• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମରୁଭୂମିରେ ଜଳପ୍ରଳୟ । ଭାସୁଛି ମଧ୍ୟପ୍ରାଚ୍ୟ ଦେଶ UAE । ଜଣାପଡ଼ୁନି, ସହର ଭିତରେ ନଦୀ ନା ନଦୀ ଭିତରେ ସହର । ଡଙ୍ଗା ଭଳି ଭାସୁଛି ମାଳମାଳ କାର୍ ଓ ଅନ୍ୟ ଯାନବାହନ । ପାଣିରେ ଅଧା ବୁଡ଼ି ରହିଛି କୋଠାବାଡ଼ି ଓ ଦୋକାନବଜାର। ଅନେକ ସ୍ଥାନରେ ଧସିଯାଇଛି ମୁଖ୍ୟ ସଡ଼କ । ମଧ୍ୟପ୍ରାଚ୍ୟର ଅନ୍ୟତମ କ୍ଷୁଦ୍ର ଅଥଚ ବିତ୍ତଶାଳୀ ଦେଶ ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ଏଭଳି ସ୍ଥିତି ଉପୁଜିଛି, ଯାହାକି ସେଠାକାର ପାଣିପାଗ ଦୃଷ୍ଟିରୁ ଅତି ବିରଳ ।

ବିଶେଷ କରି ଦୁବାଇ ନିକଟବର୍ତ୍ତୀ ସହର ଶାରଜାହ ଓ ଫୁଜାଇରା ବେଶି ପ୍ରଭାବିତ ହୋଇଛି । ଦୁଇଟି ଯାକ ସମୁଦ୍ର ତଟବର୍ତ୍ତୀ ସହରରେ ଅକସ୍ମାତ ଅସମ୍ଭାଳ ବନ୍ୟାସ୍ଥିତି ଦେଖାଦେବା ପରେ, ଏଭଳି ବିପର୍ଯ୍ୟୟ ପାଇଁ ଅପ୍ରସ୍ତୁତ ଥିବା ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୮୭୦ ଲୋକଙ୍କୁ ପାଣିରୁ ଉଦ୍ଧାର କରାଯାଇଥିବା ବେଳେ, ପ୍ରାୟ ୪ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇଛି । ଏବେ ସୁଦ୍ଧା ୭ ଜଣ ଲୋକଙ୍କ ମୃତ୍ୟୁ ଖବର ମିଳିଛି ଏବଂ ସମସ୍ତ ମୃତକ ପ୍ରବାସୀ ଏସୀୟ ବୋଲି ଜଣାପଡ଼ିଛି ।

ରାଜଧାନୀ ଆବୁଧାବି, ଅତ୍ୟାଧୁନିକ ସହର ଦୁବାଇ ଏବଂ ଅନ୍ୟ ସମୁଦ୍ରତଟ ସହରାଞ୍ଚଳକୁ ଛାଡ଼ିଦେଲେ, ୟୁଏଇର ପ୍ରାୟ ୮୦ ପ୍ରତିଶତ ଇଲାକା ମରୁଭୂମି ଓ ବାଲୁକାସ୍ତୁପରେ ଭର୍ତ୍ତି । ମଧ୍ୟପ୍ରାଚ୍ୟରେ ଜୁଲାଇ ମାସରେ ଏଭଳି ପ୍ରବଳ ବର୍ଷା କ୍ୱଚିତ୍ ଦେଖାଯାଏ । କୁହାଯାଉଛି, ଫ୍ଲାସ୍‌ଫ୍ଲଡ୍ ସୃଷ୍ଟି କରିଥିବା ଚଳିତ ବର୍ଷର ବର୍ଷା ପରିମାଣ ଗତ ୨୭ ବର୍ଷର ରେକର୍ଡ ଭାଙ୍ଗିଛି ।

ଫୁଜାଇରାରେ ୨୫୫ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହାକି ଜୁଲାଇ ମାସ ପାଇଁ ସର୍ବାଧିକ । ୟୁଏଇର ଜାତୀୟ ପାଣିପାଗ କେନ୍ଦ୍ର ରେଡ୍ ଆଲର୍ଟ ଜାରି କରିଥିବା ବେଳେ, ପୂର୍ବ ଓ ଉତ୍ତରରେ ଆହୁରି କିଛି ଦିନ ବର୍ଷା ଆଶଙ୍କା ଥିବା ଆକଳନ କରିଛି । ତେବେ କାହିଁକି ବର୍ଷାର ଏଭଳି ଅସ୍ୱାଭାବିକ ଟ୍ରେଣ୍ଡ ? କେମିତି ଜଳାର୍ଣ୍ଣବ ହେଲା ଶୁଖିଲା ପଡ଼ିଥିବା ଦେଶର ୨ ସହର ? ବିଶେଷଜ୍ଞଙ୍କ ମତରେ ଏହା ପଛରେ ରହିଛି ୨ଟି ମୁଖ୍ୟ କାରଣ । ଗୋଟିଏ ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟଟି ହେଉଛି ସହରରେ ଜଳ ନିଷ୍କାସନ ଭିତ୍ତିଭୂମିର ଅଭାବ ।

ଶାରଜାହ ଓ ଫୁଜାଇରା, ବନ୍ୟା ବିତ୍ପାତ ସହ ଜୁଝୁଥିବା ବେଳେ ଅପେକ୍ଷାକୃତ ଅଳ୍ପ ବର୍ଷା ହେବା କାରଣରୁ ଆବୁଧାବି ଓ ଦୁବାଇ ଦୁର୍ବିପାକରୁ ବର୍ତ୍ତିଯାଇଛି ।