Advertisment

ଆଜି ମହାରାଣୀ ଏଲିଜାବେଥ୍ ନେବେ ଶେଷ ବିଦାୟ

ଆଜି ବ୍ରିଟେନ୍‌ର ଦିବଙ୍ଗତ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ରାଜକୀୟ ପରମ୍ପରା ହେବ। ଲଣ୍ଡନର ୱେଷ୍ଟମିନ୍‌ଷ୍ଟର ହଲ୍‌ରେ ରଖାଯାଇଥିବା ମହାରାଣୀଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବାକୁ ଜନତାଙ୍କ ଲମ୍ବା ଲାଇନ୍ ଲାଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Queen Elizabeth II Funeral

Queen Elizabeth II Funeral

ଆଜି ବ୍ରିଟେନ୍‌ର ଦିବଙ୍ଗତ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ରାଜକୀୟ ପରମ୍ପରା ହେବ। ଲଣ୍ଡନର ୱେଷ୍ଟମିନ୍‌ଷ୍ଟର ହଲ୍‌ରେ ରଖାଯାଇଥିବା ମହାରାଣୀଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବାକୁ ଜନତାଙ୍କ ଲମ୍ବା ଲାଇନ୍ ଲାଗିଛି। ରାଜକୀୟ ପରମ୍ପରା ଅନୁସାରେ, ଆଜି ଅତି ଭବ୍ୟ ଆକାରରେ ଏହି ଅନ୍ତିମ ସଂସ୍କାର ସମାରୋହ ଆୟୋଜନ ହେବ। 

Advertisment

ଜାଣନ୍ତୁ, କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟ ଙ୍କ ଶେଷକୃତ୍ୟର କାର୍ଯ୍ୟସୂଚୀ (ଭାରତୀୟ ସମୟ ଅନୁସାରେ)....

ଦିନ ୧୧ଟା- ଏଲିଜାବେଥ୍ ଦ୍ୱିତୀୟଙ୍କ କଫିନ୍ ଥିବା ୱେଷ୍ଟମିନ୍‌ଷ୍ଟର ହଲ୍‌ର ଦ୍ୱାର ଜନସାଧାରଣଙ୍କ ପାଇଁ ବନ୍ଦ ହେବ 

Advertisment

ଅପରାହ୍ଣ ୩ଟା ୧୪ ମିନିଟ୍‌- ୱେଷ୍ଟମିନ୍‌ଷ୍ଟର ହଲ୍‌ରୁ ରାଜକୀୟ ଶୋଭାଯାତ୍ରା ୱେଷ୍ଟମିନ୍‌ଷ୍ଟର ଆବି ଅଭିମୁଖେ ବାହାରିବ। ଷ୍ଟେଟ୍ ଗନ୍ କ୍ୟାରେଜ୍ ବା ରାଜକୀୟ ତୋପ ଗାଡ଼ିରେ ଏଲିଜାବେଥ୍‌ଙ୍କ ମରଶରୀର ଥିବା କଫିନ୍‌କୁ ସସମ୍ମାନେ ରୟାଲ୍ ନେଭିର ୧୪୨ ଜଣ ନୌସୈନିକ ବୋହି ନେବେ। ଏହାସହ ସାଥିରେ ରୟାଲ୍ ମରିନ୍ ବ୍ୟାଣ୍ଡ୍ ବାଦ୍ୟଯନ୍ତ୍ର ପରିବେଷଣ କରିବେ। ପଛରେ କିଙ୍ଗ୍ ଚାର୍ଲସ୍ ତୃତୀୟ ଏବଂ ପ୍ରିନ୍ସ ଓ୍ୱିଲିୟମଙ୍କ ସମେତ ରାଜପରିବାର ଚାଲିବେ।

ଅପରାହ୍ଣ ୩ଟା ୨୨- ୱେଷ୍ଟମିନ୍‌ଷ୍ଟର ଆବିର ଦ୍ୱାର ନିକଟରେ କଫିନ୍ ପହଞ୍ଚିବ ଏବଂ ତାକୁ ଭିତରକୁ ନିଆଯିବ 

ଅପରାହ୍ଣ ୩ଟା ୩୦- ପାରମ୍ପରିକ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଆରମ୍ଭ ହେବ। ୱେଷ୍ଟମିନ୍‌ଷ୍ଟର ଡେଭିଡ୍ ହୋଏଲ୍‌ର ଡିନ୍ ଏହାର ନେତୃତ୍ୱ ନେବେ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍‌ଙ୍କ ସମେତ ରାଜନୈତିକ ଓ ଧାର୍ମିକ ନେତାମାନେ ପ୍ରାର୍ଥନା କରିବେ।

ଅପରାହ୍ଣ ୪ଟା ୨୫- ୱେଷ୍ଟମିନ୍‌ଷ୍ଟର ଆବି ଭିତରେ ଏବଂ ସମଗ୍ର ବ୍ରିଟେନ୍‌ରେ ୨ ମିନିଟ ପାଇଁ ନିରବତା ଅବଲମ୍ବନ କରାଯିବ 

ଅପରାହ୍ଣ ୪ଟା ୩୦- ଶେଷକୃତ୍ୟ କାର୍ଯ୍ୟକ୍ରମ ସମାପନ ହେବ ଏବଂ ଶେଷରେ ବ୍ରିଟେନ୍‌ର ଜାତୀୟ ସଙ୍ଗୀତ ଗଡ୍ ସେଭ୍ ଦି କିଙ୍ଗ୍ ପରିବେଷିତ ହେବ। ରାଣୀଙ୍କ ପାଇପର୍ ବା ତୁରୀ ବାଦକମାନେ ଶୋକବ୍ୟକ୍ତ କରିବେ। ଏହାପରେ ଅନ୍ୟ ଏକ ଶୋଭାଯାତ୍ରାରେ ଲଣ୍ଡନର ବିଭିନ୍ନ ରାସ୍ତା ଦେଇ ରାଣୀଙ୍କ କଫିନ୍ ଯାତ୍ରା କରିବ ଏବଂ ସେତେବେଳେ ଲଗାତାର ବିଗ୍‌ବେନ୍‌ ଘଣ୍ଟା ବାଜି ଚାଲିବ। 

ଅପରାହ୍ଣ ୫ଟା ୩୦- ଲଣ୍ଡନର ୱେଲିଙ୍ଗଟନ୍ ଆର୍କରେ କଫିନ୍ ପହଞ୍ଚିବ ଏବଂ ସେଠାରୁ ରାଜକୀୟ ଶବବାହକ ଯାନରେ ପ୍ରାୟ ୩୫ କିଲୋମିଟର ଦୂର ୱିଣ୍ଡ୍‌ସର୍‌ କ୍ୟାସେଲ୍‌କୁ ନିଆଯିବ 

ରାତି ୭ଟା ୩୬- କଫିନ୍ ୱିଣ୍ଡ୍‌ସର୍‌ରେ ପହଞ୍ଚିବା ପରେ ସେଠାରୁ ଶୋଭାଯାତ୍ରାରେ ଆଲବର୍ଟ ରୋଡ୍‌କୁ ନିଆଯିବ। ଏହି ଶୋଭାଯାତ୍ରାରେ କଫିନ୍ ପଛେ ପଛେ ରାଜା ଏବଂ ଅନ୍ୟ ରାଜପରିବାର ସଦସ୍ୟ ଚାଲିଚାଲି ସେଣ୍ଟ୍ ଜର୍ଜ ଚାପେଲ୍ ଯାଏ ଯିବେ।  

ରାତି ୮ଟା ୩୦- ସେଣ୍ଟ୍ ଜର୍ଜ ଚାପେଲ୍‌ରେ ୱିଣ୍ଡ୍‌ସର୍‌ ଡିନ୍‌ଙ୍କ ଦ୍ୱାରା ଅନ୍ତିମ ପାରମ୍ପରିକ କାର୍ଯ୍ୟ ସମ୍ପାଦନ ହେବ ଏବଂ କ୍ୟାଣ୍ଟବରି ଆର୍କ ବିଶପ୍‌ଙ୍କ ଆଶୀର୍ବାଦ ସହ ଶେଷ ହେବ। 

ରାତି ୧୨ଟା- ୱିଣ୍ଡ୍‌ସର୍‌ କ୍ୟାସେଲ୍‌ର କିଙ୍ଗ୍ ଜର୍ଜ ଷଷ୍ଠ ମେମୋରିଆଲ୍ ଚାପେଲ୍‌ରେ କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କୁ କବର ଦିଆଯିବ।

ରାଣୀ ଏଲିଜାବେଥ୍‌ଙ୍କ ରାଜକୀୟ ଅନ୍ତ୍ୟେଷ୍ଟିରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ଲଣ୍ଡନକୁ ଅତିଥିଙ୍କ ସୁଅ ଛୁଟିଛି। ୩ ଦିନିଆ ଲଣ୍ଡନ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ୱେଷ୍ଟମିନ୍‌ଷ୍ଟର ହଲ୍‌କୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ, ଆଜି ଶେଷକୃତ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।

Britain Queen Elizabeth II Queen Elizabeth II Funeral
Advertisment
Advertisment