• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆ ସରକାରକୁ ୨ ମାସ ନପୁରୁଣୁ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ବିରୋଧରେ ତେଜିଲାଣି ବିଦ୍ରୋହ । ଟ୍ରସଙ୍କ ଆସନ ଟଳମଳ । ପ୍ରଧାନମନ୍ତ୍ରୀ ପଦ ବଂଚାଇବାକୁ ଟ୍ରସଙ୍କ ପାଖରେ ଏଇ ସପ୍ତାହ କର ବା ମର ସ୍ଥିତି । ପାଉଣ୍ଡ ମୂଲ୍ୟରେ କ୍ରମାଗତ ଅବକ୍ଷୟ, ଉର୍ଦ୍ଧ୍ୱମୁଖୀ ମୁଦ୍ରାସ୍ଫୀତି ଭିତରେ ଟିକସ ହ୍ରାସ ଲାଗି ଟ୍ରସଙ୍କ ନିଷ୍ପତ୍ତି ବ୍ରିଟେନକୁ ରିସେସନ୍ ବା ଆର୍ଥିକ ମାନ୍ଦାବସ୍ଥା ମୁହାଁ କରିଛି , ଯାହା ନୂଆ ପ୍ରଧାନମନ୍ତ୍ରୀଙ୍କ ବିରୋଧୀ ସ୍ୱରକୁ ତୀବ୍ର କରିଛି । ଏପରିକି କନଜରଭେଟିଭ ପାର୍ଟିର ଅନେକ ଏମପି ଦଳର ଶୀର୍ଷ ନେତୃତ୍ୱଙ୍କୁ ପତ୍ର ଲେଖି ଦଳୀୟ ସମ୍ବିଧାନ ସଂଶୋଧନ କରିବାକୁ ଦାବି କରିଛନ୍ତି । ଯାହାଦ୍ୱାରା ଟ୍ରସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇ ତାଙ୍କୁ ବାହାର କରାଯାଇପାରିବ ।

ପଦ ଛାଡ ଟ୍ରସ, କମ୍ ବ୍ୟାକ୍ ସୁନକ୍ ଭଳି ନାରା ଏବେ ବ୍ରିଟେନରେ ଜୋର ଧରିଛି । ନୂଆ ସରକାରକୁ ଦୁଇ ମାସ ବିତିନି ହେଲେ ପିଏମ୍ ଆସନ ଟଳମଳ। ପଦ ବଂଚାଇବାକୁ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ପାଖରେ ଏ ସପ୍ତାହ ଶେଷ ସୁଯୋଗ ବୋଲି କୁହାଯାଉଛି । ବ୍ଲୁମବର୍ଗର ସୂଚନା ଅନୁସାରେ, ମାନ୍ଦାବସ୍ଥା ଦେଇ ଗତି କରୁଥିବା ବ୍ରିଟେନର ଅର୍ଥନୀତି ଏହି ସପ୍ତାହରେ ପ୍ରଧାନମନ୍ତ୍ରୀ ଟ୍ରସଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ଶାସନକୁ ଆସିବାର ୪୦ ଦିନ ଭିତରେ ପୁରୁଣା ହଟାଇ ନୂଆ ଅର୍ଥମନ୍ତ୍ରୀ ନିଯୁକ୍ତ କରିଛନ୍ତି । ଟ୍ରସ ଜେରେମି ହଣ୍ଟଙ୍କ କାନ୍ଧରେ ଦେଶର ଅର୍ଥନୀତିରେ ସ୍ଥିରତା ଆଣିବାର ବଡ ଚ୍ୟାଲେଂଜ୍ । କାରଣ, ସରକାରଙ୍କ ଉଚ୍ଚ ଆୟବର୍ଗଙ୍କ ଟିକସ ହ୍ରାସ ନିଷ୍ପତ୍ତିରେ ଅର୍ଥନୀତି ଧରାଶାୟୀ ।

ଅଧିକ ପଢ଼ନ୍ତୁ: ଲିଜ୍ ଟ୍ରସଙ୍କ ଗାଦି ଟଳମଳ: ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଖସୁଛି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା

ଏଭଳି ସ୍ଥିତିରେ ଟେନ୍ ଡାଉନିଂ ଷ୍ଟ୍ରିଟରେ ନୂଆ କ୍ୟାବିନେଟ୍ ପାଇଁ ସ୍ୱାଗତ ସମାରୋହ ରଖିଛନ୍ତି ପ୍ରଧାନମନ୍ତ୍ରୀ ଟ୍ରସ୍ । ଏଥିରେ ସରକାର ଅନ୍ତରୀଣ ଆର୍ଥିକ ଯୋଜନାର ରୂପରେଖ ସ୍ଥିର କରିବେ । ଏପରିକି କନଜରଭେଟିଭ୍ ପାର୍ଟିର ସମସ୍ତ ଏମପିଙ୍କ ସହ ଆଲୋଚନା କରି ସେମାନଙ୍କ ବିଚାରକୁ ମଧ୍ୟ ଏଥିରେ ସ୍ଥାନ ଦିଆଯିବ । ଅକ୍ଟୋବର ୩୧ ତାରିଖରେ ଅର୍ଥମନ୍ତ୍ରୀ ଜେରେମି ହଣ୍ଟ ସରକାରଙ୍କ ନୂଆ ଆର୍ଥିକ ଯୋଜନା ଘୋଷଣା କରିବେ ।

ସୂଚନା ଅନୁସାରେ, ନୂଆ ଅର୍ଥମନ୍ତ୍ରୀ ମଧ୍ୟ ଟିକସ ବୃଦ୍ଧି ଏବଂ ଖର୍ଚ୍ଚ ହ୍ରାସ ଉପରେ ଗୁରୁତ୍ୱ ଦେବା ସମ୍ଭାବନା ଅଧିକ । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଯଦି ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ସୁଧାରିବାରେ ସକ୍ଷମ ହୁଅନ୍ତି, ତେବେ ତାଙ୍କର ଦ୍ୱିତୀୟ ଲକ୍ଷ୍ୟ ହେବ ଦଳରେ ତାଙ୍କ ବିରୋଧରେ ହେଉଥିବା ବିଦ୍ରୋହକୁ ରୋକିବା । କାରଣ ସେ ନେଇଥିବା ବିଭିନ୍ନ ଆର୍ଥିକ ନିଷ୍ପତ୍ତିକୁ କନଜରଭେଟିଭ୍ ପାର୍ଟି ଭିତରେ ବି ବିରୋଧ ଆରମ୍ଭ ହେଲାଣି । ଏପରିକି ୩ ଜଣ ନେତା ଟ୍ରସଙ୍କ ଇସ୍ତଫା ଦାବି କରିସାରିଲେଣି । ଦଳର ଶୀର୍ଷ ନେତୃତ୍ୱ ଗ୍ରାହମ ବ୍ରେଡିଙ୍କୁ ପତ୍ର ଲେଖି ଦଳର ସମ୍ବିଧାନ ସଂଶୋଧନ କରିବାକୁ ସେମାନେ ଦାବି କରିଛନ୍ତି, ଯାହାଦ୍ୱାରା ଟ୍ରସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇପାରିବ ।

ନୂଆ ସରକାରଙ୍କ ନିଷ୍ପତ୍ତିରେ ବ୍ରିଟେନ୍ ଅର୍ଥନୀତିରେ ହଲଚଲ ଖେଳିଯାଇଛି । ପ୍ରଧାନମନ୍ତ୍ରୀ ଟ୍ରସଙ୍କ ସମେତ କନଜରଭେଟିଭ୍ ପାର୍ଟିର ଲୋକପ୍ରିୟତା ଖସିବାରେ ଲାଗିଛି । ତେଣୁ ଟ୍ରସଙ୍କୁ ନେଇ ଆଉ ରିସ୍କ ନେବାକୁ ଚାହୁଁନି ଦଳ । ସେପଟେ ବ୍ରିଟେନରେ ଜୋର ଧରିଲାଣି ସୁନକ୍ କମ୍ ବ୍ୟାକ୍ ନାରା । ରିଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପ୍ରୟାସ ଆରମ୍ଭ କରିଦେଲେଣି ତାଙ୍କ ସମର୍ଥକ ।