/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730732721.jpg)
Kamala Harris
ପ୍ରଥମ ମହିଳା ରାଷ୍ଟ୍ରପତି ନା ପୁଣି ଟ୍ରମ୍ପ ସରକାର ? କାହାର ହେବ ହ୍ୱାଇଟ୍ ହାଉସ୍ ? ରାତି ପାହିଲେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ମୈଦାନରେ ଭାରତୀୟ ବଂଶୋଦ୍ଭବ ତଥା ଭାଇସ୍ ପ୍ରେସିଡେଣ୍ଟ କମଳା ହାରିସ୍ ବନାମ ପୂର୍ବତନ ମିଷ୍ଟର ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପ। ଦ୍ୱିତୀୟ ଥର ଜିତି ଟ୍ରମ୍ପ ଇତିହାସ ରଚିବେ ନା ସରପ୍ରାଇଜ୍ ଦେବେ ହାରିସ୍?
ପ୍ରତି ୪ ବର୍ଷରେ, ନଭେମ୍ବର ମାସର ପ୍ରଥମ ମଙ୍ଗଳବାରରେ ହେଉଥିବା ପ୍ରେସିଡେନସିଆଲ ଇଲେକ୍ସନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍। ଭାରତୀୟ ସମୟ ମଙ୍ଗଳବାର ଅପରାହ୍ନ ସାଢେ ୪ଟାରୁ ବୁଧବାର ସକାଳ ସାଢେ ୬ଟା ଯାଏଁ ନିଆଯିବ ଭୋଟ୍। ମଙ୍ଗଳବାର ରାତି ସାଢେ ୨ଟାରୁ ଆରମ୍ଭ ହୋଇଯିବ ଏଗଜିଟ୍ ପୋଲ୍। ହେଲେ ଫାଇନାଲ ଫଳାଫଳ ଆସିବାକୁ ଲାଗିଯାଇପାରେ ଗୋଟିଏ ସପ୍ତାହର ସମୟ।
ଆମେରିକାରେ ମୋଟ ୫୦ ରାଜ୍ୟ। ମୋଟ୍ ଇଲେକ୍ଟୋରାଲ୍ କଲେଜ ଭୋଟ୍ ୫୩୮। ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ। ତେବେ ଆମେରିକାରେ ଖେଳ ବିଗାଡି ପାରନ୍ତି ୭ ସ୍ୱିଙ୍ଗ ଷ୍ଟେଟ୍ । ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩। ପେନସିଲଭେନିଆ ୧୯, ନର୍ଥ କାରୋଲିନା ୧୬, ଜର୍ଜିଆ ୧୬, ମିସିଗାନ୍ ୧୫, ଆରିଜୋନା ୧୧, ୱିସକନସିନ ୧୦ ଓ ନେବାଡାରେ ୬ ସିଟ୍ ରହିଛି। ଏହି ୭ ସ୍ବିଙ୍ଗ ଷ୍ଟେଟରେ କାଣ୍ଟେକା ଟକ୍କର ହେଉଛି। କୁହାଯାଉଛି, ଏମାନେ ହିଁ ସ୍ଥିର କରିବେ ରାଷ୍ଟ୍ରପତି ଆସନରେ ବସିବେ କିଏ।
କ୍ୟାମ୍ପେନ୍ ବେଳେ କମଳାଙ୍କ ଫୋକସରେ ଥିଲା ଗର୍ଭପାତ ପାଇଁ ସାମ୍ବିଧାନିକ ଅଧିକାର ସୁରକ୍ଷିତ କରିବାକୁ ବିଲ୍ ଆଣିବା, ଆଇନଗତ ଭାବେ ପ୍ରବାସୀଙ୍କ ପାଇଁ ନାଗରିକତ୍ୱ ନେଇ ରାସ୍ତା ଅଧିକ ସହଜ କରିବା, ସୀମା ସୁରକ୍ଷା ଓ ଶରଣାର୍ଥୀ ଅଧିକାର ନେଇ ଦ୍ୱିପାକ୍ଷିକ ବିଲ୍ ଉପରେ ଗୁରୁତ୍ବ। ନିଜକୁ ଜଣେ ସାଧାରଣ ମହିଳା ଓ ମିଡିଲ୍ କ୍ଲାସର ନେତା ବୋଲି କହୁଥିଲେ କମଳା। ପିପୁଲସ ପ୍ରେସିଡେଣ୍ଟର ନାରା ଦେବା ସହ କୁଶଳୀ ଶ୍ରମିକ ଭିସା H-1Bର ସମ୍ପ୍ରସାରଣକୁ ସମର୍ଥନ କରିଥିଲେ କମଳା।
ସେପଟେ ଟ୍ରମ୍ପଙ୍କ ମୁଦ୍ଦା ଓ ମତ ହେଲା, ଗର୍ଭପାତ ଆଇନ ପ୍ରଦେଶ ଦ୍ବାରା ସ୍ଥିର କରାଯିବା ଉଚିତ। କୌଣସି ପ୍ରସ୍ତାବିତ ଆଇନକୁ ସମ୍ମତି ଦେବି ନାହିଁ। ବେଆଇନ ପ୍ରବାସୀଙ୍କୁ ପଠାଇ ବଡ ଦେଶାନ୍ତର ଅଭିଯାନ ପ୍ରତିଶ୍ରୁତି ସହ ମେକ୍ସିକୋ ସୀମାରେ ଆରମ୍ଭ କରିଥିବା ପାଚେରୀ କାର୍ଯ୍ୟ ଶେଷ କରିବାକୁ ସ୍ପଷ୍ଟ କରିଛନ୍ତି ଟ୍ରମ୍ପ। ଦର ବୃଦ୍ଧି, ଅର୍ଥ ବ୍ୟବସ୍ଥା, ନିଯୁକ୍ତି ଭଳି ପ୍ରସଙ୍ଗ ଲଗାତାର ଉଠାଇଛନ୍ତି। ଯୁଦ୍ଧ ରୋକିବା ଓ ଶାନ୍ତି ରକ୍ଷା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ମେକ୍ ଆମେରିକା ଗ୍ରେଟ୍ ଆମେରିକାର ନାରା ଦେଇ ତୃଣମୂଳସ୍ତରର ନେତା ଭାବେ ନିଜକୁ ଉପସ୍ଥାପିତ କରିଛନ୍ତି ।
ଏବେ ଆସନ୍ତୁ ନଜର ପକାଇବା ଭାରତ ଉପରେ ଆମେରିକା ନିର୍ବାଚନର ପ୍ରଭାବ କଣ ରହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି NRI। ଆମେରିକାରୁ ସ୍ଥାନାନ୍ତରଣର ମୂଳ କାରଣର ମୁକାବିଲା ଓ ସୀମା ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛି କମଳା। କିନ୍ତୁ ଡୋନାଲ୍ଡ ଟ୍ରମ୍ପ କଠୋର ସୀମା ନିୟନ୍ତ୍ରଣ ଉପରେ ଜୋର ଦେଉଛନ୍ତି। ହାରିସଙ୍କ ସନ୍ତୁଳିତ ଆଭିମୁଖ୍ୟ, ଆମେରିକାରେ ରହୁଥିବା ଭାରତୀୟ ପରିବାରକୁ ସ୍ଥିରତା ଓ ସୁରକ୍ଷା ଯୋଗାଇପାରେ। ଯେଉଁଠି ଟ୍ରମ୍ପଙ୍କ କଠୋର ସୀମା ନୀତି ଏକ ଚ୍ୟାଲେଞ୍ଜିଂ ପରିବେଶ ସୃଷ୍ଟି କରିପାରେ। ଯାହା ଭାରତୀୟ କମ୍ପାନୀ ଓ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ।
କମଲା ହାରିସ୍ ବହୁପକ୍ଷ ବାଣିଜ୍ୟ ଚୁକ୍ତି ଏବଂ ଆଞ୍ଚଳିକ ସହଯୋଗ ଯଥା, ଇଣ୍ଡୋ-ପାସିଫିକ୍ ଇକୋନୋମିକ୍ ଫ୍ରେମୱାର୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ତେବେ ଟ୍ରମ୍ପ, ବାଣିଜ୍ୟ କାରବାରର ପୁନଃ ବୁଝାମଣା ଓ ଅଧିକ ଶୁଳ୍କ ଉପରେ ଧ୍ୟାନ ଦେଇ ସଂରକ୍ଷଣବାଦକୁ ଦୃଢ଼ ସମର୍ଥନ କରିଛନ୍ତି। କମଲାଙ୍କ ନୀତି ଭାରତର ବାଣିଜ୍ୟିକ ସ୍ୱାର୍ଥକୁ ସହାୟତା କରିବ। ଟ୍ରମ୍ପଙ୍କ ନୀତି ବୈଶ୍ୱିକ ବ୍ୟାପାରରେ ପ୍ରତିବନ୍ଧକ ସୃଷ୍ଟି କରିପାରେ।
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ସବୁଠୁ ଜଟିଳ। ଏଠି ପ୍ରତି ରାଜ୍ୟବାସୀ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ଭୋଟ୍ ଦିଅନ୍ତି। ଆମେରିକାବାସୀ ସିଧାସଳଖ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତି ନାହିଁ, ସେମାନେ ଏମିତି ଏକ ସମୂହଙ୍କୁ ଭୋଟ୍ ଦିଅନ୍ତି ଯାହାକୁ ଇଲେକ୍ଟର୍ସ କୁହାଯାଏ। ଇଲେକ୍ଟରଙ୍କ ସଂଖ୍ୟା ରାଜ୍ୟର ଜନସଂଖ୍ୟା ହିସାବରେ ନିର୍ଦ୍ଧାରଣ ହୋଇଥାଏ। ସାଧାରଣ ନିର୍ବାଚନ ପରେ ଇଲେକ୍ଟର, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ବାଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)