• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି କିମ୍ବା ଆସନ୍ତାକାଲି ତୁର୍କୀରେ ପୁଣି ହେବ ଋଷ-ୟୁକ୍ରେନ ଶାନ୍ତି ଆଲୋଚନା । ଯୁଦ୍ଧ ତୁରନ୍ତ ବନ୍ଦ ହେବା ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି ବ୍ୟଗ୍ର ଥିବାବେଳେ ୟୁକ୍ରେନ ସହରଗୁଡିକୁ ଆଉ ଅଧିକ କ୍ଷତିଗ୍ରସ୍ତ ନହେଉ, ଏହା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି । ତେଣୁ ଶାନ୍ତି ବୈଠକ ପୂର୍ବରୁ ଆଭିମୁଖ୍ୟ ନରମ କରିଛନ୍ତି ଜେଲେନ୍‌ସ୍କି ।

ନାଟୋରେ ଯୋଗ ନଦେଇ ୟୁକ୍ରେନ ନିରପେକ୍ଷ ରହିବା ଓ ସ୍ୱାଧୀନତା ଘୋଷଣା କରିଥିବା ଡୋନବାସ ଅଞ୍ଚଳ ପ୍ରସଙ୍ଗରେ ବି ବୁଝାମଣା ଲାଗି ପ୍ରସ୍ତୁତ ଥିବା ନେଇ ବି ସେ ଇଙ୍ଗିତ କରିଛନ୍ତି । ତେବେ ୟୁକ୍ରେନର ସର୍ବଭୈାମତ୍ୱ ଓ ଅଖଣ୍ଡତାରେ ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ୟୁକ୍ରେନ ବିରୁଦ୍ଧରେ ପୁଟିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନ ୩୩ ଦିନରେ ପହଞ୍ଚି ଥିବା ବେଳେ ବିଭିନ୍ନ ସହର ଉପରେ ଋଷ ସେନାର କ୍ଷେପଣାସ୍ତ୍ର ଓ ରକେଟ୍ ମାଡ଼ ଜାରି ରହିଛି ।

ସେହିପରି ପୂର୍ବ ଓ ଉତ୍ତରପଶ୍ଚିମ ଦିଗରୁ କିଭ୍ ଉପରେ ଆକ୍ରମଣ ଲାଗି ଋଷ ସୈନ ପ୍ରସ୍ତୁତ ହେଉଥିବା ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି । ଋଷିଆ ଓ ୟୁକ୍ରେନ୍‌ ଯୁଦ୍ଧକୁ ବର୍ତ୍ତମାନ ଏକମାସରୁ ଅଧିକ ହୋଇଯାଇଛି, ତଥାପି ଥମୁନି ଆକ୍ରମଣ । ଋଷିଆର ଘନଘନ ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସସ୍ତୁପରେ ପରିଣତ ହୋଇସାରିଛି। ଶହ ଶହ ସାଧାରଣ ନାଗରିକଙ୍କ ସମତେ କୁନି କୁନି ପିଲା ଯୁଦ୍ଧର ଶିକାର ହେଉଛନ୍ତି ।

ୟୁକ୍ରେନର ଲୋକପାଳ ସୂଚନା ଅନୁସାରେ ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ପୂର୍ଣ୍ଣକାଳୀନ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ୧୪୩ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧୬ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ପ୍ରକୃତ ସଂଖ୍ୟା ବହୁତ ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି । କାରଣ ତୀବ୍ର ସଂଘର୍ଷ ଯୋଗୁଁ ୟୁକ୍ରେନ ଅଧିକାରୀମାନେ ଅନେକ ସହରରେ ପହଞ୍ଚିପାରୁ ନାହାନ୍ତି ।