• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଟି କୋଟି ହିନ୍ଦୁଙ୍କ ଧର୍ମୀୟ ଭାବନା ଓ ଆସ୍ଥା ପ୍ରତି କୁଠାରାଘାତ । ମା’ କାଳୀ (Maa Kali) ଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ କଲା ୟୁକ୍ରେନ୍‌ (Ukraine) ପ୍ରତିରକ୍ଷା ମନ୍ତ୍ରଣାଳୟ । ଲାଗୁଛି ରୁଷ ସହ ବର୍ଷାଧିକ କାଳ ଯୁଦ୍ଧ କରି କରି ବାଉଳା ହୋଇଗଲାଣି ଯୁଦ୍ଧଗ୍ରସ୍ତ ଦେଶ । ଶହ ଶହ ସୈନିକଙ୍କୁ ହରାଇବା ପରେ ମଧ୍ୟ ଅହଙ୍କାର ଭାଙ୍ଗିନାହିଁ । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଫଟୋ ଟୁଇଟ୍ କରାଯାଇଛି, ଯାହା ଦେଖି ଭାରତୀୟ ହିନ୍ଦୁ ୟୁଜରମାନେ ରକ୍ତ ଚାଉଳ ଚୋବାଉଛନ୍ତି । ଚାରିଆଡ଼ୁ ବିରୋଧର ସ୍ୱର ତୀବ୍ର ହେବାପରେ ମା କାଳୀଙ୍କ ସେହି ଫଟୋକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ହଟାଇ ଦିଆଯାଇଛି । ଭାରତର ଟ୍ୱିଟର ୟୁଜରମାନେ ଏହାକୁ ଅପମାନଜନକ ଏବଂ 'ହିନ୍ଦୁଫୋବିକ୍' ବୋଲି କହୁଛନ୍ତି । ଏଥିସହ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । 

୩୦ ଏପ୍ରିଲରେ ହୋଇଥିଲା ଟ୍ୱିଟ୍

ଏପ୍ରିଲ୍ ୩୦ରେ ୟୁକ୍ରେନ୍‌ର ରକ୍ଷା ମନ୍ତ୍ରାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ @DefenceU ପକ୍ଷରୁ ଏକ ଟ୍ୱିଟ୍ କରାଯାଇଥିଲା । ମା’ କାଳୀଙ୍କ ଫଟୋକୁ କଦର୍ଥ କରି ସେୟାର ହୋଇଥିଲା । କ୍ୟାପସନ୍‌ରେ ଲେଖା ଥିଲା 'ୱାର୍କ ଅଫ୍ ଆର୍ଟ' । ଫଟୋରେ ମା କାଳୀ ହଲିଉଡ ଅଭିନେତ୍ରୀ ମର୍ଲିନ୍ ମନରୋ (Hollywood Actress Marilyn Monroe) ଙ୍କ ପୋଜ୍‌ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ମର୍ଲିନ୍ ମନରୋ ପରି ଫଟୋରେ ମା’ କାଳୀଙ୍କ ଚେହେରା ମଧ୍ୟ ଧୂଆଁମୟ ଦେଖାଯାଉଥିଲା । ତାଙ୍କ ଜିଭ ବାହାରିଥିବା ବେଳେ ତାଙ୍କ ବେକରେ ଖପୁରୀର ଏକ ମାଳା ପଡ଼ିଥିଲା । ଏହି ଫଟୋ ହିନ୍ଦୁମାନଙ୍କୁ କ୍ରୋଧିତ କରିଛି । ଏହି କାରଣରୁ ୟୁକ୍ରେନ, ଭାରତ ପକ୍ଷରୁ କୌଣସି ପ୍ରକାରର ସମର୍ଥନ ପାଇପାରୁ ନାହିଁ ବୋଲି ସେମାନେ ମତ ଦେଇଛନ୍ତି ।

ୟୁଜର୍‌ କହିଲେ, ବହୁତ ଘୃଣ୍ୟ କାମ. .

ଜଣେ ୟୁଜର ଲେଖିଛନ୍ତି, ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ପୋଷ୍ଟ ପାଇଁ ମୁଁ ଗଭୀର ଭାବରେ ମର୍ମାହତ । ହିନ୍ଦୁମାନଙ୍କ ପାଇଁ ମା’ କଳୀ ପୂଜନୀୟ, ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ । ହେଲେ ଏପରି ପୋଷ୍ଟ କରି ସମ୍ବେଦନହୀନତା ଏବଂ ଅଜ୍ଞତାର ପ୍ରଦର୍ଶନ କରିଛି ୟୁକ୍ରେନ୍‌। ସେ ଏପରି ଆପତ୍ତିଜନକ ବିଷୟବସ୍ତୁ ହଟାଇବା ସହ କ୍ଷମା ମାଗିବା ଆବଶ୍ୟକ । ସମସ୍ତ ଧର୍ମ ଏବଂ ବିଶ୍ୱାସ ପ୍ରତି ସମ୍ମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ଜଣେ ୟୁଜର୍‌ ଲେଖିଛନ୍ତି, 'ଏହିପରି କାର୍ଟୁନ୍ ତିଆରି କରି ଆମର ବିଶ୍ୱାସକୁ ଅପମାନିତ କରିଥିବା ଦେଶକୁ ଲାଜ ଲାଗିବା ଦରକାର . . ମା କାଳୀ ବିନାଶର ପ୍ରତୀକ । ଜଣାପଡୁଛି ୟୁକ୍ରେନ ନିଜ ବିନାଶକୁ ନିଜେ ଡାକିଆଣୁଛି ।

ୟୁକ୍ରେନ ପକ୍ଷରୁ ହୋଇଥିବା ଏହି ଲଜ୍ଜାଜନକ କାମ ପରେ ଭାରତୀୟ ୟୁଜରମାନେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଟ୍ୱିଟର ସିଇଓ ଏଲନ୍‌ ମସ୍କଙ୍କୁ ଟ୍ୟାଗ୍‌ କରି ଟ୍ୱିଟ୍‌ କରିଛନ୍ତି । କେବଳ ଏତିକି ନୁହେଁ ୟୁକ୍ରେନ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି । ଅନ୍ୟପଟେ ଚାରିଆଡ଼େ ବିରୋଧ ହେବାରୁ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଫଟୋ ଏବଂ ଟ୍ୱିଟକୁ ଡିଲିଟ୍‌ କରିଦେଇଛି । ହେଲେ ସେତେବେଳକୁ ଏହାର ସ୍କ୍ରିନ ସଟ ଭାଇରାଲ ହୋଇସାରିଥିଲା ।