• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆକ୍ରମଣ ପ୍ରତି ଆକ୍ରମଣ ଜଟିଳ ହେବାରେ ଲାଗିଛି ଋଷ-ୟୁକ୍ରେନ ଯୁଦ୍ଧର ସ୍ଥିତି । କିଛି ଦିନ ଧରି ବ୍ୟାକଫୁଟରେ ଥିବା ଋଷିଆ ପୁଣି ଆରମ୍ଭ କରିଛି ପ୍ରଚଣ୍ଡ ଆକ୍ରମଣ । ଏବେ ଟାର୍ଗେଟରେ ରହିଛି ୟୁକ୍ରେନ ରାଜଧାନୀ କିଭ୍ । ସପ୍ତାହେ ହେବ କିଭ୍ ଉପରେ ଘନ ଘନ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ କରୁଛି ମସ୍କୋ । ତେବେ ଆମେରିକୀୟ ଓ ୟୁରୋପୀୟ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୟୁକ୍ରେନ ମଧ୍ୟ ସ୍ଥଳ ବିଶେଷରେ ଜୋରଦାର ପ୍ରତିଆକ୍ରମଣ କରୁଛି । ତେଣେ ଋଷିଆ ଅକ୍ତିଆର କରି ନିଜ ଦେଶରେ ମିଶାଇ ଦେଇଥିବା ଡନବାସ୍ ଅଞ୍ଚଳରେ ଦୁଇ ଦେଶର ସେନା ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି ।

ନ୍ୟୁଜ୍ ଏଜେନ୍ସି ତରଫରୁ କୁହାଯାଇଛି, ୟୁକ୍ରେନ ଯୁଦ୍ଧ ଆରମ୍ଭ ପର ଠାରୁ ଋଷ ବାୟୁସେନାକୁ ବିପୁଳ କ୍ଷତି ସହିବାକୁ ପଡିଛି । ସୁ-୩୪ ଭଳି ୧୭ଟି ଅତ୍ୟାଧୁନିକ ଫାଇଟର ଜେଟ୍ ହରାଇଛି । ମସ୍କୋ କିଛି ଜେଟ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଅଧିକାଂଶକୁ ଖସାଇ ଦେଇଛି ୟୁକ୍ରେନ ସେନା । ତେବେ ଦୁଇ ଦିନ ପୂର୍ବରୁ ଇଂଜିନ ସମସ୍ୟା ଯୋଗୁଁ ଦୁର୍ଘଟଣା ଘଟିବା ପୂର୍ବରୁ ରକ୍ଷା ପାଇଯାଇଥିବା ପାଇଲଟ କହିଛନ୍ତି । ମାତ୍ର ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହେବା ସହ ବହୁଲୋକ ଆହତ ହୋଇଛନ୍ତି ।

ତେଣେ କିଭ୍ ଉପରେ ପ୍ରଚଣ୍ଡ ଆକ୍ରମଣର ବଦଲା ନେଇଥିବା କହିଛି ୟୁକ୍ରେନ । ମାତ୍ର ୧୮ ମିନିଟ୍ ସମୟ ମଧ୍ୟରେ ୟୁକ୍ରେନ୍ ସୈନ୍ୟ ୪ଟି ଋଷୀୟ ଫାଇଟର ହେଲିକପ୍ଟରକୁ ଖସାଇ ଦେଇଥିବା ଦାବି କରିଛନ୍ତି । ସେପଟେ କ୍ରିମିଆକୁ ସଂଯୋଗ କରୁଥିବା କର୍ଚ୍ଚ ବ୍ରିଜ୍ ବିସ୍ଫୋରଣ ନେଇ ଆସିଛି ନୂଆ ତଥ୍ୟ । ଆମେରିକା ଦେଇଥିବା UUV ବା ପାଣି ତଳେ ଚାଲୁଥିବା ମାନବ ବିହୀନ ଯାନକୁ ବ୍ୟବହାର କରି ୟୁକ୍ରେନ ସୈନ୍ୟ ଏହି ଆକ୍ରମଣ କରିଥିବା କୁହାଯାଉଛି ।

ବଡ଼ ଧରଣର ଝଟକା ସତ୍ତ୍ୱେ ଋଷ ରାଷ୍ଟ୍ରପତି ପୁଟିନ୍ ପଛକୁ ହଟିବା ସ୍ଥିତିରେ ନାହାନ୍ତି । ଆଜି ମଧ୍ୟ କିଭରଉତ୍ତରାଞ୍ଚଳରେ ବଡ଼ ଧରଣର ଆକ୍ରମଣ କରିଛି ଋଷ । ଏକ ପାଓ୍ୱାର ଷ୍ଟେସନକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଫଳରେ ସହରର ଅନେକ ଅଂଚଳ ଅନ୍ଧକାରରେ ଡୁବି ଯାଇଥିବା ବେଳେ ଜଳଯୋଗାଣ ବି ଠପ୍ ପଡିଯାଇଛି ।

କିଛି ଦିନ ହେଲା ୟୁକ୍ରେନର ବିଦ୍ୟୁତ୍, ଜଳଯୋଗାଣ ଓ ଟେଲି ଯୋଗାଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଋଷ ଟାର୍ଗେଟ କରୁଥିବା ୟୁକ୍ରେନ ପକ୍ଷରୁ ଅଭିଯୋଗ କରାଯାଇଛି । ଦୁଇ ଦେଶ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଥିବା ବେଳେ ଯୁଦ୍ଧ କିଭଳି ଥମିବ ତାକୁ ନେଇ କାହାରି ପାଖରେ କୌଣସି ଉପାୟ ଥିବା ଭଳି ଜଣାପଡୁନି । ତେଣୁ ଆମାମୀ ଦିନରେ ଋଷିଆ-ୟୁକ୍ରେନ ଯୁଦ୍ଧ ବିଶ୍ୱଯୁଦ୍ଧର ରୂପ ନେବ ନାହିଁ ତ, ତାକୁ ନେଇ ବଢିଛି ଆଶଙ୍କା ।