• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁନି ପୁଅ ସହିତ ଅମାନବୀୟ ବ୍ୟବହାର । ରାକ୍ଷସ ପାଲଟିଲେ ବାପାମା’ । ପୋଷ୍ୟ ସନ୍ତାକୁ ଦେଲେ ଅକଥନୀୟ ନିର୍ଯାତନା । ଜଣେ ଆମେରିକୀୟ ଦମ୍ପତି ପିଲାଟିକୁ ଗ୍ୟାରେଜରେ ତିଆରି ଏକ ଛୋଟ ବାକ୍ସରେ ବନ୍ଦ କରି ରଖିଥିଲେ । ତାକୁ ଶୌଚାଳୟକୁ ଯିବାକୁ ମଧ୍ୟ ଅନୁମତି ନଥିଲା । ବାକ୍ସରେ ଭିତରେ ହିଁ ବାଲ୍ଟି ଥିଲା, ଯେଉଁଠାକୁ ସେ ଝାଡ଼ାପରିସ୍ରା କରିବାକୁ ବାଧ୍ୟ ହୋଇଥିଲେ । ଏତିକିରେ ସେମାନଙ୍କ ମନକୁ ଶାନ୍ତି ମିଳୁନଥିଲେ, ପ୍ରତିଦିନ ପଶୁ ପରି ତାକୁ ମାଡ଼ କରୁଥିଲେ । ପ୍ରାୟ ପାଞ୍ଚ ବର୍ଷ ଧରି ତାଙ୍କ ବାପାମାଙ୍କ ନିର୍ଯାତନାର ସମ୍ମୁଖୀନ ହେବା ପରେ ବର୍ତ୍ତମାନ କୁନି ପିଲାଟି ମୁକୁଳିଛି ।

ବେଲ୍ଟରେ ମାଡ଼ ମାରୁଥିଲେ ଦମ୍ପତି

ଟ୍ରେସି ଏବଂ ଟିମୋଥି ଫେରିଟର ୨୦୧୭ରେ ଏକ ଶିଶୁକୁ ପୋଷ୍ୟ ଗ୍ରହଣ କରିଥିଲେ । ତେବେ ପୋଷ୍ୟ ଗ୍ରହଣ କରିବା ପରଠାରୁ କୁନି ପୁଅକୁ କେବେ ମା’ବାପାର ସ୍ନେହ ମିଳିନଥିଲା । ସବୁଦିନ ବେଲ୍ଟରେ ମାଡ଼ ମାରି ତାକୁ ଲହୁଲୁହାଣ କରିପକାଉଥିଲେ । ମାତ୍ର ୧୩ ବର୍ଷ ବୟସରେ ପିଲାଟି ନର୍କଯନ୍ତ୍ରଣା ପାଇସାରିଥିଲା । ପ୍ରତିଦିନ ମାଡ଼ ମାରୁଥିବା ପୋଲିସକୁ ପିଲାଟି କହିଛି । ଥରେ ତାଙ୍କ ବାପା ତାଙ୍କ ମୁଣ୍ଡକୁ ଧରି କାନ୍ଥରେ ଜୋରରେ ବାଡ଼େଇ ମଧ୍ୟ ଦେଇଥିଲା । କେବଳ ଏତିକି ନୁହେଁ ତାଙ୍କୁ ପ୍ରତିଦିନ କୁକୁରମାଙ୍କଡ଼ ପରି ବ୍ୟବହାର କରାଯାଉଥିଲା ।

ପ୍ରତି ମୁହୂର୍ତ୍ତରେ ପିଲା ଉପରେ ଥିଲା କଡ଼ା ନଜର

ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀ ପିଲାଟିକୁ ଏକ ବାକ୍ସରେ ରଖୁଥିଲେ ଏବଂ ପ୍ରତି ମୁହୂର୍ତ୍ତରେ ତାଙ୍କ ଉପରେ ନଜର ରଖୁଥିଲେ । ବାକ୍ସରେ ଏକ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଥିବା ଫ୍ଲୋରିଡା ପୋଲିସ କହିଛି । କେବଳ ସ୍କୁଲ ଯିବାପାଇଁ ପିଲାଟିକୁ ବାକ୍ସରୁ ବାହାରିବାକୁ ଅନୁମତି ଦିଆଯାଇଥିଲା । ଫେରିବା ପରେ ସେ ପୁଣି ତାଙ୍କୁ ବାକ୍ସରେ ତାଲା ପକାଇ ରଖୁଥିଲେ । ବାକ୍ସରେ ଏକ ଗଦା ଏବଂ ବାଲ୍ଟି ଛଡା ଆଉ କିଛି ନଥିଲା ।

କିପରି ଜଣାପଡ଼ିଲା ପ୍ରକୃତ ଘଟଣା

କିଛି ଦିନ ପୂର୍ବରୁ ପିଲାଟି ସ୍କୁଲରୁ ପଳାଇବାରେ ସଫଳ ହୋଇଥିଲା । ଏହା ପରେ ଟ୍ରେସି ଏବଂ ଟିମୋଥି ଫେରିଟର ନିଜ ପିଲା ନିଖୋଜ ଦେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅନୁସନ୍ଧାନ ବେଳେ ପୋଲିସ ଅଭିଯୁକ୍ତଙ୍କ ଘରେ ପହଞ୍ଚିବା ପରେ ସେମାନେ ଗ୍ୟାରେଜରେ ଏକ ବାକ୍ସ ଦେଖିଥିଲେ । ତେବେ ବାକ୍ସ ଦେଖିବା ପରେ ସନ୍ଦେହ ହେବାରୁ ପଚରାଉଚରା କରିଥିଲେ । ଆଉ ତା’ପରେ ସବୁ କଥା ଧରାପଡ଼ିଥିଲା । ପରେ ପିଲାକୁ ପାଇବା ପରେ ବାପାମା’ଙ୍କ କ୍ରୁରତାର ପୁରା କାହାଣୀ ସାମ୍ନାକୁ ଆସିଥିଲା ।

ତେବେ ପିଲାଟିକୁ ପୋଲିସ୍ ଧରିବା ପରେ ସେ ଅତ୍ୟଧିକ ଭୟଭୀତ ଅବସ୍ଥାରେ ଥିଲା । ମୋତେ ଆରେଷ୍ଟ କରି ଜେଲ ପଠାଇ ଦିଅ, ସେ ଘରକୁ ଆଉ ଫେରିବିନି କହି ପୋଲିସ୍ ଆଗରେ ନେହୁରା ହୋଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ବର୍ତ୍ତମାନ ସେମାନେ ଜାମିନରେ ବାହାରକୁ ଆସିଛନ୍ତି ।