• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ-ରୁଷ ଯୁଦ୍ଧ ଚତୁର୍ଦ୍ଦଶ ଦିନରେ ପହଞ୍ଚିଥିବାବେଳେ ପରିସ୍ଥିତି ଆହୁରି ଜଟିଳ ହେଉଛି । ଆସିଛି ଯୁଦ୍ଧ ବିଭୀଷିକାର ଭୟାନକ ଚିତ୍ର । ରାସ୍ତାରେ ଗୁଳିଗୋଳା ବିଛୁରିତ ହୋଇ ପଡିଛି । ଭୟ ଓ ଦୁର୍ଦ୍ଦିନ ମଧ୍ୟରେ ହଜାର ହଜାର ସଂଖ୍ୟାରେ ନାଗରିକ ଦେଶ ଛାଡୁଛନ୍ତି । ରାସ୍ତା, ଘାଟ, ବ୍ରିଜ ସବୁକିଛି ଛାରଖାର ହୋଇଯାଇଛି । ଘର ଗୁଡିକରେ ଗୁଳି, ତୋପ ଓ ମିଜାଇଲ ମାଡ଼ର ଭୟାନକ ଚିତ୍ର ଦେଖିବାକୁ ମିଳିଛି । ଧ୍ୱଂସସ୍ତୁପ ପାଲଟିଛି ୟୁକ୍ରେନର ଏକାଧିକ ସହର । ମିଜାଇଲ ମାଡ଼ରେ ଭାଙ୍ଗି ମାଟିରେ ମିଶିଛି ଅଟ୍ଟାଳିକା । ସୁମି, ଖାରକିଭ୍, ମାରିଓପୋଲରେ ଏଭଳି ଅନେକ ଚିତ୍ର ଛାତିକୁ ଦୋହଲାଇ ଦେଇଛି ।

ସେପଟେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ରୁଷଠାରୁ ତୈଳ ଏବଂ ଗ୍ୟାସ୍ ଆମଦାନୀ ଉପରେ କଟକଣା ଲଗାଇବା ପରେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । କିଭ୍ ଅକ୍ତିଆର ଲାଗି ରୁଷ ଉଦ୍ୟମ ଜାରି ରଖିଥିବାବେଳେ ୟୁକ୍ରେନର ସୁରକ୍ଷା ଲାଗି ପୋଲାଣ୍ଡ ନିଜର ସମସ୍ତ ମିଗ୍-୨୯ ଫାଇଟର ଜେଟ୍ ୟୁକ୍ରେନକୁ ଦେବାକୁ ନିଷ୍ପତ୍ତି ନେଇଛି । ରୁଷ ସହ ମୁକାବିଲା କରିବାକୁ ୟୁକ୍ରେନକୁ ପୋଲାଣ୍ଡ ଏହି ସହାୟତା କରିଛି । ପୋଲାଣ୍ଡର ଏହି ନିଷ୍ପତ୍ତିକୁ ନେଇ ଆମେରିକା ଚିନ୍ତାପ୍ରକଟ କରିଥିବାବେଳେ ପୋଲାଣ୍ଡର ଏହି ନିଷ୍ପତ୍ତିକୁ ୟୁକ୍ରେନ ପ୍ରତ୍ୟାଖାନ କରିଛି ।

ତେବେ ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ ଯବାବ ଦେବାକୁ ଆମେରିକା ପୋଲାଣ୍ଡରେ ୨ଟି ପାଟ୍ରିଅଟ୍ ମିଜାଇଲ ମୁତୟନ କରିବ । ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଥିବାବେଳେ ନାଟୋ ଦେଶ ଏବଂ ଆମେରିକା ଉପରେ କୌଣସି ବିପଦ ଯେପରି ନଆସେ ସେଥିଲାଗି ଏହି ମିଜାଇଲ ମୁତୟନ କରିବ । ଆମେରିକା ଏହା ମଧ୍ୟରେ ଆଜି ୟୁକ୍ରେନର ୫ ସହରରେ ଅସ୍ତ୍ରବିରତି ଘୋଷଣା କରିଛି ।

ରୁଷ ସୁମି, ଖାରକିଭ, ମାରିଓପୋଲ, ଚେର୍ନିହିବ, ଜାପୋରିଝିଆ ସହରରେ ଅସ୍ତ୍ରବିରତି ଘୋଷଣା କରିଛି । ହ୍ୟୁମାନ କରିଡର ଜରିଆରେ ନାଗରିକଙ୍କୁ ସୁରକ୍ଷିତ ବାହାର କରିବାକୁ ରୁଷ ଏହି ଅସ୍ତ୍ରବିରତି ଘୋଷଣା କରିଛି । ରୁଷ ଏବଂ ବେଲାରୁଷ ଉପରେ ପାଶ୍ଚ୍ୟାତ ଦେଶ ଲଗାଇଥିବା କଟକଣାର ଅବହେଳା କରିଥିବା ଯୋଗୁଁ କିଛି ଚୀନ କମ୍ପାନୀ ଗୁଡିକରେ ଲାଗିପାରେ ତାଲାବନ୍ଦୀ । ଏ ସବୁ ମଧ୍ୟରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ଆଜି ପୋଲାଣ୍ଡ ଏବଂ ରୋମାନିଆ ଗସ୍ତରେ ଯାଉଛନ୍ତି । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଦୁଇ ଦେଶ ଗସ୍ତରେ ରହିବେ କମଲା ହାରିସା ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି ।