• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ୍‌ ଅକ୍ତିଆର କରିବାକୁ ମାଡ଼ି ମାଡ଼ି ଚାଲିଛି ଋଷିଆ । ବର୍ତ୍ତମାନ ୟୁକ୍ରେନର ରାଜଧାନୀ କିଭରେ ପହଞ୍ଚି ସାରିଛନ୍ତି ଋଷୀୟ ସେନା । ଏଭଳି ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ କିଭ୍‌ ଖାଲି କରିବାକୁ କହିଛି ଆମେରିକା । ହେଲେ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭୋଲୋଡିମିର ଜେଲେନସ୍କି । ନ୍ୟୁଜ୍ ଏଜେନ୍ସିରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଜେଲେନସ୍କି ଆମେରିକାର ସହାୟତାକୁ ମନା କରିଦେଇଛନ୍ତି । କେହି ସାହାଯ୍ୟ ନକଲେ ମଧ୍ୟ ଋଷିଆ ବିରୋଧରେ ଦୃଢ଼ ଭାବରେ ଛିଡ଼ା ହେବା ପାଇଁ ସଫା ସଫା ଶୁଣାଇ ଦେଇଛନ୍ତି ।

କିଭ ଖାଲି କରିବା ପାଇଁ ଭୋଲୋଡିମିର ଜେଲେନସ୍କିଙ୍କୁ ଆମେରିକା ସରକାର ଅନୁରୋଧ କରିଥିଲେ ବୋଲି କହିଛନ୍ତି ଆମେରିକାର ଗୁପ୍ତଚର ବିଭାଗର ଜଣେ ବରିଷ୍ଠ ଅଧିକାରୀ । ହେଲେ ନିଜ ଦେଶ ତଥା ଦେଶବାସୀଙ୍କୁ ଏପରି ଦୋଦୁଲ୍ୟମାନ ଅବସ୍ଥାରେ ଛାଡ଼ିବାକୁ ଚାହୁଁନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି । ଜୀବନ ଥିବା ଯାଏଁ ଲଢ଼ିବା ପାଇଁ ପ୍ରଣ କରିଛନ୍ତି । କିଭ୍‌ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ବର୍ତ୍ତମାନ ସମୟରେ ଆମକୁ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜେଲେନସ୍କି ।

ଗତ ତିନି ଦିନ ଧରି ଋଷୀୟ ସେନା ଚାରି ଦିଗରୁ ୟୁକ୍ରେନ ଉପରେ ଆକ୍ରମଣ କରୁଛି । ତେବେ ବର୍ତ୍ତମାନ ସୁଦ୍ଧା ୟୁକ୍ରେନର କେତେ ଅଂଶ ଋଷିଆ ନିଜ ନିୟନ୍ତ୍ରିତକୁ ନେଇଛି ତାହା ସ୍ପଷ୍ଟ ହୋଇନାହିଁ । ରିପୋର୍ଟ ଅନୁସାରେ ଋଷୀୟ ସେନା ରାଜଧାନୀ କିଭରେ ପହଞ୍ଚି ସାରିଛି । ତେବେ ୟୁକ୍ରେନର ଅଞ୍ଚଳକୁ ଅକ୍ତିଆର କରିବା ଋଷୀୟ ସେନା ପାଇଁ ସହଜ ହୋଇନାହିଁ । ଅପେକ୍ଷାକୃତ ମନ୍ଥର ଗତିରେ ଗତିରେ ଆଗଗୁ ବଢ଼ୁଛି ଋଷିଆ ।

ସେପଟେ ଦେଶରେ ଯୁଦ୍ଧ ଚାଲିଥିବା ବେଳେ ଅସହାୟ ଲୋକଙ୍କ ଆଖିରେ ଲୁହ ଦେଖାଦେଇଛି । ହଜାର ହଜାର ୟୁକ୍ରେନବାସୀ ଘର ଛାଡି ଚାଲିଯିବାକୁ ବାଧ୍ୟ ହେଉଛନ୍ତି । ପଶ୍ଚିମ ସୀମାରେ ଥିବା ପଡୋଶୀ ଦେଶକୁ ଆଶ୍ରୟ ନେବାକୁ ଚାଲି ଯାଉଛନ୍ତି । ବିଶେଷ କରି ମହିଳା ଓ କୁନି କୁନି ପିଲାମାନେ ପଳାୟନ କରୁଛନ୍ତି ।ଛୋଟ ପିଲାମାନଙ୍କ ସହିତ କେବଳ ମା ମାନଙ୍କୁ ଦେଶ ଛାଡ଼ିବାକୁ ଅନୁମତି ରହିଛି । ୟୁକ୍ରେନ ସରକାରଙ୍କ ପୁରୁଷ ଲୋକଙ୍କୁ ଦେଶ ଛାଡିବାକୁ ଅନୁମତି ଦିଆଯାଇ ନାହିଁ । ରୁଷରୁ ଆକ୍ରମଣ ପରେ ୟୁକ୍ରେନରୁ ବାହାରକୁ ଯିବା ଅତ୍ୟନ୍ତ କଷ୍ଟଦାୟକ। ଯୁଦ୍ଧର ଭୟ ଯୋଗୁଁ ୟୁକ୍ରେନର ଲୋକମାନେ ଅନ୍ୟ ଦେଶରେ ଶରଣାର୍ଥୀ ହେବାକୁ ବାଧ୍ୟ ହେଉଛନ୍ତି ।