• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଚାଲିଥିବା ବେଳେ ଆମେରିକା ପୁଣିଥରେ ଜେଲେନସ୍କି ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଏସମ୍ପର୍କରେ ଘୋଷଣା କରିଛନ୍ତି । ୟୁକ୍ରେନକୁ ପାଖାପାଖି ୨୦୦ ମିଲିୟନ ଆମେରିକି ଡଲାର ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ । ଏଥିପାଇଁ ସେମାନେ ବିଦେଶ ବିଭାଗକୁ ଅନୁମତି ଦେଇଛନ୍ତି ।

ଅତିରିକ୍ତ ସହାୟତା ସହ ଅସ୍ତ୍ରଶସ୍ତ୍ର ତଥା ସାମରିକ ସେବା, ଶିକ୍ଷା ଏବଂ ତାଲିମକୁ ମଧ୍ୟ ସହାୟତାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ବାଇଡେନ୍‌ କହିଛନ୍ତି । କାରଣ ୟୁକ୍ରେନର ସାଧାରଣ ଜନତା ମଧ୍ୟ ଯୁଦ୍ଧ ମଇଦାନକୁ ଓହ୍ଲାଇଛନ୍ତି । ଆମେରିକା ସରକାରଙ୍କ ୟୁକ୍ରେନକୁ ଏହି ସହାୟତା ସମର୍ଥନର ଏକ ଅଂଶ ବୋଲି କୁହାଯାଉଛି । ଫେବୃଆରୀ ଶେଷ ଆଡ଼କୁ ଋଷିଆ ଯେତେବେଳେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ସେତେବେଳେ ମଧ୍ୟ ୟୁକ୍ରେନକୁ ଏକ ବିଲିୟନ ଆମେରିକୀୟ ଡଲାର ସହାୟତା ଯୋଗାଇ ଦିଆଯାଇଥିଲା । ସହାୟତା ପ୍ରାଦନ ସମ୍ପର୍କରେ ଉଲ୍ଲେଖ କରିଥିଲେ ରାଜ୍ୟ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ।

୧୮ ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଚଳିତ ସପ୍ତାହରେ ୟୁକ୍ରେନ୍‌କୁ ୧୩.୬ ବିଲିୟନ ଆମେରିକୀୟ ଡଲାରର ଅତିରିକ୍ତ ସହାୟତା ମଞ୍ଜୁର ହୋଇଛି । ପୂର୍ବ ୟୁରୋପରେ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ପଠାଇବା ଖର୍ଚ୍ଚ ପାଇଁ ୬.୫ ବିଲିୟନ ଡ଼ଲାର ଏବଂ ଶରଣାର୍ଥୀ ଏବଂ ଆର୍ଥିକ ସହାୟତା ପାଇଁ ୬.୮ ବିଲିୟନ ଡ଼ଲାର ମଞ୍ଜୁର ହୋଇଛି ।

ସେପଟେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, କିଭ୍‌ ଅଧିକାର କରିବା ପାଇଁ ଋଷୀୟ ସୈନ୍ୟଙ୍କୁ ଆମ ଶବ ଉପରେ ଯିବାକୁ ପଡ଼ିବ । ବୋମାବର୍ଷଣରେ ପୁରା କିଭର ସ୍ମୁତିକୁ ଧ୍ୱଂସ କରିବା ପରେ ହିଁ କିଭ୍‌ ତାଙ୍କର ହୋଇପାରିବ । ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବୁ ବୋଲି ସେ କହିଛନ୍ତି ।