• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ତୁର୍କୀ ଓ ସିରିଆରେ ପ୍ରଳୟଙ୍କାରୀ ଭୂକମ୍ପକୁ ୬ ଦିନ ବିତିଛି । ହେଲେ ତଥାପି ଉଦ୍ଧାର କାର୍ଯ୍ୟ ସରିନି । ମାଟି ତଳେ ଆହୁରି ବହୁ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରଯାଉଛି । ସମୟ ଯେତେ ବଢୁଛି, ସେମାନଙ୍କର ବଞ୍ଚିଥିବାର ଆଶା ସରି ସରି ଆସୁଛି ।

ତେଣୁ ଜୋରଦାର କରାଯାଇଛି ଉଦ୍ଧାର କାର୍ଯ୍ୟ । ବିଶ୍ବର ବିଭିନ୍ନ ଦେଶର ବଛାବଛା ରେସ୍କ୍ୟୁ ଟିମ୍ ଦିନ ଓ ରାତି ୨୪ ଘଣ୍ଟା ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତୁର୍କୀରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସିରିୟାରେ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

ରେସ୍କ୍ୟୁ ଟିମ୍ ସବୁ ଅଞ୍ଚଳରେ ପହଞ୍ଚି ନଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଅନୁମାନ କରାଯାଉଛି । ୫ ଦିନ ପରେ ଆଉ ଜୀବନ ସତ୍ତାର ସମ୍ଭାବନା କ୍ଷୀଣ ଥିବା ସତ୍ତ୍ବେ ମନୋବଳ ହରାଇ ନାହାନ୍ତି ଉଦ୍ଧାରକାରୀ ଦଳ । ସେପଟେ ତୁର୍କୀ ଓ ସିରିଆରେ ଥଇଥାନ ଓ ପୁନରୁଦ୍ଧାର ପାଇଁ ସହାୟତାର ହାତ ବଢାଇଛନ୍ତି ବିଶ୍ବ ବ୍ୟାଙ୍କ୍ ଓ ଆମେରିକା ସମେତ ଅନ୍ୟ ଦେଶ ।

ସେହିଭଳି ଅପରେସନ୍ ଦୋସ୍ତ ଜରିଆରେ ଯଥାସମ୍ଭବ ମାନବିକ ସହାୟତା ଯୋଗାଇ ଦେଇ ଚର୍ଚ୍ଚାରେ ରହିଛି ଭାରତ। ତୁର୍କୀର ମହାବିପତ୍ତି ବେଳେ, ସହଯୋଗର ହାତ ବଢ଼ାଇଛି ଭାରତ । ତୁର୍କୀକୁ ୨ଟି C-17 ଗ୍ଲୋବମାଷ୍ଟର ବିମାନରେ ୧୦୦ ଏନ୍‌ଡିଆରଏଫ୍ ଯବାନ, ସ୍ୱତନ୍ତ୍ର ପ୍ରଶିକ୍ଷିତ ଡଗ୍ ସ୍କ୍ବାଡ୍, ଡ୍ରିଲିଂ ମେସିନ, ରିଲିଫ ସାମଗ୍ରୀ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ ଉପକରଣ ପଠାଯାଇଛି ।

ଅନ୍ୟପକ୍ଷରେ ଭାରତକୁ ବିପଦ ବେଳର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ତୁର୍କୀ ରାଷ୍ଟ୍ରଦୂତ ।