Advertisment

ଆହୁରି ଘମାଘୋଟ ହେବ ଇସ୍ରାଏଲ-ହମାସ୍ ଯୁଦ୍ଧ, ଏୟାରଷ୍ଟ୍ରାଇକ୍ ପରେ ଗାଜାରେ ପଶିବେ ଇସ୍ରାଏଲୀ ସେନା

ସୀମାରେ ସୀମିତ ନରହି, ଯୁଦ୍ଧ ଯେତେବେଳେ ଜନବସତିରେ ପଶେ। ଆକାଶ ମାର୍ଗରୁ ଧ୍ୱଂସର ତାଣ୍ଡବ, ଏମିତି ହିଁ କିଛି ଦିଶେ। ଯେଉଁଠି ବଡ଼ ବଡ଼ କୋଠା-ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶେ। ସେଠି ଖାଲି ଖୋଲା ଆକାଶ ନୁହେଁ, ଚାରିକାନ୍ଥ ଭିତରେ ବି, ଛାତିରେ ଛନକା ପଶେ।

author-image
Santosh Kumar Sahoo
Israel War

Israel War

ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧକୁ ସପ୍ତାହେ ପୂରିବ। ଇସ୍ରାଏଲୀ ଡିଫେନ୍ସ ଫୋର୍ସ ଓ ଫିଲିସ୍ତିନ ହମାସ୍ ଆତଙ୍କୀଙ୍କ ମଧ୍ୟରେ ଲାଗିରହିଛି ଘମାଘୋଟ ସଂଘର୍ଷ। ଗାଜା ପଟ୍ଟି ଧୂଳିସାତ୍, ଲେବାନନ ଆଡ଼ୁ ଆକ୍ରମଣର ଶିକାର ହେଉଛି ଇସ୍ରାଏଲ। ଯୁଦ୍ଧର ଚକ୍ରବ୍ୟୁହରେ ଫସିଛନ୍ତି ଲକ୍ଷ ଲକ୍ଷ ନିରୀହ ଜନତା। ଉଭୟ ପକ୍ଷରୁ ମୃତ୍ୟୁସଂଖ୍ୟା ପ୍ରାୟ ୪ହଜାରକୁ ବଢ଼ିଥିବା ବେଳେ, ଆଶଙ୍କା କରାଯାଉଛି ଯେ ଆଗକୁ ଯୁଦ୍ଧ ଆହୁରି ଭୟଙ୍କର ହେବ। ମଧ୍ୟପ୍ରାଚ୍ୟର ମାନବୀୟ ସଂକଟ ବର୍ଣ୍ଣନା କରିବାକୁ ହୁଏତ ଶବ୍ଦ ବି କମ୍ ପଡ଼ିବ।

Advertisment

ସୀମାରେ ସୀମିତ ନରହି, ଯୁଦ୍ଧ ଯେତେବେଳେ ଜନବସତିରେ ପଶେ। ଆକାଶ ମାର୍ଗରୁ ଧ୍ୱଂସର ତାଣ୍ଡବ, ଏମିତି ହିଁ କିଛି ଦିଶେ। ଯେଉଁଠି ବଡ଼ ବଡ଼ କୋଠା-ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶେ। ସେଠି ଖାଲି ଖୋଲା ଆକାଶ ନୁହେଁ, ଚାରିକାନ୍ଥ ଭିତରେ ବି, ଛାତିରେ ଛନକା ପଶେ। କି ଇସ୍ରାଏଲ୍, କି ଗାଜା... ସବୁଠି ନିରୀହ ହିଁ ଭୋଗୁଛନ୍ତି ଅକଥନୀୟ ସଜା । ଇଏ ଇସ୍ରାଏଲର ଦୃଶ୍ୟ, ଯେଉଁଠି ହମାସ୍‌ର ରକେଟ୍ ମାଡ଼ରେ ସବୁକିଛି ପୋଡ଼ି ଛାରଖାର ହୋଇଯିବା ପରେ, ଘର ଛାଡ଼ି ଅନ୍ୟତ୍ର ପଳାଉଛନ୍ତି ଇହୁଦୀ ପରିବାର।

ଆଉ ଇଏ ଗାଜାର ଦୃଶ୍ୟ, ଯେଉଁଠି ଘର କହିଲେ ଗଦା ଗଦା କଂକ୍ରିଟ, ଆଉ ଜୀବନ କହିଲେ ଅସରନ୍ତି ଯନ୍ତ୍ରଣା। ଗାଜାରେ ଅଢ଼େଇ ଲକ୍ଷ ଲୋକ ବାସହରା ହୋଇଯାଇଥିବା ବେଳେ, ପାଦେ ପାଦେ ଖାଇ ଗୋଡ଼ାଉଛି ମୃତ୍ୟୁ। ପାଣି ନାହିଁ, ଖାଦ୍ୟ ନାହିଁ, ବିଜୁଳି ବି ନାହିଁ । ହସ୍ପିଟାଲକୁ ମୃତାହତଙ୍କ ସୁଅ ଛୁଟୁଥିବା ବେଳେ, ସେଠି ବି ବେଡ୍ ନାହିଁ, ଔଷଧ ନାହିଁ । ଚିକିତ୍ସା ଉପକରଣ ହି ସରିଆସିଲାଣି । ଇସ୍ରାଏଲର ଅବରୋଧ ଘୋଷଣା ପରେ, ନର୍କ ଯନ୍ତ୍ରଣା ଭୋଗୁଛନ୍ତି ନିଷ୍ପାପ କୋମଳମତି ଶିଶୁଙ୍କୁ ମିଶାଇ ପ୍ରାୟ ୨୩ ଲକ୍ଷ ଲୋକ।

Advertisment

ଯୁଦ୍ଧଯନ୍ତ୍ରଣାର ଇଏ ତ ଉପକ୍ରମ ମାତ୍ର। ଆଗକୁ ହୁଏତ ଲେଖାହେବ ଦିସ୍ତା ଦିସ୍ତା ରକ୍ତାକ୍ତ ଫର୍ଦ୍ଦ। କାରଣ ଗାଜା ଉପରେ ୬ ଦିନ ହେଲା ଏୟାରଷ୍ଟ୍ରାଇକ ପରେ, ଏଥର ଭିତରେ ପଶି ଗ୍ରାଉଣ୍ଡ ଅପରେସନ ପାଇଁ ତୟାର ଇସ୍ରାଏଲୀ ସେନା। ହମାସର ମୂଳପୋଛ ପାଇଁ ଘର ଘର ଅଣ୍ଡାଳିବେ, ଭୂତଳ ଟନେଲ୍ ବି ଘାଣ୍ଟିବେ । ଶେଷ ହମାସ୍ ଆତଙ୍କୀ ନିପାତ ନହେବା ଯାଏଁ ଏବଂ ଶେଷ ଅପହୃତ ଘରକୁ ନଫେରିବା ଯାଏଁ ଗାଜାକୁ ଟୋପାଏ ବି ପାଣି ଛାଡ଼ିବୁ ନାହିଁ ବୋଲି ଚେତାବନୀ ଇସ୍ରାଏଲ୍।

ଏବେ ଇସ୍ରାଏଲକୁ ଉଭୟ ଗାଜା ଓ ଲେବାନନ ପଟୁ ରକେଟ୍ ମାଡ଼ ସହିବାକୁ ପଡ଼ୁଛି । ହେଲେ ଏହାକୁ ଆକାଶ ମାର୍ଗରେ ହିଁ ପ୍ରତିହତ କରୁଛି ଇସ୍ରାଏଲର ବହୁଚର୍ଚ୍ଚିତ ଆଇରନ୍ ଡୋମ୍ ଟେକ୍ନୋଲୋଜି। ଜନବସତି ଅଞ୍ଚଳକୁ ଟାର୍ଗେଟ୍ ହେଉଥିବା ପ୍ରତିଟି ରକେଟକୁ ଗଣି ଗଣି ଉଡ଼ାଉଛି ଇସ୍ରାଏଲର ଜବାବୀ ରକେଟ୍। ସତେ ଯେମିତି ଇସ୍ରାଏଲକୁ ଘଣ୍ଟ ଘୋଡ଼ାଇଛି ଆଇରନ୍ ଡୋମ୍ ବା ଲୌହ ଗମ୍ବୁଜ। ସେପଟେ ଆଜି ଆମେରିକା ବୈଦେଶିକ ମନ୍ତ୍ରୀ ତେଲ୍ ଅଭିଭ୍ ରେ ପହଞ୍ଚି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ସମସ୍ତ ପ୍ରକାର ସାମରିକ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଯୁଦ୍ଧସ୍ଥିତି ଆଗକୁ ଆହୁରି ଭୟଙ୍କର ହୋଇପାରେ ।

ଏପଟେ ଆଜି ଇସ୍ରାଏଲରୁ ହେଉଛି 'ଅପରେସନ୍ ଅଜୟ'ର ପ୍ରଥମ ଉଡ଼ାଣ। ପ୍ରଥମ ବ୍ୟାଚରେ ୨୩୦ ଜଣ ଭାରତୀୟଙ୍କୁ ଧରି ଆଜି ରାତିରେ ବେନ୍ ଗୁରିଅନ୍ ଏୟାରପୋର୍ଟରୁ ଉଡ଼ିବ ପ୍ରଥମ ଫ୍ଲାଇଟ୍ । ସ୍ୱଦେଶ ଫେରିବାକୁ ଇଚ୍ଛୁକ ଭାରତୀୟଙ୍କ ଲାଗି ମାଗଣାରେ ଚାର୍ଟର ଫ୍ଲାଇଟ ଓ ଅନ୍ୟ ବନ୍ଦୋବସ୍ତ କରିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ସେପଟେ ତେଲ ଅଭିଭ୍ ଓ ରାମାଲାରେ ସହାୟତା ଓ ପଞ୍ଜୀକରଣ ବ୍ୟବସ୍ଥା ହୋଇଥିବା ବେଳେ, ଏପଟେ ଦିଲ୍ଲୀରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅପରେସନ୍ ଅଜୟ ଓ ସେସଂପର୍କିତ ସମସ୍ତ ପ୍ରକ୍ରିୟାର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ।

ସୂଚନା ଅନୁସାରେ, ଇସ୍ରାଏଲରେ ପ୍ରାୟ ୧୮ରୁ ୨୦ ହଜାର ଭାରତୀୟ ରହୁଥିବା ବେଳେ, ସେମାନଙ୍କ ମଧ୍ୟରୁ ପ୍ରାୟ ୧୪ ହଜାର ଲୋକ ଇସ୍ରାଏଲୀ ବୟୋବୃଦ୍ଧଙ୍କ କେୟାର ଗିଭର୍ ଭାବେ ସହାୟକ ଭାବେ କାର୍ଯ୍ୟ କରନ୍ତି । ଅନ୍ୟମାନେ ମୁଖ୍ୟତଃ ହୀରା ବ୍ୟବସାୟୀ, ଆଇଟି ପ୍ରଫେସନାଲ୍ ଓ ଡାକ୍ତରୀ ଛାତ୍ରଛାତ୍ରୀ।

Israel Palestine
Advertisment
Advertisment