• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରୂଢ଼ିବାଦୀ ମୁସଲମାନ ବହୁଳ ଦେଶରେ ବଦଳୁଛି କି ମାନସିକତା ? ଯୁଗ ସହ ତାଳ ଦେଇ ଆଗଉଛନ୍ତି କି ଇମ୍ରାନ୍‌ ସରକାର ? ପାକିସ୍ତାନ ସେନାରେ ପ୍ରଥମ ଥର ପାଇଁ ଦୁଇଜଣ ହିନ୍ଦୁ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀକୁ ପଦୋନ୍ନତି ହୋଇଛି । ହିନ୍ଦୁ ଅଧିକାରୀ ଡକ୍ଟର କୈଲାଶ କୁମାର (Major Dr. Kelash Kumar) ଏବଂ ଡକ୍ଟର ଅନିଲ କୁମାର (Major Dr Aneel Kumar) ଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦକୁ ଉନ୍ନୀତ କରାଯାଇଛି । ପାକିସ୍ତାନୀ ଆର୍ମି ପ୍ରମୋସନ୍ ବୋର୍ଡ ଦ୍ୱାରା ଏହି ନିଷ୍ପତ୍ତି ହୋଇଛି ।

ମେଜର ଏବଂ କ୍ୟାପଟେନ ଭାବରେ ସେନାରେ ଯୋଗ ଦେଇଥିଲେ ଉଭୟ ହିନ୍ଦୁ ଅଧିକାରୀ

ସିନ୍ଧ ପ୍ରଦେଶର ତାରପକାର ଜିଲ୍ଲାର କୈଲାଶ କୁମାର । ୨୦୧୯ରେ ପାକିସ୍ତାନର ପ୍ରଥମ ହିନ୍ଦୁ ସମ୍ପ୍ରଦାୟର ମେଜର ଭାବେ ପଦବୀରେ ଯୋଗ ଦେଇଥିଲେ । ସେ ୧୯୮୧ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ଏବଂ ଲିଆକତ୍ ୟୁନିଭରସିଟିରୁ MBBS କରିବା ପରେ ୨୦୦୮ରେ କ୍ୟାପଟେନ ଭାବରେ ସେନାରେ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ସିନ୍ଧ ପ୍ରଦେଶ ବାଦିନ ବାସିନ୍ଦା ଅଟନ୍ତି ଅନିଲ କୁମାର । ସେ କୈଲାଶଙ୍କ ଠାରୁ ଏକ ବର୍ଷ ସାନ । ୨୦୦୭ରେ ଅନିଲ ପାକିସ୍ତାନୀ ସେନାରେ ମେଜର ରୂପରେ ଯୋଗ ଦେଇଥିଲେ । ତେବେ ଏନେଇ ଗୁରୁବାର ଦିନ ରାଷ୍ଟ୍ରାୟତ୍ତ ପାକିସ୍ତାନ ଟେଲିଭିଜନରେ କୈଲାଶ କୁମାରଙ୍କ ପଦୋନ୍ନତି ସମ୍ପର୍କରେ କୁହାଯାଇଥିଲା । କୈଲାଶ କୁମାର ପ୍ରଥମ ହିନ୍ଦୁ ଅଧିକାରୀ, ଯିଏ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ ପଦବୀ ପାଇଛନ୍ତି ବୋଲି ଟ୍ୱିଟ୍ କରାଯାଇଛି ।

ସେପଟେ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପଦୋନ୍ନତି ସମ୍ପର୍କରେ ବିଧିବଦ୍ଧ ଭାବରେ କୌଣସି ଘୋଷଣା କରାଯାଇ ନାହିଁ । ୨୦୦୦ ମସିହା ପର୍ଯ୍ୟନ୍ତ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ପାକିସ୍ତାନୀ ସେନାରେ ଯୋଗଦେବାକୁ ଅନୁମତି ନଥିଲା । ହିନ୍ଦୁମାନେ ପାକିସ୍ତାନର ସର୍ବବୃହତ ଅଳ୍ପସଂଖ୍ୟକ ସମ୍ପ୍ରଦାୟ । ସରକାରୀ ଆକଳନ ଅନୁଯାୟୀ ଦେଶରେ ପ୍ରାୟ ୭୫ ଲକ୍ଷ ହିନ୍ଦୁ ବାସ କରୁଛନ୍ତି । ପାକିସ୍ତାନର ଅଧିକାଂଶ ହିନ୍ଦୁ ଜନସଂଖ୍ୟା ସିନ୍ଧ ପ୍ରଦେଶରେ ବସବାସ କରନ୍ତି, ଯେଉଁଠାରେ ସେମାନେ ମୁସଲମାନମାନଙ୍କ ସହିତ ସଂସ୍କୃତି, ପରମ୍ପରା ଏବଂ ଭାଷା ସହିତ ଓତୋପ୍ରତଃ ଭାବରେ ଜଡ଼ିତ ଥାଆନ୍ତି ।