• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସିରିଆ ଓ ଇରାକରେ ଆତଙ୍କ ଖେଳାଇଥିବା ଆତଙ୍କବାଦୀ ସଂଗଠନ ଇସ୍ଲାମିକ୍ ଷ୍ଟେଟ୍ ବା ISISର ମୁଖ୍ୟ ଆବୁ ଇବ୍ରାହିମ୍ ଅଲ୍ ହାସିମି ଅଲ କୁରେସିର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଆମେରିକା ସୈନ୍ୟଙ୍କ ହାତରେ ଧରାପଡିବା ପୂର୍ବରୁ ସଂଗଠନର ପୂର୍ବତନ ମୁଖ୍ୟ ଅଲ୍-ବାଗଦାଗି ଭଳି ନିଜକୁ ଆତ୍ମଘାତୀ ବିସ୍ଫୋରଣରେ ଉଡ଼ାଇ ଦେଇଛି ହାସିମି। ତାର ସ୍ତ୍ରୀ ଓ ଝିଅଙ୍କ ସମେତ ସବୁ ପରିବାରର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଅଲ୍-ହାସିମି ରହୁଥିବା ଅଟ୍ଟାଳିକା ଉପରେ ଆମେରିକା ସୈନ୍ୟ ରେଡ୍ କରିବା ପରେ, ତା ନିକଟରେ ଆଉ କୌଣସି ବିକଳ୍ପ ନଥିଲା।

ଅଲ-କାଏଦା ମୁଖ୍ୟ ଓସାମା ବିନ୍ ଲାଦେନ୍ ଓ ISIS ପୂର୍ବତନ ମୁଖ୍ୟ ଅଲ୍-ବାଗଦାଗୀ ଭଳି ଆମେରିକା ସେନାର ଆଉ ଏକ ଅପରେସନରେ ଚରମ ପରିଣତି ଭୋଗିଛି ବିଶ୍ୱର ଆଉ ଜଣେ କୁଖ୍ୟାତ ଆତଙ୍କୀ । ତୁର୍କିକୁ ଲାଗିଥିବା ସିରିଆର ଆତ୍ମେ ସହରରେ ଗୁରୁବାର ରାତିରେ ହୋଇଥିବା ଅପରେସନରେ ପ୍ରାଣ ହରାଇଛି ଇସ୍ଲାମିକ ଷ୍ଟେଟ୍ ବା ISIS ମୁଖ୍ୟ ଅଲ୍ ହାସିମି।

ହେଲିକପଟର ଯୋଗେ ରାତାରାତି ISIS ନିୟନ୍ତ୍ରଣରେ ଥିବା ଆତ୍ମେ ସହରରେ ପହଞ୍ଚିଥିଲେ ୫୦ରୁ ଅଧିକ ଆମେରିକୀୟ ସୈନ୍ୟ । ତେବେ ସେମାନଙ୍କୁ ଆତଙ୍କୀଙ୍କ ସାମ୍ନା କରିବାକୁ ପଡ଼ିଥିଲା। ବହୁ ସମୟ ଧରି ଗୁଳିବିନିମୟ ପରେ, ଅଲ୍-ହାସିମି ରହୁଥିବା ବିଲଡିଂର ନିକଟତର ହୋଇଥିଲେ ଆମେରିକୀୟ ସୈନ୍ୟ। ପରିଚୟଗତ ତ୍ରୁଟିରୁ ଆଫଗାନିସ୍ତାନରେ ଆମେରିକା ଡ୍ରୋନ ଆକ୍ରମଣରେ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଥିବାରୁ, ତାର ଯେପରି ପୁନରାବୃତ୍ତି ନଘଟିବ ସେଥିପ୍ରତି ସଜାଗ ଥିଲେ ଆମେରିକୀୟ।

ମେରିନ୍ ଅଟ୍ଟାଳିକାର ପ୍ରଥମ ମହଲାରେ ଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ଦ୍ୱିତୀୟ ମହଲାରେ ପ୍ରବେଶ କରିଥିଲେ ଆମେରିକୀୟ ସୈନ୍ୟ। ତେବେ ଏହି ସମୟରେ ଅଲ୍-ହାସିମିର ସ୍ତ୍ରୀ ଓ ବଡି ଗାର୍ଡ ସେମାନଙ୍କ ଉପରେ ଗୁଳିମାଡ଼ କରିଥିଲେ। ମାତ୍ର ସମସ୍ତଙ୍କୁ ସମଦଶା ଭୋଗିବାକୁ ପଡ଼ିଥିଲା। ଆମେରିକୀୟ ସୈନ୍ୟଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା।ଆମେରିକୀୟ ସୈନ୍ୟ ତୃତୀୟ ମହଲାକୁ ଅଗ୍ରସର ଲାଗି ଉଦ୍ୟମ କରିବା ସମୟରେ, ଘଟିଥିଲା ଭୟଙ୍କର ବିସ୍ଫୋରଣ। ଚୁରମାର ହୋଇଯାଇଥିଲା ପୁରା ତୃତୀୟ ମହଲା।

ରାସ୍ତା ଉପରକୁ ଛିଟିକି ପଡିଥିଲା ଖଣ୍ଡ ବିଖଣ୍ଡିତ ମୃତ ଦେହ। ଆମେରିକୀୟ ସୈନ୍ୟଙ୍କ ହାତରେ ଧରାପଡିବା ପୂର୍ବରୁ ଆତ୍ମଘାତୀ ବିସ୍ଫୋରଣ କରିଥିଲା ISIS ମୁଖ୍ୟ ଅଲ ହାସିମି। ଏଥିରେ ତାର ଦୁଇ ଝିଅଙ୍କର ବି ମୃତ୍ୟୁ ଘଟିଥିବା ଜଣାପଡିଛି। ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ତେବେ ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ, ପୁରା ସହରରେ ଆତଙ୍କ ଖେଳି ଯାଇଥିଲା।

ଏପଟେ ଓସାମା ବିନ୍ ଲାଦେନ ଅପରେସନ ଭଳି ସିଚୁଏସନ୍ ରୁମ୍‌ରେ ବସି ଆମେରିକା ମେରିନଙ୍କ ଦୁଃସାହସିକ କାର୍ଯ୍ୟାନୁଷ୍ଠାନର ଲାଇଭ୍ ଚିତ୍ର ଦେଖୁଥିଲେ ରାଷ୍ଟ୍ରପତି ଜୋ-ବାଇଡେନ୍, ଉପରାଷ୍ଟ୍ରପତି କମ୍ଲା ହାରିସ, ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ ଓ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ସ ମାର୍କ ମିଲେ। ଅପରେସନର ତଦାରଖ କରୁଥିବା ମେରିନ୍ ଜେନେରାଲ ଫ୍ରାଙ୍କ ମ୍ୟାକେଞ୍ଜି ବାଇଡେନଙ୍କୁ ଅପରେସନ ସଂପର୍କରେ କ୍ରମାଗତ ଭାବେ ତଥ୍ୟ ପ୍ରଦାନ କରିଥିଲେ।

ଅଲ୍-ହାସିମି ସେହି ଅଟ୍ଟାଳିକାରେ ରହୁଥିବା ନେଇ ଠୋସ୍ ପ୍ରମାଣ ମିଳିବା ପରେ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିସେମ୍ବର ମାସରୁ ହିଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ତେଣେ ଅଲ୍ ହାସିମି ଏକ କାପୁରୁଷ ଭଳି ପ୍ରାଣ ହରାଇଛି ଏବଂ ବିଶ୍ୱ ଆଉ ଏକ ଆତଙ୍କୀମୁକ୍ତ ହୋଇଛି ବୋଲି ଅପରେସନ ପରେ କହିଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍। ଅନ୍ୟପକ୍ଷରେ ହାସିମିର ମୃତ୍ୟୁ ପରେ ନିଜର ସ୍ଥିତି ବଜାୟ ରଖିବାକୁ ଚେଷ୍ଟାରେ ଥିବା ଆତଙ୍କୀ ସଂଗଠନ ISIS ଆହୁରି ଦୁର୍ବଳ ହୋଇପଡିବ ବୋଲି କୁହାଯାଉଛି।