ବଲିଉଡ୍ ଫିଲ୍ମ ବିକି ଡୋନର୍ ତ ଆପଣମାନେ ଦେଖିଥିବେ ... କିନ୍ତୁ ବାସ୍ତବ ଜୀବନରେ ଏହା ସତ ହେବ ଆପଣ କେବେ କଳନା କରିଥିଲେ କି !! କିନ୍ତୁ ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭ ଏପରି ଏକ ପଦକ୍ଷେପ ନେଇଛନ୍ତି ଯଦ୍ୱାରା ଏହା ବର୍ତ୍ତମାନ ସତ ହେବାକୁ ଯାଉଛି । ତାଙ୍କର ଏହି ନିଷ୍ପତ୍ତି ଟେଲିଗ୍ରାମକୁ ଅବଶ୍ୟ କୌଣସି ଲାଭ ଦେବ ନାହିଁ । ‘ଭିକି ଡୋନର’ ଫିଲ୍ମ ଅନୁସାରେ, ଜଣେ ଯୁବକ ନିଜର ସ୍ପର୍ମ (Sperm) ଦାନ କରି ଅନେକ ଦମ୍ପତ୍ତିଙ୍କୁ ପିତାମାତା ହେବାର ଗୌରବ ପ୍ରଦାନ କରେ ।
ଯଦିଓ ପାଭେଲଙ୍କ ନିଷ୍ପତ୍ତି ଉଦ୍ଦେଶ୍ୟମୂଳକ ଏବଂ ଗଠନମୂଳକ, କିନ୍ତୁ ଏହା ମଧ୍ୟ ଫିଲ୍ମ ପରି ସମାନ ଲକ୍ଷ୍ୟ ରଖି ନିଆଯାଇଛି । ଯେଉଁମାନେ ପରିବାର ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ହେଉଛି ପାଭେଲଙ୍କ ଲକ୍ଷ୍ୟ । ତାଙ୍କ ଶୁକ୍ରାଣୁ ବ୍ୟବହାର କରିବାକୁ ପସନ୍ଦ କରୁଥିବା ମହିଳାମାନଙ୍କ ପାଇଁ ମାଗଣା ଆଇଭିଏଫ୍ (In Vitro Fertilization) ଯୋଗାଇ ଦେବା ପାଇଁ ଡୁରୋଭ ଏକ ଟପ୍ ପ୍ରଜନନ କ୍ଲିନିକ୍ ଅଲଟ୍ରାଭିଟା ସହ ରାଜିନାମା କରିଛନ୍ତି ।
ଅଧିକ ପଢ଼ନ୍ତୁ: INR VS USD: ଟ୍ରମ୍ପ ଜିତିବା ପରେ… ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା
Also Read
ତେବେ କଥା ଏତିକିରେ ସରିନି .. ପାଭେଲ ଆଇଭିଏଫ୍ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି । ଅନ୍ୟପଟେ ଅଲଟ୍ରାଭିଟା କ୍ଲିନିକ ହିଁ କେବଳ ପାଭେଲଙ୍କର ସ୍ପର୍ମ ରଖିବାର ଅଧିକାର ହାସଲ କରିଛି । ଫଳରେ ଯେଉଁ ମହିଳାମାନେ ପାଭେଲଙ୍କ ସ୍ପର୍ମ ଦ୍ୱାରା ଫର୍ଟିଲାଇଜ୍ ହେବାକୁ ଚାହିଁବେ, ସେମାନଙ୍କୁ ଉକ୍ତ କ୍ଲିନିକ ତରଫରୁ ମାଗଣାରେ ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବ । ଏଥିପାଇଁ ଆଗ୍ରହୀ ଥିବା ମହିଳାମାନେ ଉକ୍ତ କ୍ଲିନିକ ସହ ଯୋଗାଯୋଗ କରିପାରିବେ ।
ସେଠାରେ ହିଁ ପ୍ରାରମ୍ଭିକ ପରାମର୍ଶ ପରେ, ଡାକ୍ତର ଆଇଭିଏଫ୍ ପଦ୍ଧତି ବିଷୟରେ ବୁଝାଇ ପରୀକ୍ଷା କରିବେ । ତେବେ ଯୋଗ୍ୟତା ହାସଲ କରିବାକୁ, ଆବେଦନକାରୀମାନେ ୩୭ ବର୍ଷରୁ କମ୍ ରହିବା ଆବଶ୍ୟକ । ଏହା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉକ୍ତ କ୍ଲିନିକର ମାନଦଣ୍ଡ ପୂରଣ କରିବା ଆବଶ୍ୟକ । ସୂଚନାଯୋଗ୍ୟ, ପାଭେଲ ଥରେ ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଶୁକ୍ରାଣୁ ଦାନର ଯାତ୍ରା ସମ୍ପର୍କରେ କହିଥିଲେ ।
ସେ କହିଥିଲେ, ମୋର ୧୦୦ରୁ ଅଧିକ ବାୟୋଲୋଜିକାଲ୍ ପିଲା ଅଛନ୍ତି । ତେବେ ଜଣେ ଅବିବାହିତ ଏବଂ ଏକୁଟିଆ ରହିବାକୁ ପସନ୍ଦ କରୁଥିବା ବ୍ୟକ୍ତି ପକ୍ଷେ ଏହା କିପରି ସମ୍ଭବ ହେଲା (!) ବୋଲି ସେ ହସି ହସି ପ୍ରଶ୍ନ କରିଥିଲେ । ତେବେ ଏହାର ଉତ୍ତର ମଧ୍ୟ ସେ ନିଜେ ହିଁ ଦେଇଥିଲେ । ସେ କହିଥିଲେ, ପାଖାପାଖି ୧୫ ବର୍ଷ ପୂର୍ବେ ତାଙ୍କର ଜଣେ ବନ୍ଧୁ ନିଜ ପତ୍ନୀଙ୍କ ସହ ଆସି ତାଙ୍କଠାରୁ ସ୍ପର୍ମ ମାଗିଥିଲେ ।
ସେମାନଙ୍କର କୌଣସି ପ୍ରକାରେ ସନ୍ତାନ ହେଉନଥିଲା । ପ୍ରଥମେ ସେ ଏହାକୁ ମଜାକ୍ରେ ନେଇ ହସି ଦେଇଥିଲେ, କିନ୍ତୁ ପରେ ସତ ବୋଲି ଜାଣିବା ପରେ ତାଙ୍କର ହୋଶ୍ ଉଡ଼ିଯାଇଥିଲା । ସେବେ ହିଁ ଏହି ଆଇଡିଆ ତାଙ୍କ ମୁଣ୍ତରେ ପଶିଥିବା ପାଭେଲ କହିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ପାଭେଲଙ୍କ ସ୍ପର୍ମ ୧୨ ଟି ଦେଶରେ ଶହେରୁ ଅଧିକ ପରିବାରକୁ ସାହାଯ୍ୟ କରିଥିବା ଜଣାପଡ଼ିଛି । ସେ ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିରେ ସୁସ୍ଥ ଶୁକ୍ରାଣୁର ଅଭାବ ସାରା ବିଶ୍ୱରେ ଏକ ଗମ୍ଭୀର ସମସ୍ୟା ରୂପେ ଉଭା ହୋଇଛି ।