Advertisment

ଆହୁରି ଜଟିଳ ୟୁକ୍ରେନ-ଋଷ ବିବାଦ : ପ୍ରସଙ୍ଗକୁ ନେଇ ୟୁଏନରେ ସରଗରମ ଆଲୋଚନା

ୟୁକ୍ରେନ ପ୍ରସଙ୍ଗକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଉଦବେଗ ପ୍ରକାଶ କରିଛି ଭାରତ। ଆମେରିକା, ୟୁରୋପୀୟ ସଂଘ ଏବଂ ଋଷିଆ ମୁହାଁମୁହିଁ ଛିଡ଼ା ହେବା ଆଦୌ ଶୁଭ ସୂଚନା ନୁହେଁ ବୋଲି ଭାରତ କହିଛି।

author-image
Prangyan Parimita
ଅଦ୍ୟତନ ହୋଇଛି
Russia-Ukraine crisis

Russia-Ukraine crisis

ଆହୁରି ଘନେଇଲା ୟୁକ୍ରେନ ବିବାଦ । ଆମେରିକା ଓ ଏହାର ସହଯୋଗୀଙ୍କୁ ଚେକମେଟ୍ ଦେବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୂଆ ଷ୍ଟ୍ରାଟେଜି । ଆମେରିକା ଓ ୟୁରୋପୀୟ ସଂଘର ଚ୍ୟାଲେଞ୍ଜକୁ ମୁକାବିଲା ଲାଗି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୂଆ ଷ୍ଟ୍ରାଟେଜି । ଋଷିଆକୁ ସମର୍ଥନ କରୁଥିବା ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶ ଡନଷ୍ଟେକ୍ ପିପୁଲ୍ସ ରିପବ୍ଲିକ୍ ଓ ଲୁଇନସ୍କି ପିପୁଲ୍ସ ରିପବ୍ଳିକ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି ପୁତିନ । ଏଥିସହିତ ଏମାନଙ୍କ ସହ ଦ୍ୱିପାକ୍ଷିକ ମିତ୍ରତା ଚୁକ୍ତି ସ୍ୱାକ୍ଷର କରିଛନ୍ତି ।

Advertisment

ଏହି ଦୁଇ ବିଦ୍ରୋହୀ ପ୍ରଦେଶଙ୍କୁ ମାନ୍ୟତା ନଦେବା ଲାଗି ୟୁରୋପୀୟ ସଂଘ ପକ୍ଷରୁ ବାରମ୍ବାର ଚେତାବନୀ ସତ୍ତ୍ୱେ, ଋଷ ରାଷ୍ଟ୍ରପତି ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ତାସହିତ ଏହି ଦୁଇ ପ୍ରଦେଶକୁ ଋଷ ସେନା ବି ପ୍ରେରଣ କରିଛନ୍ତି । ଶାନ୍ତି ରକ୍ଷା ଉଦ୍ଦେଶ୍ୟରେ ସେନା ମୁତୟନ କରାଯାଇଥିବା ଦେଶବାସୀଙ୍କୁ ଟେଲିଭିଜନରେ ଉଦବୋଧନ ଦେଇ କହିଛନ୍ତି ପୁତିନ । ଋଷିଆ ହିଁ ଆଧୁନିକ ୟୁକ୍ରେନର ନିର୍ମାତା ବୋଲି ସେ ସ୍ପଷ୍ଟ କରିଛନ୍ତି । ୧୯୯୧ରେ ସୋଭିଏତ୍ ସଂଘର ବିଭାଜନ ପରେ, ଋଷିଆକୁ ୟୁକ୍ରେନ ଉପରେ ଥିବା ଏହାର ଅଧିକାରରୁ ବଞ୍ଚିତ କରାଯାଇଥିବା ସେ କହିଛନ୍ତି। ଅନ୍ଯପକ୍ଷରେ ଏହି ଦୁଇ ପ୍ରଦେଶ ୨୦୧୪ରୁ ୟୁକ୍ରେନ ସରକାରଙ୍କୁ ବିରୋଧ କରିଆସୁଥିବା ବେଳେ ସଂଘର୍ଷ ଲାଗି ରହିଥିଲା । ତେବେ ୨୦୧୫ରେ ଦୁଇ ପକ୍ଷ ମଧ୍ୟରେ ଚୁକ୍ତି ପରେ ଅସ୍ତ୍ରବିରତି ଲାଗୁ ହୋଇଥିଲା।.

ସେପଟେ ୟୁକ୍ରେନ, ଆମେରିକା, ୫ଟି ୟୁରୋପୀୟ ରାଷ୍ଟ୍ର ଓ ମେକ୍ସିକୋର ଅନୁରୋଧକ୍ରମେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ତେବେ ସେଠାରେ ବି ମୁହାଁମୁହିଁ ହୋଇଛନ୍ତି ଋଷିଆ ଓ ଆମେରିକା ପ୍ରତିନିଧି । ଆଲୋଚନା ମାଧ୍ୟମରେ ୟୁକ୍ରେନ ବିବାଦର ସମାଧାନ କରିବାକୁ ଋଷିଆ ଚାହେଁ ବୋଲି ଜାତିସଂଘରେ ଏହାର ପ୍ରତିନିଧି କହିଛନ୍ତି । ତେବେ ୟୁକ୍ରେନ ଠାରୁ ପୃଥକ ହେବାକୁ ଚାହୁଁଥିବା ପ୍ରଦେଶଗୁଡିକୁ ସୁରକ୍ଷା ପ୍ରଦାନ କରାଯିବା ଜରୁରୀ ବୋଲି ସେ ଯୁକ୍ତି ବାଢିଛନ୍ତି । ଏସବୁ ପ୍ରଦେଶ ଉପରେ ୟୁକ୍ରେନ ବଳପୂର୍ବକ କବ୍ଜା କରିଥିବା କହିଛନ୍ତି ଋଷ ପ୍ରତିନିଧି ।

Advertisment

ତେବେ ଋଷିଆର ଯୁକ୍ତିକୁ ସିଧା ସିଧା ଖଣ୍ଡନ କରିଛନ୍ତି ଜାତିସଂଘର ଆମେରିକାର ପ୍ରତିନିଧି ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ । ପୁତିନ୍ ଯେଉଁ ପଦକ୍ଷେପ ନେଇଛନ୍ତି ୟୁକ୍ରେନ, ଋଷିଆ, ୟୁରୋପ ସମେତ ପୁରା ବିଶ୍ୱ ଉପରେ ତାର ସୁଦୂରପ୍ରସାରୀ ପ୍ରଭାବ ରହିବ ବୋଲି ସେ ଚେତାଇ ଦେଇଛନ୍ତି । ସେହିପରି ଶାନ୍ତି ରକ୍ଷା ଲାଗି ୟୁକ୍ରେନର ଡନ୍ବାସ ଅଞ୍ଚଳରେ ଋଷୀୟ ସେନା ମୁତୟନ କରାଯାଇଥିବା ରାଷ୍ଟ୍ରପତି ପୁତିନ ଯୁକ୍ତି ଦର୍ଶାଇଥିଲେ ମଧ୍ୟ, ଆମେରିକା ପ୍ରତିନିଧି ତାକୁ ସିଧା ଖାରଜ କରିଦେଇଛନ୍ତି।.

ସେପଟେ ଋଷିଆ ୟୁକ୍ରେନର ପୂର୍ବାଞ୍ଚାଳରେ ଅବସ୍ଥିତ ଦୁଇ ବିଦ୍ରୋହୀ ପ୍ରଦେଶକୁ ମାନ୍ୟତା ପ୍ରଦାନ କରିବା ପରେ ଉଭୟ ପ୍ରଦେଶ ଓ ମସ୍କୋ ବିରୁଦ୍ଧରେ ଅର୍ଥନୈତିକ କଟକଣା ଲଗାଇଛି ଆମେରିକା । ଋଷିଆ ଖୋଲାଖୋଲି ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ କରୁଥିବା ଓ୍ୱାଶିଂଟନ ପକ୍ଷରୁ କୁହାଯାଇଛି । ତେଣେ ଋଷିଆକୁ ସମର୍ଥନ କରୁଥିବା ବିଦ୍ରୋହୀ ଓ ୟୁକ୍ରେନ ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି।.

ୟୁକ୍ରେନ୍ ଛକାପଞ୍ଝା ଭିତରେ ଭାରତକୁ ଘାରିଛି ନିଜ ନାଗରିକଙ୍କ ସୁରକ୍ଷା ଚିନ୍ତା । ୟୁକ୍ରେନ ବିବାଦକୁ ନେଇ ଯୁଦ୍ଧ ଆଶଙ୍କା ଉପୁଜିବାରୁ ରାଜଧାନୀ କିଭ୍ ଛାଡିବା ଲାଗି ପୂର୍ବରୁ କେନ୍ଦ୍ର ସରକାର ନିଜ ଦୂତାବାସ କର୍ମଚାରୀ ଓ ସେମାନଙ୍କ ପରିବାରକୁ ପରାମର୍ଶ ଦେଇଥିଲେ । ଏବେ ଏଠାରେ ରହୁଥିବା ଅନ୍ୟ ଭାରତୀୟଙ୍କୁ ବି ଉଦ୍ଧାର ଲାଗି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଏୟାର ଇଣ୍ଡିଆ ଡ୍ରିମଲାଇନର ଫ୍ଲାଇଟ୍ ଗତକାଲି ସକାଳେ ଦିଲ୍ଲୀରୁ କିଭ୍ ଯାତ୍ରା କରିଥିଲା ।

ତେଣେ ୟୁକ୍ରେନ ପ୍ରସଙ୍ଗକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଉଦବେଗ ପ୍ରକାଶ କରିଛି ଭାରତ। ଆମେରିକା, ୟୁରୋପୀୟ ସଂଘ ଏବଂ ଋଷିଆ ମୁହାଁମୁହିଁ ଛିଡ଼ା ହେବା ଆଦୌ ଶୁଭ ସୂଚନା ନୁହେଁ ବୋଲି ଭାରତ କହିଛି। ଯେତେଶୀଘ୍ର ଉତ୍ତେଜନା ହ୍ରାସ ପାଇବ ତାହା ସମସ୍ତଙ୍କ ପାଇଁ ମଙ୍ଗଳକର ଏବଂ କୂଟନୈତିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ।

ୟୁକ୍ରେନରେ ଥିବା ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକଙ୍କ ସୁରକ୍ଷା ନୂଆଦିଲ୍ଲୀ ଲାଗି ପ୍ରାଥମିକତା ବୋଲି ସେ କହିଛନ୍ତି । ଏପଟେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ କହିଛନ୍ତି ଯେ, ଭାରତ ମଧ୍ୟ ଅନ୍ତର୍ଜାତୀୟ ଶାନ୍ତି ରକ୍ଷାକୁ ସମର୍ଥନ କରେ

ୟୁକ୍ରେନ ପ୍ରସଙ୍ଗକୁ ନେଇ ଆମେରିକା ଓ ଏହାର ସହଯୋଗୀ ୟୁରୋପୀୟ ସଂଘ ସହିତ ଋଷିଆର ଯୁଦ୍ଧ ଲାଗିଯିବା ଆଶଙ୍କା ରହିଛି । ୟୁକ୍ରେନ ସୀମାରେ ଋଷିଆ ପକ୍ଷରୁ ପ୍ରାୟ ଦେଢ ଲକ୍ଷ ସୈନ୍ୟଙ୍କ ସହ ଫାଇଟର ଜେଟ୍, ଟ୍ୟାଙ୍କ, କ୍ଷେପଣାସ୍ତ୍ର ସମେତ ଅନ୍ଯାନ୍ଯ ଭାରି ଅସ୍ତ୍ରଶସ୍ତ୍ର ମୁତୟନ କରାଯାଇଛି। ମାତ୍ର ବଳପୂର୍ବକ ୟୁକ୍ରେନ ଅଧିକାର ଆଶଙ୍କାକୁ ପୁତିନ ବାରମ୍ବାର ଖଣ୍ଡନ କରିଆସୁଛନ୍ତି ।

ଅନ୍ୟପକ୍ଷରେ ୟୁକ୍ରେନ ନାଟୋ ଓ ୟୁରୋପୀୟ ସଂଘରେ ଯୋଗଦେବ ନାହିଁ ବୋଲି ପୁତିନ ଲିଖିତ ପ୍ରତିଶ୍ରୁତି ଚାହୁଁଛନ୍ତି । ମାତ୍ର ଆମେରିକା ଓ ଏହାର ବନ୍ଧୁ ରାଷ୍ଟ୍ର ପୁତିନଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି । ୟୁରୋପରେ ପୁଣି ଏକ ଯୁଦ୍ଧ ଆଶଙ୍କା ଭିତରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏମାନୁଏଲ ମାକ୍ରନଙ୍କ ମଧ୍ୟସ୍ଥାତାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ରାଷ୍ଟ୍ରପତି ପୁତିନ ଶିଖର ବୈଠକ ଲାଗି ରାଜି ହୋଇଛନ୍ତି । ତେବେ ପୁତିନ ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ବାଧୀନ ଘୋଷଣା କରିବା ପରେ ଆଲୋଚନାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Russia-Ukraine Conflict Ukraine Crisis
Advertisment
Advertisment