିଶେଲ ଏବଂ ଫ୍ରାନ୍ସ୍ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ।

ଅନ୍ୟପଟେ ଦେଶରେ ଘଟିଥିବା ହିଂସାକାଣ୍ଡରେ କୌଣସି ସମ୍ପୃକ୍ତିକୁ ରୋକଠୋକ୍ ଅସ୍ୱୀକାର କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋ । ତେଣେ ସୁପ୍ରିମକୋର୍ଟ ଏହି ଘଟଣାରେ ବ୍ରାସିଲିଆ ଗଭର୍ଣ୍ଣରଙ୍କୁ ୩ ମାସ ଲାଗି ନିଲମ୍ବିତ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ... ।