• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗତ ୯୩ ଦିନ ଧରି ଲାଗି ରହିଥିବା ୟୁକ୍ରେନ୍-ରୁଷିଆ ଯୁଦ୍ଧର ସାଇଡ୍ ଇଫେକ୍ଟ ସାମ୍ନାକୁ ଆସିଛି । ଉତ୍କଟ ଖାଦ୍ୟ ସଂକଟ ମୁହାଁ ହୋଇଛି ସାରା ବିଶ୍ୱ । ବିତ୍ତଶାଳୀ ୟୁରୋପୀୟ ରାଷ୍ଟ୍ର ହୁଅନ୍ତୁ କି ପାକିସ୍ତାନ, ଶ୍ରୀଲଙ୍କା ଭଳି ଗରିବ ରାଷ୍ଟ୍ର । ସବୁଠି ଖାଦ୍ୟ ପାଇଁ ହାହାକାର । କାରଣ ବିଶ୍ୱର ଦୁଇ ପ୍ରମୁଖ ଗହମ ରପ୍ତାନୀକାରୀ ରାଷ୍ଟ୍ର ଋଷିଆ ଓ ୟୁକ୍ରେନରୁ ଆସିପାରୁନି ଗହମ । ଯୁକ୍ରେନ ଓ ଋଷିଆର ଶସ୍ୟାଗାର ଗହମରେ ଭର୍ତ୍ତି ହୋଇ ରହିଛି । କେବଳ ୟୁକ୍ରେନ ନିକଟରେ ୨୦ ମିଲିୟନ ଟନ୍ ଗହମ ରହିଛି । ସେହିପରି ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମିରେ ବି ଠିଆ ହୋଇଛି ପାଚିଲା ଗହମ ।

ତେବେ ଋଷିଆ କୃଷ୍ଣ ସାଗର ସ୍ଥିତ ୟୁକ୍ରେନର ବନ୍ଦରକୁ କବ୍‌ଜା କରି ରଖିଛି । ଫଳରେ ୟୁକ୍ରେନ ଗହମ ରତ୍ପାନୀ କରିପାରୁନି । ତେଣେ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଋଷିଆ ବିରୁଦ୍ଧରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି । ଆମେରିକା ଓ ୟୁରୋପୀୟ ଦେଶ ଫଳରେ ଋଷରୁ ଗହମ ରପ୍ତାନୀ ହ୍ରାସ ପାଇଛି । ଏହାକୁ ନେଇ ଏହି ଦୁଇ ଦେଶ ଉପରେ ନିର୍ଭର କରୁଥିବା ରାଷ୍ଟ୍ରରେ ଅଟା ଓ ଅନ୍ୟାନ୍ୟ ଗହମଜାତ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି ।

ଋଷିଆ ବିଶ୍ୱକୁ ୧୩ ପ୍ରତିଶତ ଗହମ ଯୋଗାଉଥିବା ବେଳେ ୟୁକ୍ରେନର ଭାଗ ହେଉଛି ୯ ପ୍ରତିଶତ । ୟୁରୋପୀୟ ଦେଶଙ୍କ ସମେତ କାତାର, ଲେବାନନ୍, ଟ୍ୟୁନିସିଆ, ଲିବ୍ୟା, ଇଣ୍ଡୋନେସିଆ, ମାଲେସିଆ, ପାକିସ୍ତାନ, ବାଂଲାଦେଶ, ଇଜିପ୍ଟ ଭଳି ଏସୀୟ ଓ ଆଫ୍ରିକୀୟ ଦେଶ ୟୁକ୍ରେନ ଗହମ ଉପରେ ବିଶେଷ ଭାବେ ନିର୍ଭରଶୀଳ । ଅତି ଗରୀବ ରାଷ୍ଟ୍ରଙ୍କୁ ଖାଦ୍ୟ ଯୋଗାଣ କରୁଥିବା ଜାତିସଂଘ ଓ୍ୱାଲ୍ଡ ଫୁଡ୍ ପ୍ରୋଗ୍ରାମ ଏହାର ଆବଶ୍ୟକତାର ୪୦ ପ୍ରତିଶତ ଗହମ ୟୁକ୍ରେନରୁ ନିଏ । ତେବେ ୟୁକ୍ରେନ ବନ୍ଦର ବନ୍ଦ ରହିବା ଯୋଗୁଁ ଇଥିଓପିଆ ଓ ସୋମାଲିଆ ଭଳି ଦେଶରେ ଲୋକେ ଭୋକରେ ମରିବା ଆଶଙ୍କା ବଢିଯାଇଛି ।

କେବଳ ଋଷିଆ ୟୁକ୍ରେନ ଯୁଦ୍ଧ ନୁହେଁ ଜଳବାୟୁ ପରିବର୍ତ୍ତନ ଓ ଆର୍ଥିକ ସଂକଟକୁ ନେଇ ଯୁଦ୍ଧ ପୂର୍ବରୁ ବି ଅନେକ ରାଷ୍ଟ୍ର ଉତ୍କଟ ଖାଦ୍ୟଭାବ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ମରୁଡି କାରଣରୁ କାନାଡାରେ ଗହମ ଓ ତୈଳବୀଜ ଏବଂ ଦକ୍ଷିଣ ଆମେରିକୀୟ ଦେଶରେ ସୋୟାବିନ୍ ଉତ୍ପାଦନ ହ୍ରାସ ପାଇଛି । ଏଣେ କୋଭିଡ୍ ଯୋଗୁଁ ଇଣ୍ଡୋନେସିଆ ଓ ମ୍ୟାଲେସିଆରେ ପାମ୍ ଅଏଲ ଉତ୍ପାଦନ ଅତି ମାତ୍ରାରେ ହ୍ରାସ ପାଇଛି । ପ୍ରବଳ ଖରା କାରଣରୁ ଭାରତରେ ଗହମ ଉତ୍ପାଦନ କମିଛି, ଯାହାକୁ ନେଇ କେନ୍ଦ୍ର ସରକାର ରପ୍ତାନୀ ଉପରେ କଟକଣା ଲଗାଇବାକୁ ବାଧ୍ୟ ହୋଇଛନ୍ତି । ଏଣେ ଆର୍ଥିକ ସଂକଟକୁ ନେଇ ଶ୍ରୀଲଙ୍କା ଓ ପାକିସ୍ତାନ ଖାଦ୍ୟଶସ୍ୟ ଉତ୍ପାଦନ କରିପାରୁନାହାନ୍ତି । ଫଳରେ ବିଶ୍ୱବ୍ୟାପୀ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆ ହୋଇଛି ।

ପଶ୍ଚିମ ଦେଶ ଆର୍ଥିକ କଟକଣା ପ୍ରତ୍ୟାହାର କଲେ ଋଷିଆ ବିଶ୍ୱ ଖାଦ୍ୟ ସଂକଟ ଦୂର ଲାଗି ସହଯୋଗ କରିବ ବୋଲି ଇଟାଲୀ ପ୍ରଧାନମନ୍ତ୍ରୀ ମ୍ୟାରିଓ ଦ୍ରାଘୀଙ୍କ ସହ ଫୋନ୍‌ରେ କଥାହେବା ବେଳେ କହିଛନ୍ତି ଭ୍ଲାଦିମିର ପୁତିନ୍ । ତେବେ ଆମେରିକା ଓ ଏହାର ସହଯୋଗୀ ଏହାକୁ ଗ୍ରହଣ କରୁଛନ୍ତି ନା ନାହିଁ ତାହା ଦେଖିବା କଥା ।