• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରିଟେନକୁ ମିଳିବ ନୂଆ ରାଜା । ବକିଙ୍ଗହମ୍ ପ୍ୟାଲେସରେ ମହାପର୍ବ... କିଙ୍ଗ୍ ଚାର୍ଲସଙ୍କର ହେବ ରାଜ୍ୟାଭିଷେକ...ଶନିବାର ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ ଭାବେ ବ୍ରିଟେନ ସିଂହାସନ ଆରୋହଣ କରିବେ ଚାର୍ଲସ ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ ( King Charles III) । ବ୍ରିଟେନ ସହିତ ଅନ୍ୟ ୧୪ଟି ଦେଶର ୪୦ତମ ରାଜା ବନିବେ ସେ । ଗତ ସେପ୍ଟେମ୍ବରରେ କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କର ଦେହାନ୍ତ ପରେ ଏହି ପଦ କିଙ୍ଗ୍ ଚାର୍ଲସ ସମ୍ଭାଳିଥିଲେ ବି, ତାଙ୍କର ବିଧିବଦ୍ଧ ରାଜ୍ୟାଭିଷେକ ହୋଇନଥିଲା ।

ଭାରତୀୟ ସମୟ ଅପରାହ୍ଣ ୩ଟା ବେଳେ ବକିଙ୍ଗହମ ପ୍ୟାଲେସରୁ ଶୋଭାଯାତ୍ରାରେ ବାହାରିବେ କିଙ୍ଗ୍ ଚାର୍ଲସ ଓ ରାଣୀ କାମିଲା । ଡାଇମଣ୍ଡ ଜୁବଲି ଷ୍ଟେଟ୍ କୋଚରେ ବସି ସେମାନେ ଯିବେ ୱେଷ୍ଟମିନଷ୍ଟର ଆବେକୁ। ୧୮ ଫୁଟ୍ ଲମ୍ବା, ୩ ଟନ୍ ଓଜନ ଡାଇମଣ୍ଡ ଜୁବଲି ଷ୍ଟେଟ୍ କୋଚକୁ ଟାଣିଟାଣି ନେବେ ୬ଟି ଘୋଡ଼ା । ସାଥିରେ ଚାଲିବେ ଅଙ୍ଗରକ୍ଷୀ । ସାଢ଼େ ୩ଟା ବେଳକୁ ରାଜପରିବାର ସଦସ୍ୟ ଏବଂ ଅତିଥିଙ୍କ ଉପସ୍ଥିତିରେ ରାଜ୍ୟାଭିଷେକ କରିବେ ଆର୍କ ବିଶପ୍ । ଘଣ୍ଟାଏ ଧରି ଚାଲିବ ବିଭିନ୍ନ ରୀତିନୀତି ।

ଏହି ଅବସରରେ କିଙ୍ଗ୍ ଚାର୍ଲସଙ୍କୁ ପରଂପରା ଅନୁସାରେ ପ୍ରଦାନ କରାଯିବ ବିଭିନ୍ନ ରାଜକୀୟ ବସ୍ତୁ। ସେ ନେବେ ରାଜଶପଥ। କୁଇନ୍ କାମିଲା ମଧ୍ୟ ଏହି ଅବସରରେ ରୀତିନୀତି ଅନୁସାରେ ସିଂହାସନ ଆରୋହଣ କରିବେ । ସାଢ଼େ ୪ଟାରେ ସେମାନେ ଅପେକ୍ଷାକୃତ ମନ୍ଥର ଶୋଭାଯାତ୍ରାରେ ପୁଣି ବକିଙ୍ଗହମ୍ ପ୍ୟାଲେସକୁ ଫେରିବେ । ସନ୍ଧ୍ୟା ୬ଟା ୪୫ରେ ରାଜପରିବାର ବକିଙ୍ଗହମ୍ ପ୍ୟାଲେସ ବାଲକୋନିକୁ ଆସି ଜନତାଙ୍କୁ ଦର୍ଶନ ଦେବେ ବୋଲି ସୂଚନା ମିଳିଛି।...

ପ୍ରାୟ ଶହେ ମିଲିୟନ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ୧ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି କିଙ୍ଗ୍ ଚାର୍ଲସଙ୍କ ରାଜ୍ୟାଭିଷକ ସମାରୋହ ଆୟୋଜନରେ । ୭୦ ବର୍ଷ ପରେ ବ୍ରିଟେନ ରାଜପରିବାରରେ ହେବାକୁ ଯାଉଛି ଏହି ପର୍ବ । ସବୁଠୁ ବୟସ୍କ ରାଜା ଭାବେ ସିଂହାସନ ଆରୋହଣ କରିବେ ଚାର୍ଲସ୍ । ରାଜ୍ୟାଭିଷେକ ପରେ ସେ ପ୍ରାୟ ୫ଶହ ବର୍ଷ ପୁରୁଣା ୨.୨ କିଲୋଗ୍ରାମ ଓଜନର ସ୍ୱର୍ଣ୍ଣ ନିର୍ମିତ ରାଜମୁକୁଟ ପିନ୍ଧିବେ । ଏହା ସେଣ୍ଟ ଏଡୱାର୍ଡଙ୍କ ମୁକୁଟ । ଅଷ୍ଟଦଶ ଶତାବ୍ଦୀ ପରେ ପ୍ରଥମ ଥର ପାଇଁ ରାଜା ରାଣୀ ଏକାସହିତ ସିଂହାସନ ଆରୋହଣ କରିବାକୁ ଯାଉଛନ୍ତି ।

କୁଇନ୍ କାମିଲା କୁଇନ ମେରିଙ୍କର ୨୨ଶହ ହୀରା ଖଚିତ ମୁକୁଟ ପରିଧାନ କରିବେ । ରାଜ ପରିବାର ସଦସ୍ୟଙ୍କ ମଧ୍ୟରୁ ଏଥିରେ ଚାର୍ଲସଙ୍କର ୩ ଭାଇଭଉଣୀ ପ୍ରିନସେସ୍ ଆନେ, ପ୍ରିନ୍ସ ଆଣ୍ଡ୍ରୁ, ପ୍ରିନ୍ସ ଏଡୱାର୍ଡ; ଚାର୍ଲସଙ୍କର ଦୁଇ ପୁଅ ପ୍ରିନ୍ସ ୱିଲିୟମ ଓ ପ୍ରିନ୍ସ ହ୍ୟାରି ଉପସ୍ଥିତ ରହିବେ । ଏଥିରେ ୱିଲିୟମଙ୍କ ସହିତ ଯୋଗଦେବେ ପତ୍ନୀ କ୍ୟାଥରିନ୍ । ତେବେ ହ୍ୟାରିଙ୍କ ପତ୍ନୀ ମେଗାନ ମର୍କେଲ୍ ଯୋଗଦେବେ ନାହିଁ ବୋଲି ସୂଚନା ମିଳିଛି ।

ଦେଶ ବିଦେଶର ପ୍ରାୟ ୨ହଜାର ଅତିଥିଙ୍କ ମଧ୍ୟରେ ସାମିଲ ହେବେ ଆମେରିକାର ପ୍ରଥମ ମହିଳା ଅର୍ଥାତ୍ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ୍, ଫ୍ରାନ୍ସ ଓ ପୋଲାଣ୍ଡ ରାଷ୍ଟ୍ରପତି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ପ୍ରମୁଖ। ଭାରତରୁ ଯୋଗଦେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ତାଙ୍କ ପତ୍ନୀ ସୁଦେଶ ଧନଖଡ଼, ଏବଂ ବଲିଉଡ୍ ଅଭିନେତ୍ରୀ ସୋନମ କପୁର । ସୋନମ୍ କପୁର ଏହି ଅବସରରେ କେଟି ପେରିଙ୍କ ଭଳି ଗ୍ଲୋବାଲ ସେଲିବ୍ରିଟିଙ୍କ ସହିତ ପରଫର୍ମ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହଲିଉଡ୍ ଷ୍ଟାର୍ ଟମ୍ କ୍ରୁଜ୍ ମଧ୍ୟ ଏଥିରେ ଯୋଗ ଦେବେ।...