• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୧୮ ଦିନରେ ଋଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି ଧ୍ୱଂସର ତାଣ୍ଡବ । ଲିଭିଭ୍ ଅଞ୍ଚଳର ଏକ ମିଲିଟାରୀ ବେସ୍ ଉପରେ ଘନଘନ ରୁଷୀୟ ଏୟାର୍ଷ୍ଟ୍ରାଇକ୍ ଯୋଗୁଁ ୩୫ ଜଣଙ୍କ ଜୀବନ ଯାଇଛି । ରୁଷ୍ ସେନା ୟୁକ୍ରେନ୍‌ର ବିଭିନ୍ନ ସହରରେ ଗୁଳିଗୋଳା ବର୍ଷଣ ଜାରି ରଖିଥିବା ବେଳେ, କିଭ୍‌କୁ ୩ ପଟୁ ଘେରି ସାରିଛି । ତଥାପି ବି ଦମ୍ଭ ହାରିନାହାନ୍ତି ରାଷ୍ଟ୍ରପତି ଜେଲେନ୍‌ସ୍କି । ଏଥିସହ ସେ ରୁଷ୍ ରାଷ୍ଟ୍ରପତି ପୁତିନଙ୍କୁ ଇସ୍ରାଏଲ୍‌ରେ ଭେଟିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏପଟେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଉଚ୍ଚସ୍ତରୀୟ ବୈଠକରେ ୟୁକ୍ରେନ୍ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

କିଭ୍ ପାଇଁ କର ବା ମର ସ୍ଥିତି । ଉତ୍ତର, ପଶ୍ଚିମ ଓ ଉତ୍ତରପୂର୍ବ ଦିଗରୁ ଘେରି, ୟୁକ୍ରେନ୍ ରାଜଧାନୀର ଆହୁରି ନିକଟତର ହୋଇଛି ଋଷୀୟ ସେନା । ଆଉ କେବଳ ପୂର୍ବ ପଟୁ ଦଖଲ କରିବା ବାକି ରହିଲା । ଏଭଳି ସ୍ଥିତିରେ ଆମେ ଅବିଶ୍ରାନ୍ତ ଲଢ଼େଇ ପାଇଁ ପ୍ରସ୍ତୁତ ବୋଲି ଚେତାଇ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କି । ସେ କହିଛନ୍ତି ଯେ, ଆମ ସମସ୍ତଙ୍କୁ ମାରିବା ପରେ ହିଁ ସେମାନେ କିଭ୍‌ରେ ପଶିପାରିବେ ।

ୟୁକ୍ରେନ୍‌ର ବିଭିନ୍ନ ସହରରୁ ଗତକାଲି ୧୩ ହଜାର ସାଧାରଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, କିଭ୍ ନିକଟରେ ସୁରକ୍ଷିତ ସ୍ଥାନକୁ ପଳାଉଥିବା ମହିଳା ଓ ଶିଶୁଙ୍କ ଉପରକୁ ଋଷ ସେନା ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ଶିଶୁ ସମେତ ୭ଜଣଙ୍କର ଜୀବନ ଯାଇଛି । କିଭ୍ ଉପକଣ୍ଠରେ ଜଣେ ୩୧ ବର୍ଷୀୟା ୟୁକ୍ରେନୀୟ ମହିଳା ଅସୁସ୍ଥ ମାଆ ପାଇଁ ଔଷଧ ଆଣିବାକୁ ଯିବା ବେଳେ, ଋଷୀୟ ସେନା ତାଙ୍କୁ ଗୁଳି କରି ମାରିଦେଇଥିବା ଅଭିଯୋଗ ହୋଇଛି ।

ସେପଟେ ଲିଭିଭ୍ ଅଞ୍ଚଳର ଏକ ମିଲିଟାରୀ ବେସ୍ ଉପରେ ୮ଥର ଋଷୀୟ ଏୟାର୍ଷ୍ଟ୍ରାଇକ୍ ହେବା ଫଳରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି । ୟୁକ୍ରେନ୍ ପ୍ରାୟ ୧୨ ହଜାର ଋଷୀୟ ସେନାକୁ ମାରିଥିବା ଜେଲେନ୍‌ସ୍କି ଦାବି କରିଆସୁଥିବା ବେଳେ, ଆଜି ପ୍ରଥମ ଥର ପାଇଁ ନିଜ ଦେଶର ସୈନ୍ୟ ମୃତ୍ୟୁ ସଂଖ୍ୟା ୧୩ଶହ ବୋଲି ସାର୍ବଜନୀନ କରିଛନ୍ତି ।

କେବଳ ସାଧାରଣ ଲୋକଙ୍କୁ ଆକ୍ରମଣ ନୁହେଁ, ଋଷ ସେନା ଦୁଇ ଦୁଇ ଜଣ ୟୁକ୍ରେନୀୟ ମେୟରଙ୍କୁ ଅପହରଣ କରିଥିବା କିଭ୍ ଅଭିଯୋଗ କରିଛି। ମେଲିଟୋପୋଲ ମେୟରଙ୍କୁ ଅପହରଣ କରାଯାଇଥିବା ନିଜେ ଜେଲେନ୍‌ସ୍କି କହିଛନ୍ତି ଏବଂ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଫ୍ରାନ୍ସ ଓ ଜର୍ମାନୀର ସହାୟତା ଲୋଡ଼ିଛନ୍ତି । ସେହିପରି ନିପ୍ରୋରଡନେ ମେୟରଙ୍କୁ ମଧ୍ୟ ଋଷୀୟ ସେନା ଅପହରଣ କରିଥିବା ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେଣେ ବେଲାରୁଷ ଓ ତୁର୍କୀରେ ଋଷ ଓ ୟୁକ୍ରେନ୍‌ର ଏକାଧିକ ବୈଠକ ବିଫଳ ହେବା ପରେ, ଇସ୍ରାଏଲ୍‌ରେ ସିଧାସଳଖ ପୁଟିନଙ୍କୁ ଭେଟିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଜେଲେନ୍‌ସ୍କି । ଋଷ ଯୁଦ୍ଧ ବିରତି ଘୋଷଣା କଲେ ହିଁ, ସେ ଜେରୁସେଲମ୍‌ରେ ପୁଟିନଙ୍କୁ ଭେଟିବାକୁ ପ୍ରସ୍ତୁତ ଥିବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନାଫ୍ତାଲି ବେନେଟ୍‌ଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଏପଟେ ନୂଆଦିଲ୍ଲୀରେ ଅନୁଷ୍ଠିତ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ, ଦେଶର ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିବା ସହ ୟୁକ୍ରେନ୍ ଯୁଦ୍ଧସ୍ଥିତି ଓ ଅପରେସନ୍ ଗଙ୍ଗା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ଖାର୍କିଭ୍‌ରେ ପ୍ରାଣ ହରାଇଥିବା କର୍ଣ୍ଣାଟକର ଛାତ୍ର ନବୀନ ଶେଖରପ୍ପାଙ୍କ ଦେହାବଶେଷକୁ ଭାରତ ଆଣିବା ଲାଗି ଯଥାସମ୍ଭବ ଉଦ୍ୟମ କରିବାକୁ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ଏବେ ପାଇଁ ଅସ୍ଥାୟୀ ଭାବେ ପୋଲାଣ୍ତକୁ ସ୍ଥାନାନ୍ତର କରାଯାଇଛି ।