• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ୟୁକ୍ରେନ ଆକାଶରେ ବିଜୁଳି ଗର୍ଜୁନି, ଗର୍ଜୁଛି ଲଢ଼ୁଆ ବିମାନ, ଗୁଳି ଗୋଳା ଓ ମିଜାଇଲ୍ ରାସ୍ତାରେ ଗାଡ଼ି ଚାଲୁନି, ଚାଲିଛି ମୁହାଁମୁହିଁ ଗନ୍‌ଫାଇଟ୍ । ପୁଟିନଙ୍କ ସଦ୍ୟ ନିର୍ଦ୍ଦେଶ ପରେ ଋଷୀୟ ସେନା ଚତୁର୍ଥ ଦିନରେ ଆକ୍ରମଣକୁ ଜୋରଦାର କରିଥିବା ବେଳେ, ୟୁକ୍ରେନ ଆର୍ମି ବି ଦେଉଛି କଡ଼ା ଟକ୍କର୍ । ଋଷ କିଛି ଘଣ୍ଟା ଭିତରେ ରାଜଧାନୀ କିଭ୍ ଦଖଲ କରିବ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ସମ୍ଭବ ହୋଇନି । ହେଲେ ଦେଶର ଦ୍ୱିତୀୟ ପ୍ରମୁଖ ସହର ଖାର୍କିଭ୍ ଅକ୍ତିଆର କରିଛି ଋଷ । ବେଲାରୁସରେ ଶାନ୍ତି ଆଲୋଚନା ପ୍ରସ୍ତାବ ଏବେବି ଅନିଶ୍ଚିତତା ଘେରରେ ଥିବା ବେଳେ, ଏଣେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍‌ରେ ଋଷ ବିରୋଧରେ ଅପିଲ୍ କରିଛି ୟୁକ୍ରେନ୍ । ଏଣେ ୟୁକ୍ରେନ୍‌ରେ ପୂର୍ବ ପଟୁ ଯୁଦ୍ଧ ଯେତେ ଆଗକୁ ବଢ଼ୁଛି, ପଶ୍ଚିମ ପଟେ ସେତେ ବଢ଼ିବାରେ ଲାଗିଛି ସମୂହ ପଳାୟନ ।

ଗୋଟିଏ ହାତରେ କଣ୍ଢେଇ, ଆର ହାତରେ କମଳା ରଙ୍ଗର କୁନି ଟ୍ରଲି ବ୍ୟାଗ୍ କଅଁଳ ହାତରେ ସେ ବା ଆଉ କେତେ ଓଜନ ବୋହିପାରିବ? ୟୁକ୍ରେନ୍ ଛାଡ଼ି ପରିବାର ସହ ରୋମାନିଆ ପଳାଇଆସିଥିବା ଏଇ ଟିକି ଝିଅଟି ପୁଣି କେବେ ଘରକୁ ଫେରିବ ଜାଣିନି । ତେଣୁ ସାଥିରେ ଆଣିବାକୁ ଭୁଲିନି ନିଜର ଏଇ ପ୍ରିୟ ଜିନିଷ ଦୁଇଟିକୁ । ଅହରହ ଗୁଳି ଗୋଳାର ଗର୍ଜନ ଭିତରେ ଡରି ଡରି ବଞ୍ଚିବା ଅପେକ୍ଷା, ଦେଶ ଛାଡ଼ିବାକୁ ଉଚିତ ମଣିଛନ୍ତି ଏଇ ଟିକି ଝିଅର ପରିବାର ଭଳି ପ୍ରାୟ ଦେଢ଼ ଲକ୍ଷ ୟୁକ୍ରେନ୍ ନାଗରିକ ।

ପଶ୍ଚିମରେ ପୋଲାଣ୍ଡ୍, ସ୍ଲେଭାକିଆ, ହଙ୍ଗେରି ଓ ରୋମାନିଆ ଆଦି ପଡ଼ୋଶୀ ଦେଶ ବି ୟୁକ୍ରେନୀୟ ଶରଣାର୍ଥୀଙ୍କ ପାଇଁ ନିଜ ସୀମା ଫାଟକ ଉନ୍ମୁକ୍ତ କରିଦେଇଛନ୍ତି । ବର୍ଡର୍ ଚେକ୍‌ ପୋଷ୍ଟରେ ମାଇଲ୍ ମାଇଲ୍ ବାଟ ଗାଡ଼ି ଲମ୍ବିଥିବା ବେଳେ, ସେସବୁକୁ ଛାଡ଼ି ଲୋକେ ଅନ୍ୟ ଦେଶକୁ ଯାଉଛନ୍ତି । ଅନ୍ୟ ଦେଶରେ ଶରଣାର୍ଥି ଭାବେ ସେମାନଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ସନ୍ଦିହାନ ଥିଲେ ବି, ଯୁଦ୍ଧ ବିଭୀଷିକା ଭିତରୁ ବାହାରି ସମସ୍ତଙ୍କ ମୁହଁରେ ଆଶ୍ୱସ୍ତିର ଝଲକ ଦେଖିବାକୁ ମିଳିଛି ।

ତେଣେ ସବୁ ଆଡ଼ୁ ଆକ୍ରମଣ ବଢ଼ାଇବାକୁ ପୁଟିନଙ୍କ ନିର୍ଦ୍ଦେଶ ଦେବା ପରେ, ଯୁଦ୍ଧ ଆହୁରି ଘମାଘୋଟ ହୋଇଛି । ଋଷୀୟ ସେନା ଅକ୍ତିଆରକୁ ଆସିଛି ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାର୍କିଭ୍ । ସେଠାରେ ତୈଳ ଡିପୋ ଓ ଗ୍ୟାସ୍ ପାଇପ୍‌ଲାଇନ ଆଦି ମିଜାଇଲ୍ ମାଡ଼ କରି ଉଡ଼ାଇଦେଇଛି ଋଷ । ତେବେ ରାଜଧାନୀ କିଭ୍ ଦଖଲ କରିବା ଏତେ ସହଜ ହେଉନି । ଆଶାତୀତ ପ୍ରତିରୋଧର ସାମ୍ନା କରିବାକୁ ପଡ଼ୁଛି ଋଷୀୟ ସେନାକୁ ।

ୟୁକ୍ରେନ୍ ଆର୍ମି ସହ ଅନେକ ସ୍ଥାନରେ ମୁହାଁମୁହିଁ ଲଢ଼େଇ ଜାରି ରହିଛି । ବହୁ ଋଷୀୟ ଯୁଦ୍ଧ ବାହନ ଗୁଡ଼ିକ ତେଲ ସରିଯିବା କାରଣରୁ ଅଧାବାଟରେ ଅଟକି ରହିଥିବା ବେଳେ, ବେଶ୍ କିଛି ୟୁକ୍ରେନୀୟ ଆକ୍ରମଣର ବି ଶିକାର ହୋଇଛନ୍ତି । ଫ୍ରାନ୍ସ, ଜର୍ମାନୀ ଓ ୟୁରୋପୀୟ ସଂଘ ରାଷ୍ଟ୍ରମାନେ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଯୋଗାଇଦେବାକୁ ଘୋଷଣା କରିବା ପରେ ୟୁକ୍ରେନର ଦମ୍ଭ ଆହୁରି ବଢ଼ିଛି । ୪ ଦିନ ଯୁଦ୍ଧରେ ଋଷର ୪ ହଜାର ୩ଶହ ସୈନ୍ୟ ପ୍ରାଣ ହରାଇଥିବା ବେଳେ, ଜାତିସଂଘ ଦର୍ଶାଇଛି ୟୁକ୍ରେନର ୬୪ ଜଣ ସାଧାରଣ ନାଗରିକଙ୍କ ଜୀବନ ଗଲାଣି, ୨୪୦ ଆହତ ହେଲେଣି ।

ଯୁଦ୍ଧ ବଢ଼ିବା ସହ ୟୁକ୍ରେନ-ଋଷ ଆଲୋଚନାର ଆଶା ବି ମଉଳିବାରେ ଲାଗିଛି । ବିବାଦର ସମାଧାନ ପାଇଁ ଋଷୀୟ ପ୍ରତିନିଧି ଦଳ ବେଲାରୁସର ହୋମେଲ୍ ସହରରେ ପହଞ୍ଚି ସାରିଥିବା କ୍ରେମ୍‌ଲିନ୍ ପକ୍ଷରୁ କୁହାଯାଇଛି । ତେବେ ୟୁକ୍ରେନ୍ ରାଷ୍ଟ୍ରପତି ଏହି ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି । ବେଲାରୁସ୍ ଆଡ଼ୁ ମଧ୍ୟ ୟୁକ୍ରେନ୍ ଉପରେ ଆକ୍ରମଣ ହୋଇଥିବାରୁ ସେଠାରେ ସମାଧାନ ପାଇଁ ବୈଠକ ନହୋଇ ଅନ୍ୟ କୌଣସି ସ୍ଥାନରେ ହେଲେ ଆମେ ସ୍ୱାଗତ କରିବୁ ବୋଲି ୟୁକ୍ରେନ କହିଛି ।

ପୋଲାଣ୍ଡ୍, ସ୍ଲୋଭାକିଆ, ହଙ୍ଗେରି, ତୁର୍କୀ କିମ୍ବା ଆଜରବାଇଜାନ୍ ରାଜଧାନୀରେ ଏହି ବୈଠକ ହେଉ ବୋଲି ରାଷ୍ଟ୍ରପତି ଜେଲେନ୍ସିଙ୍କ ପ୍ରସ୍ତାବ ଦେଇଛନ୍ତି । ଏଥିସହ ଜାତିସଂଘ ସୁରକ୍ଷା ପରିଷଦରୁ ଋଷକୁ ବହିଷ୍କାର କରିବା ପାଇଁ ସେ ଦାବି କରିଛନ୍ତି । ଆସନ୍ତାକାଲି ପୁଣି ୟୁକ୍ରେନ ପ୍ରସଙ୍ଗରେ ୟୁଏନ୍ଏସ୍‌ସି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ୟୁକ୍ରେନ ସମର୍ଥନରେ ଫିନ୍ଲ୍ୟାଣ୍ଡ୍, ଡେନ୍‌ମାର୍କ, ବେଲଜିୟମ, ଫିନ୍‌ଲାଣ୍ଡ୍ ଆଦି ଦେଶ ନିଜ ଆକାଶରେ ଋଷୀୟ ବିମାନ ଉଡ଼ିବା ଉପରେ ନିଷେଧାଦେଶ ଜାରି କରିଥିବା ବେଳେ, ୟୁଟ୍ୟୁବ୍, ଫେସବୁକ ଓ ଟୁଇଟର୍ ଋଷୀୟ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଭିତରେ ୟୁକ୍ରେନକୁ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ଷ୍ଟାର୍ଲିଙ୍କ୍ ସାଟେଲାଇଟ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ସକ୍ରିୟ କରିଛନ୍ତି ସ୍ପେଶ୍ ଏକ୍ସ ସିଇଓ ଇଲନ୍ ମସ୍କ୍ ।