• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନର ଯୁଦ୍ଧ ବିଭୀଷିକା ଭିତରେ ଫୁଟିଲା ପ୍ରେମର ଫୁଲ । ଘନ ଘନ ବୋମା ବିସ୍ପୋରଣ ମଧ୍ୟରେ ଦୁଇ ହୃଦୟର ମିଳନ । ମୃତ୍ୟୁର ଦୂତ ଚାରିଆଡ଼େ ବୁଲୁଥିବା ବେଳେ ଅନୁଷ୍ଠିତ ହୋଇଛି ବିବାହ । ଯୁଦ୍ଧଗ୍ରସ୍ତ ଦେଶରେ ଜୀବନ ପ୍ରତି କ୍ଷଣେ କ୍ଷଣେ ବିପଦ ରହିଥିବା ବେଳେ ୟୁକ୍ରେନରେ ଏପରି ଚିତ୍ର ଦେଖିବାକୁ ମିଳିଛି । ରାଜଧାନୀ କିଭ୍‌ରେ ଏକ ଦମ୍ପତିଙ୍କର ବିବାହ ହେବାର ଭିଡିଓ ଚର୍ଚ୍ଚା ସୃଷ୍ଟି କରୁଛି । ଭାଇରାଲ ଭିଡିଓଟି ଏକ ଡାକ୍ତରଖାନାର ବୋଲି କୁହାଯାଉଛି ।

ଡାକ୍ତରଖାନାରେ ବିବାହ କରିଥିବା ଦମ୍ପତିଙ୍କୁ ବୃତ୍ତିରେ ଡାକ୍ତର । ଯୁଦ୍ଧ ଚାଲିଥିବା ବେଳେ ସେମାନେ ସବୁଦିନ ପାଇଁ ଏକାଠି ହେବାପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟେ ଡାକ୍ତର ହୋଇଥିବା ବେଳେ ତାଙ୍କୁ ୨୪ ଘଣ୍ଟା ହସ୍ପିଟାଲରେ ରହିବାକୁ ପଡ଼ୁଛି । କାନ୍ଦବୋବାଳି ମଧ୍ୟ ହୃଦୟକୁ ଟାଣ କରି ପ୍ରେମକୁ ଅମର କରିଦେଇଛନ୍ତି । ଆଜି ତାଙ୍କର ଜୀବନ ଅଛି, କାଲି ହୁଏତଃ ନଥିବ, କିନ୍ତୁ ପ୍ରେମ ସବୁଦିନ ପାଇଁ ରହିବ । ମିଡିଆ ଆଉଟଲେଟ୍ ନେକ୍ସଟା (Belarusian Media Outlet) ଡାକ୍ତର ଦମ୍ପତିଙ୍କ ବିବାହର ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି । ଏହି ଭିଡିଓରେ ପ୍ରାୟ ଦୁଇ ଲକ୍ଷ ଭ୍ୟୁ ହୋଇଛି ।

ଭାଇରାଲ ଭିଡିଓରେ ଦମ୍ପତି ପରସ୍ପରର ହାତ ଧରିଥିବା ଦେଖିବାକୁ ମିଳୁଛି । ସାମ୍ନାରେ ଛିଡ଼ା ହୋଇଥିବା ବ୍ୟକ୍ତି ରୀତିନୀତି ଅନୁସାରେ ଉଭୟଙ୍କ ବିବାହ କରିଛନ୍ତି । ଜଣେ ମହିଳା ମଧ୍ୟ ଦମ୍ପତିଙ୍କ ପାଖରେ ଛିଡ଼ା ହୋଇଥିବା ନଜର ଆସିଛନ୍ତି । ବିବାହର ସମସ୍ତ ରୀତିନୀତି ଶେଷ ହେବା ପରେ ଦମ୍ପତି ଉଭୟେ ଉଭୟଙ୍କୁ ଆଲିଙ୍ଗନ କରି ଖୁସି ବ୍ୟକ୍ତ କରନ୍ତି । ଏହି ବିବାହ ଯୁଦ୍ଧ ମଧ୍ୟରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।

ତେବେ ୟୁକ୍ରେନରୁ ଏଭଳି ଚିତ୍ର ସାମ୍ନାକୁ ଆସିବା ପ୍ରଥମ ଘଟଣା ନୁହେଁ । ଗତ ସପ୍ତାହରେ କିଭରେ ଆଉ ଏକ ଦମ୍ପତି ବିବାହ କରିଥିଲେ । କିଭ୍‌ରେ ରହୁଥିବା ୨୧ ବର୍ଷିୟ ୟରିନା ଆରେଭା ଏବଂ ସୂୟାତସ୍ଲାବ ବିବାହ କରିଥିଲେ । ବିବାହ ସମୟରେ ଗୋଟିଏପଟେ ଚର୍ଚ୍ଚର ଘଣ୍ଟି ବାଚୁଥିଲା, ଅନ୍ୟପଟେ ଘନ ଘନ ବୋମା ମାଡ଼ ହେଉଥିଲା ।

ସେ ଯାହା ବି ହେଉ ଯୁଦ୍ଧ ମଧ୍ୟରେ ପ୍ରେମ, ଆଶା , ବିଶ୍ୱାସ ବଞ୍ଚିରହିଛି । ହୁଏତ କାଲି କିଛି ବି ହୋଇପାରେ । ହେଲେ ଦୁଃଖ ମଧ୍ୟରେ ପ୍ରେମ ଓ ବିଶ୍ୱାସର ମଞ୍ଜି ବୁଣିବା କମ୍‌ କଷ୍ଟସାଧ୍ୟ କାମ ନୁହେଁ । ମୃତ୍ୟୁକୁ ମୁହେଁ ମୁହେଁ ସାମ୍ନା କରୁଥିବା ଲୋକ ଏକଥା ଜାଣିପାରେ ।