• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କମବ୍ୟାକ୍ ସୁନକ୍ ନାରା ଭିତରେ ବଢୁଛି ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ଅଡ଼ୁଆ । ପାଉଣ୍ଡ ମୂଲ୍ୟରେ କ୍ରମାଗତ ଅବକ୍ଷୟ, ଉର୍ଦ୍ଧ୍ୱମୁଖୀ ମୁଦ୍ରାସ୍ଫୀତି ଭିତରେ ଟିକସ ହ୍ରାସ ଲାଗି ତାଙ୍କର ନିଷ୍ପତ୍ତି ବ୍ରିଟେନକୁ ‌ଆର୍ଥିକ ମନ୍ଦାବସ୍ଥା ମୁହାଁ କରିଛି । ଏହାକୁ ନେଇ ରସାତଳକୁ ଚାଲି ଯାଇଛି ଟ୍ରସଙ୍କ ଲୋକପ୍ରିୟତା । ଜନମତ ସର୍ଭେରେ ମାତ୍ର ୧୬ ପ୍ରତିଶତ ଭୋଟର ତାଙ୍କୁ ସମର୍ଥନ କରିଥିବା ବେଳେ ତାଙ୍କ ପପୁଲାରିଟି ରେଟିଂ ମାଇନସ ୪୭ରେ ପହଞ୍ଚିଛି । ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ତୁଳନାରେ ମଧ୍ୟ କମ୍ । ସେହିପରି କନର୍ଜଭେଟିଭ୍ ପାର୍ଟିରେ ବି ତାଙ୍କୁ ବିରୋଧ ବଢୁଛି । ତେଣୁ ସେ କେତେ ଦିନ ପଦରେ ରହିବେ ତାକୁ ନେଇ ବଢିଛି ଅନିଶ୍ଚିତତା ।

ବର୍ତ୍ତମାନ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଲିଜ୍ ଟସଙ୍କୁ ବୁମେରାଂ ହୋଇଛି ଉଚ୍ଚ ଆୟବର୍ଗଙ୍କ ଟିକସ ହ୍ରାସ ନିଷ୍ପତ୍ତି । ପ୍ରତିଦ୍ୱନ୍ଦ୍ୱୀ ଋଷି ସୁନକ୍ ଯାହା ଭବିଷ୍ୟବାଣୀ କରିଥିଲେ ବ୍ରିଟେନ୍ ଅର୍ଥନୀତି ଠିକ୍ ସେଇ ସ୍ଥିତିରେ ପହଞ୍ଚିଛି । ଡଲାର ଓ ୟୁରୋ ତୁଳନାରେ କମିବାରେ ଲାଗିଛି ପାଉଣ୍ଡର ମୂଲ୍ୟ । ମୁଦ୍ରାସ୍ପିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ବେଳେ ବ୍ରିଟେନର ଷ୍ଟକ୍ ମାର୍କେଟ ଧରାଶାୟୀ ହେଇଛି । ଟିକସ ହ୍ରାସ ନିଷ୍ପତ୍ତିର ସାଂଘାତିକ ପରିଣାମ ଦେଖି ଏହାକୁ ପ୍ରତ୍ୟାହାର କରିଛନ୍ତି ଟ୍ରସ୍ । ମାତ୍ର ଏହାସତ୍ତ୍ୱେ ବି ସ୍ଥିତି ସମ୍ଭାଳିବା ତାଙ୍କ ପାଇଁ ସହଜ ହେବନି ।

ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାର ୨ ମାସ ନପୁରୁଣୁ ଟଳମଳ ଲିଜଙ୍କ ଆସନ । ସେ ନେଇଥିବା ବିଭିନ୍ନ ଆର୍ଥିକ ନିଷ୍ପତ୍ତିକୁ କନର୍ଜଭେଟିଭ୍ ପାର୍ଟି ଭିତରେ ବି ବିରୋଧ ଆରମ୍ଭ ହେଲାଣି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଭାବେ ଟ୍ରସଙ୍କ ଲୋକପ୍ରିୟତା ମାଇନସ ୪୭ରେ ପହଞ୍ଚିଛି, ଯାହାକି ଜଣେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ସର୍ବନିମ୍ନ ରେଟିଂ । ଦଳୀୟ ସଦସ୍ୟଙ୍କ ସମର୍ଥନରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ବ୍ରିଟେନର ଜନସାଧାରଣ ନାଗରିକ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁ ନାହାନ୍ତି । ମାତ୍ର ୧୬ ପ୍ରତିଶତ ଲୋକ ତାଙ୍କୁ ସମର୍ଥନ କରିଛନ୍ତି । ତେଣୁ ସେ କେତେ ଦିନ କ୍ଷମତାରେ ରହିବେ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଏପଟେ ଟ୍ରସଙ୍କ ପାଇଁ ଅଡୁଆ ବଢାଇଛନ୍ତି ଭାରତୀୟ ବଂଶୋଦ୍ଭବ ଗୃହ ସଚିବ ସୁଏଲା ବ୍ରେଭରମ୍ୟାନ । ବ୍ରିଟେନରେ କାମ କରୁଥିବା ଭାରତୀୟଙ୍କ ସଂପର୍କରେ ସୁଏଲାଙ୍କ ବୟାନକୁ ନେଇ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷର ହେବାକୁ ଥିବା ଫ୍ରି-ଟ୍ରେଡ୍ ଅଗ୍ରିମେଣ୍ଟ ବା ମୁକ୍ତ ବାଣିଜ୍ୟ ଚୁକ୍ତିର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ଫ୍ରି ଟ୍ରେଡ୍ ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ବ୍ୟବସାୟ ବଢିବା ସହ ଭାରତୀୟ ଟେକି ଓ ଛାତ୍ରଛାତ୍ରୀଙ୍କ ଲାଗି ବ୍ରିଟେନ୍ ଯିବା ସହଜ ହେବ ।

ମାତ୍ର ଭିସା ଅବଧି ସରିବା ପରେ ମଧ୍ୟ ବହୁ ଭାରତୀୟ ବ୍ରିଟେନରେ ରହୁଛନ୍ତି ଫ୍ରି-ଟ୍ରେଡ୍ ଅଗ୍ରିମେଣ୍ଟ, ଯଦ୍ୱାରା ସମସ୍ୟା ଆହୁରି ବଢିବ ବୋଲି ବ୍ରେଭ୍ରମ୍ୟାନ୍ କହିବା ପରେ କ୍ଷୁବ୍ଧ ହୋଇଛି ନୂଆଦିଲ୍ଲୀ । ଖାସ୍ କରି ଭାରତୀୟଙ୍କୁ ବ୍ରେଭରମ୍ୟାନ୍ ମାଇଗ୍ରାଣ୍ଟ କହିବା ନେଇ କଡ଼ା ଆପତ୍ତି ଉଠାଇଛି ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ । ତେବେ ଦୀପାବଳି ଭିତରେ ଏହି ଡିଲ୍ ହୋଇଯିବ ବୋଲି ବ୍ରିଟିଶ ଅଧିକାରୀ ଆଶା ରଖିଛନ୍ତି ।