• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ମେକ୍ସିକୋ ପାଇଁ ଅଭିଶପ୍ତ ସାବ୍ୟସ୍ତ ହେଲା ସେପ୍ଟେମ୍ବର ୧୯ । ଏହି ତାରିଖରେ ପୁଣି ଥରିଲା ମେକ୍ସିକୋ । ପୁଣି ଥରେ ଅର୍ଥ- ୧୯୮୫ ଓ ୨୦୧୭ରେ ବି ସେପ୍ଟେମ୍ବର ୧୯ରେ ମେକ୍ସିକୋରେ ହୋଇଥିଲା ଭୟଙ୍କର ଭୂମିକମ୍ପ । ଆଉ ଚଳିତ ସେପ୍ଟେମ୍ବର ୧୯ରେ ପୁଣି ସେଠାରେ ଆସିଛି ୭.୬ ତୀବ୍ରତାର ଭୂକଂପ । ୧୯୮୫ ଓ ୨୦୧୭ର ଭୂକଂପରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ କେଉଁଠି ଲୋକେ ଏକାଠି ହୋଇ ପ୍ରାର୍ଥନା କରୁଥିଲେ, ପରସ୍ପରକୁ ସମବେଦନା ଜଣାଉଥିଲେ; ତ ଆଉ କେଉଁଠି ଭୂକଂପରୁ ବର୍ତ୍ତିବା କୌଶଳ ଶିଖାଇବା ପାଇଁ ମକଡିଲ୍ ହେଉଥିଲା ।

ଆଉ ହଠାତ୍ ଥରି ଉଠିଲା କୋଠା, ଟ୍ରାଫିକ୍ ସିଗନାଲ, ସିଲିଂ ଫ୍ୟାନ୍ ଓ ସୁଇମିଂ ପୁଲର ପାଣି ଇତ୍ୟାଦି । ଲୋକମାନେ ଆତଙ୍କିତ ହୋଇ ଏଣେ ତେଣେ ଦୌଡ଼ିବାରେ ଲାଗିଲେ । ସେପ୍ଟେମ୍ବର ୧୯ରେ ମେକ୍ସିକୋରେ ହୋଇଥିବା ଏହି ଭୂକଂପରେ ଅତିକମରେ ୨ ଜଣଙ୍କର ଜୀବନ ଯାଇଥିବା ବେଳେ କିଛି କୋଠା ଓ ସପିଂ ମଲ୍ କ୍ଷତିଗ୍ରସ୍ତ ହୋଇଛି । ମିଚୋଆକାନ୍ ରାଜ୍ୟର ଲା ପ୍ଲାସିଟା ଡି ମୋରେଲୋସ୍ ସହର ଏହି ଭୂକଂପର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି ।

ଉତ୍ତର ଆମେରିକା ମହାଦେଶର ଦକ୍ଷିଣଭାଗରେ ଥିବା ମେକ୍ସିକୋ ୧୯୮୫ ଓ ୨୦୧୭ ମସିହା ସେପ୍ଟେମ୍ବର ୧୯ରେ ମଧ୍ୟ ସାମ୍ନା କରିଥିବା ଦୁଇଟି ଭୟଙ୍କର ଭୂମିକଂପ । ୨୦୧୭ ମସିହାରେ ୪୦ଟି କୋଠା ଭୁଶୁଡ଼ିଥିଲା ଏବଂ ୩୭୦ ଜଣଙ୍କ ଜୀବନ ଯାଇଥିଲା । ହେଲେ ୨୦୧୯ ଭୂକମ୍ପ ଥିଲା ଅତି ହୃଦୟ ବିଦାରକ । ୮.୧ ତୀବ୍ରତାର ଏହି ଭୂକଂପ ୨ ମିନିଟ୍ ଯାଏଁ ରହିଥିଲା । ଏଥିରେ ୨ ଲକ୍ଷ ୫୦ ହଜାର ଘର କ୍ଷତିଗ୍ରସ୍ତ ହେବା ସହିତ ୩୦ ହଜାର ଆହତ ହୋଇଥିଲେ । ମୃତ୍ୟୁ ସଂଖ୍ୟା ଥିଲା ୧୦ ହଜାରରୁ ଅଧିକ ।

ତେବେ ପୁଣି ସେହି ତାରିଖରେ ଆସିଥିବା ଭୂମିକମ୍ପ ଲୋକଙ୍କୁ କେବଳ ଆତଙ୍କିତ କରିନି, ଉତ୍ସୁକ ମଧ୍ୟ କରିଛି ଏୟା ଜାଣିବାକୁ ଯେ, ସତରେ କଣ ମେକ୍ସିକୋ ପାଇଁ ସେପ୍ଟେମ୍ବର ୧୯ ଅଭିଶପ୍ତ ?