• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ, ବିଭିନ୍ନ ୟୁକ୍ରେନୀୟ ସହରର ଜନବସତି ଓ ଆପାର୍ଟମେଣ୍ଟ ଗୁଡ଼ିକୁ ଟାର୍ଗେଟ୍ କରୁଛି ଋଷ । ଲୋକେ ଯୁଦ୍ଧ ଭୟରେ ବାହାରକୁ ବାହାରିବା ପାଇଁ ଡରୁଥିବା ବେଳେ ଘର ଭିତର ବି ଆଉ ସୁରକ୍ଷିତ ହୋଇ ନାହିଁ । ଆପାର୍ଟମେଣ୍ଟ ଗୁଡ଼ିକ ଆକ୍ରମଣର ଶିକାର ହେବା ଯୋଗୁଁ ବହୁ ଲୋକଙ୍କ ଜୀବନ ବି ଯାଉଛି । ଏପଟେ ୟୁକ୍ରେନ୍ ଆକଳନ ଅନୁସାରେ ଋଷ ସେନା ଆଉ ମାସେ ଦୁଇମାସ ପରେ ଯୁଦ୍ଧ ଜାରି ରଖିପାରିବ ନାହିଁ । ତେଣେ ଋଷରେ ବି ତେଜୁଛି ଯୁଦ୍ଧ ବିରୋଧୀ ପ୍ରତିବାଦ ।

ଯୁଦ୍ଧ ୨୧ ଦିନରେ ପହଞ୍ଚିଥିବା ବେଳେ ଏଭିତରେ ଋଷ ୯୦୦ରୁ ଅଧିକ ମିଜାଇଲ୍ ମାଡ଼ କଲାଣି ବୋଲି ଆମେରିକା ଦାବି କରିଛି । ଗତକାଜି କିଭର ୨ଟି ରେସିଡେନ୍ସିଆଲ୍ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି । ଅଗ୍ନିଶମ ଦଳ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଏହାପରେ କିଭରେ ୩୬ ଘଣ୍ଟିଆ କର୍ଫ୍ୟୁ ଲାଗୁକରିଛନ୍ତି ସେଠାକାର ମେୟର୍ ।

ସେପଟେ ନିପ୍ରୋ ଅଞ୍ଚଳର ମୁଖ୍ୟ ବିମାନବନ୍ଦର ବି ମିଜାଇଲ୍ ଆଟାକରେ କ୍ଷତିଗ୍ରସ୍ତ ହୋଇଛି । ଦେଶବ୍ୟାପୀ ଏୟାର୍ ଆଟାକ୍ ଓ୍ୱାର୍ଣ୍ଣିଂ ଜାରି କରିଛି । ତେଣେ ମେ ମାସ ବେଳକୁ ଋଷୀୟ ଆକ୍ରମଣ ଶେଷ ହେବ ଏବଂ ଋଷୀୟ ସେନା ସମ୍ବଳ ଅଭାବରୁ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହେବେ ବୋଲି ଆକଳନ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ।

ଏଭିତରେ ଋଷ ଅଳ୍ପ କିଛି ଦିନ ଭିତରେ ୟୁକ୍ରେନ୍ କବଜା କରିନେବ ବୋଲି ଆରମ୍ଭରୁ ଯେଉଁ ଅନୁମାନ କରାଯାଉଥିଲା, ତାହା ମଧ୍ୟ ଭୁଲ୍ ପ୍ରମାଣିତ ହୋଇଛି । ବହୁ ଋଷୀୟ ଟ୍ୟାଙ୍କକୁ ଧ୍ୱଂସ କରିଦେଇଛି ୟୁକ୍ରେନର ଅପେକ୍ଷାକୃତ ଛୋଟ ଛୋଟ ଆଣ୍ଟିଟ୍ୟାଙ୍କ୍ ମିଜାଇଲ୍ । ଏଥିସହ ବରଫପାତ ଯୋଗୁଁ ଏବେ ୟୁକ୍ରେନର ରାସ୍ତାଘାଟରେ କାଦୁଅରେ ଭର୍ତ୍ତି ହୋଇଯାଉଥିବାରୁ ଋଷୀୟ ଟ୍ୟାଙ୍କ୍ ଶୀଘ୍ର ଆଗେଇପାରୁନି ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

ୟୁକ୍ରେନ୍ ଉପରେ ଋଷୀୟ ଆକ୍ରମଣକୁ ନିନ୍ଦା କରି ବିଶ୍ୱର ବିଭିନ୍ନ ଦେଶରେ ଲୋକେ ରାସ୍ତାକୁ ଓହ୍ଲାଉଥିବା ବେଳେ ଖୋଦ୍ ଋଷରେ ବି ହଜାର ହଜାର ଲୋକ ଯୁଦ୍ଧ ବନ୍ଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରି ଗିରଫ ହେଉଛନ୍ତି । ତେବେ ଗିରଫଦାରୀ ଏଡ଼ାଇବାକୁ ବହୁ ଆନ୍ଦୋଳନକାରୀ କୋଡ୍ ଓ୍ୱାର୍ଡରେ ମେସେଜ୍ ପଠାଇ ଲୋକଙ୍କୁ ଏକଜୁଟ କରୁଛନ୍ତି । ଆସ ଚାଲିବାକୁ ଯିବା କିମ୍ବା ଚାଲିବା ପାଇଁ ଭଲ ପାଗ ହୋଇଛି ଭଳି କୋଡ୍ ଓ୍ୱାର୍ଡ ଏବଂ ସୂର୍ଯ୍ୟମୁଖୀ ଫୁଲ କିମ୍ବା ଚାଲୁଥିବା ମଣିଷର ଇମୋଜି ଆଦି ଅଧିକ ବ୍ୟବହାର ହେଉଛି ।

ସେପଟେ ୟୁକ୍ରେନ୍ ନଛାଡ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାଇଥିଲେ ସେଠାକାର ରାଜନେତା ସ୍ଥିତି ଆକଳନ ନକରି ଛାତ୍ରଛାତ୍ରୀଙ୍କୁ ଦେଇଥିଲେ ଭ୍ରମାତ୍ମକ ସୂଚନା । ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ପକ୍ଷରୁ ବି ମିଳିଥିଲା କ୍ୟାରିୟର୍ ନଷ୍ଟ ହୋଇଯିବାର ଧମକ । ଭାରତୀୟ ଦୂତାବାସର ଆଗୁଆ ଆଡଭାଇଜରୀ ସତ୍ତ୍ୱେ ୟୁକ୍ରେନରେ ରହିବାକୁ ନିଷ୍ପତ୍ତି ନେଇଥିଲେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ । ୟୁକ୍ରେନ୍ ସ୍ଥିତି ଓ ଭାରତୀୟଙ୍କୁ ଉଦ୍ଧାର ପ୍ରସଙ୍ଗରେ ଗତକାଲି ରାଜ୍ୟସଭାକୁ ଅବଗତ କରିବା ବେଳେ ଏହା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । କହିଛନ୍ତି ଅପରେସନ୍ ଗଙ୍ଗା ସୁବୁଠୁ ଆହ୍ୱାନପୂର୍ଣ୍ଣ ଉଦ୍ଧାର ଅଭିଯାନ ଥିଲା ଏବଂ ଏଥିରେ ୨୨ ହଜାର ୫ଶହ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି ।