Advertisment

ମୃତ୍ୟୁର ଆଁରୁ ବର୍ତ୍ତିଆସିଥିବା କୁନି ଝିଅ ପଚାରୁଛି- 'ମୋ ମାଆ କାହିଁ?'

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ, ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୮ ଗୁଣ ବୃଦ୍ଧି ପାଇପାରେ।

ଅଦ୍ୟତନ ହୋଇଛି
Turkey-Syria Quake Toll Crosses 5,000

Turkey-Syria quake toll crosses 5,000

Advertisment

ମୃତ୍ୟୁର ଆଁରୁ ବର୍ତ୍ତିଆସିଥିବା ଧୂଳିଧୂସରିତ କୁନି ଝିଅ ପଚାରୁଛି- 'ମୋ ମାଆ କାହିଁ?' ଧାରଧାର ଲୁହରେ ଭାସୁଥିବା ବିବ୍ରତ ମାଆ ପଚାରୁଛି- 'ମୋ ଛୁଆକୁ କିଏ ଦେଖିଛକି?' କମ୍ବଳ ଘୋଡ଼ି ହୋଇ ରୁଟି ଖାଉଥିବା ଦେଢ଼ ବର୍ଷିୟା ଇସମାଇଲ୍ ଜାଣିନି, ଅଫେରା ରାଇଜକୁ ଚାଲିଯାଇଛନ୍ତି ତା ଭାଇ-ଭଉଣୀ ଆଉ ଗର୍ଭବତୀ ମାଆ। ଖାଲି ଏମାନେ ନୁହଁନ୍ତି, ତୁର୍କୀ ଓ ସିରିଆର ଭୂକଂପ କେତେ ଜଣଙ୍କୁ ଯେ ବାପାମାଆ ଛେଉଣ୍ଡ କରିଛି, କେତେ ଜଣଙ୍କର ଯେ ଆଖିର ପିତୁଳାକୁ ଛଡ଼ାଇ ନେଇଛି, ତାର ହିସାବ ନାହିଁ । ଥରେ କି ଦୁଇଥର ନୁହେଁ। ଗତ ୪୮ ଘଣ୍ଟା ଭିତରେ ୫ଥର ଥରିଲାଣି ତୁର୍କୀ, ସିରିଆ, ଲେବାନନ୍ ଓ ଇଜ୍ରାଏଲ୍।

Advertisment

ଅଧିକ ପଢ଼ନ୍ତୁ: ଭୟଙ୍କର ଭୂ-କମ୍ପ ! ନିମିଷେକେ ଭୁଶୁଡ଼ିଗଲା ଶହ ଶହ କୋଠା, NDRF-ମେଡିକାଲ ଟିମ୍ ପଠାଇବ ଭାରତ

ଯେତେ ସମୟ ଗଡ଼ୁଛି, ଉଦ୍ଧାର କାର୍ଯ୍ୟ ଆଗଉଛି, ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆହତଙ୍କ ସଂଖ୍ୟା ତୁର୍କୀରେ ୧୫ ହଜାର ଥିବା ବେଳେ, ସିରିଆରେ ସାଢ଼େ ୩ ହଜାର ରହିଛି । କେବଳ ତୁର୍କୀରେ ପ୍ରାୟ ୬ହଜାର ଘର ଭୁଶୁଡ଼ିଛି । ଧ୍ବଂସସ୍ତୁପ ଅଣ୍ଡାଳିବାରେ ଲାଗିଛନ୍ତି ୯ହଜାର ୭ଶହ ଉଦ୍ଧାରକାରୀ। ହେଲେ ହାଡ଼ଭଙ୍ଗା ଶୀତ ଓ ଖରାପ ପାଗ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି । ରାତିରେ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ବିପନ୍ନଙ୍କ ଜୀବନ ଦୁର୍ବିସହ ହୋଇଯାଉଛି। ଏସବୁ ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆକଳନ କରିଛି ଯେ, ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୮ ଗୁଣ ବୃଦ୍ଧି ପାଇପାରେ।

Advertisment

ତୁର୍କୀର ମହାବିପତ୍ତି ବେଳେ, ସହଯୋଗର ହାତ ବଢ଼ାଇଛି ଭାରତ। ତୁର୍କୀକୁ ୨ଟି C-17 ଗ୍ଲୋବମାଷ୍ଟର ବିମାନରେ ୧୦୦ ଏନଡିଆରଏଫ୍ ଯବାନ, ସ୍ୱତନ୍ତ୍ର ପ୍ରଶିକ୍ଷିତ ଡଗ୍ ସ୍କ୍ବାଡ୍, ଡ୍ରିଲିଂ ମେସିନ, ରିଲିଫ ସାମଗ୍ରୀ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ ଉପକରଣ ପଠାଯାଇଛି। ଅନ୍ୟପକ୍ଷରେ ଭାରତକୁ ବିପଦ ବେଳର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ତୁର୍କୀ ରାଷ୍ଟ୍ରଦୂତ। ଏଣେ ଦିଲ୍ଲୀରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକକୁ ସମ୍ବୋଧନ ବେଳେ, ୨୦୦୧ ଭୁଜ୍ ଭୂମିକଂପ କଥା ମନେ ପକାଇ ଭାବବିହ୍ବଳ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ ମୋଦି।

ସୋମବାର ତୁର୍କୀରେ ୭.୮ ଓ ୭.୫ ତୀବ୍ରତାର ଭୂମିକଂପ ଆସିଥିଲା। ଏହାପରେ ମଙ୍ଗଳବାର ପୁଣି ହୋଇଥିଲା ୬, ୫.୬ ଓ ୫.୭ ତୀବ୍ରତାର ଭୂକଂପ । ପ୍ରଥମ କଂପନ ଭୂପୃଷ୍ଠରୁ ୧୮ କିଲୋମିଟର ତଳେ ହୋଇଥିବା ଜଣାପଡ଼ିଛି । ତୁର୍କୀ ଓ ସିରିଆ ସୀମାବର୍ତ୍ତି ଅଞ୍ଚଳରେ ଗୃହଯୁଦ୍ଧ, ବିସ୍ଥାପନ ସଂକଟ ଓ ହଇଜା ଆଦି ମହାମାରୀ ସହ ବର୍ଷ ବର୍ଷ ଧରି ଯୁଝିଥିବା ଲୋକଙ୍କ ପାଇଁ ଏହି ଭୂକଂପ ମହାବିପତ୍ତି ଡାକି ଆଣିଛି ।

Advertisment

ଏହି ବିପର୍ଯ୍ୟୟରେ ୧୦ଟି ସହରର ୨ କୋଟି ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି । ବିଶେଷଜ୍ଞଙ୍କ ମତରେ, ଟେକ୍ଟୋନିକ୍ ପ୍ଲେଟ୍ ବା ଭୂଖଣ୍ଡ ପରସ୍ପର ସହ ଘଷି ହେଲେ ଭୂମିକଂପ ହୋଇଥାଏ । ତେବେ ତୁର୍କୀ ଆଫ୍ରିକୀୟ, ଆରବୀୟ, ୟୁରେସୀୟ ଭୂଖଣ୍ଡର ମିଳନ ସ୍ଥଳରେ ଏକ ଜଟିଳ ଜୋନରେ ରହିଥିବାରୁ, ତାହା ଭୂକଂପ ପ୍ରବଣ । ତେଣେ ତୁର୍କୀରେ ବଡ଼ ଭୂକଂପ ଆସିବ ବୋଲି ୩ ଦିନ ଆଗରୁ ଜଣେ ଡଚ୍ ଭୂତତ୍ତ୍ବବିତ୍ ଫ୍ରାଙ୍କ ହୁଗରବିଟସ୍ ଏହି ଟୁଇଟ୍ ଜରିଆରେ ପୂର୍ବାନୁମାନ କରିଥିବା ଚର୍ଚ୍ଚା ହେଉଛି। 

Earthquake Turkey Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ