• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ ଆକ୍ରମଣକୁ ନେଇ ଚର୍ଚ୍ଚାରେ ଥିବା ଋଷ ରାଷ୍ଟ୍ରପତିଙ୍କୁ ନେଇ ଆଉ ଏକ ବଡ଼ ଖବର । ଭ୍ଲାଦିମିର ପୁଟିନ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ପଶ୍ଚିମୀ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଖାସ୍ କରି ଗତ ୯ ତାରିଖରେ ମସ୍କୋରେ ଆୟୋଜିତ ଭିକ୍ଟ୍ରି ଡେ ପରେଡରେ ସେ କମ୍ବଳ ଘୋଡ଼ାଇ ହୋଇ ଆସିବାକୁ ନେଇ ବଢ଼ିଛି କଳ୍ପନାଜଳ୍ପନା । ସେ କ୍ୟାନସର୍ ସହ ପାର୍କିନ୍ସନ୍ସ ରୋଗରେ ପୀଡିତ ଥିବା ଅନୁମାନ କରାଯାଉଛି । ତେବେ କ୍ରେମ୍ଲିନ୍ ପକ୍ଷରୁ ଏଭଳି ଚର୍ଚ୍ଚାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରାଯିବା ସହ ପୁଟିନ୍ ସୁସ୍ଥ ଥିବା କୁହାଯାଇଛି ।

ଗତ ୯ ତାରିଖରେ ମସ୍କୋର ରେଡ୍ ସ୍କୋୟରରେ ଭିକ୍ଟ୍ରି ଡେ ପରେଡ୍ର ଚିତ୍ର କମ୍ବଳ ଘୋଡ଼ାଇ ହୋଇ ଶାନ୍ତ ବସିଥିବା ଦେଖିବାକୁ ମିଳିଥିଲା । ପୁଟିନଙ୍କ ପୂର୍ବର ଫୂର୍ତ୍ତିଲା ଚେହେରା ନାହିଁ, କି ଆଖିରେ ତେଜ ବି ନାହିଁ । ସଂପୂର୍ଣ୍ଣ ସୁସ୍ଥ ନଥିବା ପରି ଦେଖାଯାଉଥିଲେ । ଏହାକୁ ନେଇ ବିଶ୍ୱବ୍ୟାପୀ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ପରେଡ୍ ସମୟରେ ପୁଟିନ୍ ଭଲରେ ନିଶ୍ୱାସ ନେଇପାରୁନଥିବା ବେଳେ ନରମ ଗଳାରେ ମାତ୍ର ୧୦ ମିନିଟର ଉଦବୋଧନ ଦେଇଥିଲେ । ଏହି ସମୟରେ ସେ ବାରମ୍ବାର କାଶିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ଏହା ତାଙ୍କ ଅସୁସ୍ଥତା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ସେ କ୍ୟାନସର ସମେତ ପାର୍କିନସନ୍ ଡିଜିଜ୍ ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ପଶ୍ଚିମ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏମିତିକି ମାର୍ଚ୍ଚ ୯ ତାରିଖରେ କ୍ୟାନସର ପାଇଁ ପୁତିନଙ୍କର ଅସ୍ତ୍ରୋପଚାର କରାଯାଇଥିବା କୁହାଯାଉଛି । ରୁଷିଆ ସୁରକ୍ଷା କାଉନସିଲର ମୁଖ୍ୟ ନିକୋଲାଇ ପାତ୍ରୁସେଭ୍ ଏହି ସମୟରେ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇଥିବା ନ୍ୟୁୟର୍କ ଟାଇମସ୍ ଖବର ଛାପିଛି ।

ଗତ ଏପ୍ରିଲ ୨୪ ତାରିଖରେ ପୁତିନ ନିଜ ଘନିଷ୍ଠ ସହଯୋଗୀ ତଥା ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର୍ ଲୁକାସେଙ୍କୋଙ୍କୁ ଭେଟିଥିଲେ । ଏହି ସମୟରେ ତାଙ୍କ ହାତ ଜୋରରେ ଥରୁଥିଲା । ଛାତି ଉପରେ ହାତକୁ ଅନେକ ସମୟ ଚାପି ରଖିବା ପରେ ସେ ପ୍ରକୃତିସ୍ଥ ହୋଇଥିଲେ । ଏହାପରେ ସେ ଟଳି ଟଳି ଲୁକାସେଙ୍କୋଙ୍କ ପାଖରେ ପହଞ୍ଚିଥିଲେ । ଏସବୁ ଚିତ୍ର ପୁଟିନ ସୁସ୍ଥ ନଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ମାତ୍ର କ୍ରେମଲିନ୍ ପକ୍ଷରୁ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି । ସେହିପରି ବେଲାରୁଷ ରାଷ୍ଟ୍ରପତି ମଧ୍ୟ ପୁଟିନଙ୍କ ଅସୁସ୍ଥତା ଖବରରେ ସତ୍ୟତା ନଥିବା କହିଛନ୍ତି । ଆଗ ଅପେକ୍ଷା ପୁଟିନ୍ ଅଧିକ ଫିଟ୍ ଓ ମାନସିକ ଭାବେ ଅଧିକ ସ୍ଥିର ଥିବା କହିଛନ୍ତି ।

ୟୁକ୍ରେନ ବିପକ୍ଷରେ ଯୁଦ୍ଧକୁ ନେଇ ବିବାଦୀୟ ହୋଇପଡ଼ିଛନ୍ତି ପୁଟିନ୍ । ସାରା ବିଶ୍ୱ ତାଙ୍କୁ ଜଣେ ଉଗ୍ର ଓ କ୍ରୁର ରାଜନେତା ଭାବେ ଚିତ୍ରିତ କରିବାରେ ଲାଗିଛି । ତେବେ ୟୁକ୍ରେନ ଯୁଦ୍ଧ ପାଇଁ ପୁଟିନ ଆମେରିକା ଓ ୟୁରୋପୀୟ ସଂଘକୁ ଦାୟୀ କରିଛନ୍ତି । ମାତୃଭୂମିକୁ ସୁରକ୍ଷିତ ରଖିବା ଲାଗି ଋଷ ସୈନ୍ୟ ଲଢୁଥିବା ଭିକ୍ଟ୍ରି ଡେ ପରେଡ୍ ଅବସରରେ କହିଥିଲେ ପୁଟିନ୍ । ଅନ୍ୟପକ୍ଷରେ ଯୁଦ୍ଧ ବଦଳରେ ପୁତିନଙ୍କ ଅସୁସ୍ଥତା ଖବରକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।