Trump-Zelensky Fight: ଟ୍ରମ୍ପ-ଜେଲେନସ୍କି ମଧ୍ୟରେ ଜୋରଦାର୍ ଯୁକ୍ତିତର୍କ, ଅନ୍ କ୍ୟାମେରା କାହିଁକି ହେଲା ଝଗଡ଼ା ?

ହ୍ୱାଇଟ୍ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟରେ ଜୋରଦାର୍ ଯୁକ୍ତିତର୍କ । ୟୁକ୍ରେନ-ଋଷିଆ ଯୁଦ୍ଧକୁ ନେଇ ମୁହାଁମୁହିଁ ହେଲେ ଦୁଇ ରାଷ୍ଟ୍ରପତି । ୟୁକ୍ରେନ ତୃତୀୟ ବିଶ୍ୱଯୁଦ୍ଧକୁ ଉସକାଉଛି ବୋଲି କହିଲେ ଟ୍ରମ୍ପ

ଟ୍ରମ୍ପ-ଜେଲେନସ୍କି କଥା କଟାକଟି

ୟୁକ୍ରେନ୍-ରୁଷ୍ ଯୁଦ୍ଧକୁ ନେଇ ହ୍ବାଇଟ୍ ହାଉସରେ ହାଇଡ୍ରାମା । ମୁହାଁମୁହିଁ ହେଲେ ଟ୍ରମ୍ପ-ଜେଲେନସ୍କି । ଗଣମାଧ୍ୟମ ଉପସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ବେଳେ ଦେଖିବାକୁ ମିଳିଛି କଡ଼ା ଯୁକ୍ତିତର୍କ । ୟୁକ୍ରେନ ତୃତୀୟ ବିଶ୍ୱଯୁଦ୍ଧକୁ ଉସକାଉଛି ବୋଲି କହିଛନ୍ତି ଟ୍ରମ୍ପ । ସ୍ଥିତି ଏପରି ହୋଇଥିଲା ଯେ, ଟ୍ରମ୍ପ ଜେଲେନସ୍କିଙ୍କୁ ହ୍ୱାଇଟ ହାଉସରୁ ଚାଲିଯିବାକୁ କହିଦେଲେ । ସେ ଜେଲେନସ୍କିଙ୍କୁ ବିଦାୟ ଦେବା ଲାଗି ବାହାରକୁ ବି ଯାଇନଥିଲେ । ଅନ୍ କ୍ୟାମେରା ଦୁଇ ବିଶ୍ୱନେତାଙ୍କ ଏହି ଝଗଡ଼ା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି ।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କୁ ଖୋଲାଖୋଲି ଧମକ ଦେଲେ ଟ୍ରୁଡୋ; କହିଲେ ଶୁଳ୍କ ଲାଗୁ କଲେ ଆମେ ବି ଛାଡ଼ିବୁନି...

କ'ଣ ଥିଲା ପୁରା ଘଟଣା:

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଗତକାଲି ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଉପସ୍ଥିତ ଥିଲେ । ୪୫ ମିନିଟ୍ ପର୍ଯ୍ୟନ୍ତ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ଠିକ୍‌ଠାକ୍ ଚାଲିଥିଲା । ହେଲେ ଅଚାନକ ଶେଷ ୧୦ ମିନିଟ୍ ଦୁହିଁଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇଥିଲା । ଯୁଦ୍ଧ ବିରାମରେ ସହମତି ହେବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କୁ ଚେତାବନୀ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । 

ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ଜେଲେନସ୍କି କହିଥିଲେ ରୁଷ୍ ଆମ ଦେଶର ବଡ଼ ଅଂଶ ମାଡିବସିଛି । ଆଗୁଆ ଆକ୍ରମଣ କରିଛି ଏବଂ ଆମ ନାଗରିକଙ୍କୁ ହତ୍ୟା କରିଛି । ୨୦୧୪ ଠାରୁ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ କେହି ହେଲେ ରୋକିବାକୁ ନାହାନ୍ତି । ୨୦୧୯ରେ ସେ ଯୁଦ୍ଧବିରାମ ଚୁକ୍ତି ସ୍ବାକ୍ଷର କରିଥିଲେ ମଧ୍ୟ ରୁଷ୍ ଚୁକ୍ତି ଭାଙ୍ଗିଥିଲା । ଆଉ ଏବେ ଯୁଦ୍ଧ ବିରାମ ଲଗାଇଲେ ୟୁକ୍ରେନକୁ ଆମେରିକା ସିକ୍ୟୁରିଟି ଗ୍ୟାରେଣ୍ଟି ଦେବ କି ବୋଲି ଜେଲେନସ୍କି ପ୍ରଶ୍ନ କରିବାରୁ ଏଥିରେ ଟ୍ରମ୍ପ ରାଗି ଯାଇଥିଲେ । 

ଆପଣ ଯୁଦ୍ଧ ନ ରୋକିଲେ ଏହା ତୃତୀୟ ବିଶ୍ବଯୁଦ୍ଧ ଆଡକୁ ମୁହାଁଇବ । ଏଥିଲାଗି ଆପଣଙ୍କୁ ଯୁଦ୍ଧ ରୋକିବାକୁ ପଡିବ ବୋଲି ଜେଲେନସ୍କିଙ୍କୁ ଟ୍ରମ୍ପ କହିଛନ୍ତି । ବୈଠକ ପରେ ଟ୍ରମ୍ପ କହିଛନ୍ତି ଜେଲେନସ୍କି ଶାନ୍ତି ପାଇଁ ରାଜି ନୁହଁନ୍ତି । ଏଥିସହ ଜେଲେନସ୍କି ଆମେରିକାକୁ ଅପମାନ କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଯେତେବେଳେ ଜେଲେନସ୍କି ଶାନ୍ତି ପାଇଁ ରାଜି ହେବେ ସେତେବେଳେ ଏଠାକୁ ଆସିପାରିବେ ବୋଲି କହିଛନ୍ତି ଟ୍ରମ୍ପ ।

ଅଧିକ ପଢ଼ନ୍ତୁ: ଏଲନ ମସ୍କଙ୍କ ପାଦ ଚାଟୁଥିଲେ ଟ୍ରମ୍ପ, ଟିଭିରେ ଚାଲିଲା ଭିଡିଓ, ଜାଣନ୍ତୁ କ'ଣ ଘଟଣା...