Advertisment

ତାଲିବାନୀ ଆତଙ୍କୀଙ୍କ ଆତଙ୍କରାଜ: ସାମ୍ବାଦିକଙ୍କୁ ପିଟିଲେ; ଫୋନ୍‌, କ୍ୟାମେରା ଛଡ଼ାଇ ନେଲେ

ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ଧୀରେ ଧୀରେ ଅସଲ ରୂପ ଦେଖାଉଛି ତାଲିବାନ୍‌। ତାଲିବାନୀ ଆତଙ୍କୀଙ୍କ ଆତଙ୍କରେ ଭୟଭୀତ ହୋଇ ପଡ଼ିଛନ୍ତି ଆଫଗାନବାସୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Journalist Jiyar Yaad

Journalist Jiyar Yaad

କାବୁଲ: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ଧୀରେ ଧୀରେ ତାଲିବାନ୍‌ ଏହାର ଅସଲ ରୂପ ଦେଖାଉଛି। ତାଲିବାନୀ ଆତଙ୍କୀଙ୍କ ଆତଙ୍କରେ ଭୟଭୀତ ହୋଇ ପଡ଼ିଛନ୍ତି ଆଫଗାନବାସୀ। ସାମ୍ବାଦିକଙ୍କୁ ମାଡ଼ ମରାଯିବା ଖବର ପୂର୍ବରୁ ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଜଣେ ସାମ୍ବାଦିକଙ୍କୁ ତାଲିବାନୀ ଆତଙ୍କୀ ମାଡ଼ ମାରିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ତାଲିବାନୀ ସୈନିକମାନେ ଟୋଲୋ ନ୍ୟୁଜ୍‌ର ସାମ୍ବାଦିକ ଜିୟାର ୟାଦ୍‌ଙ୍କୁ ରିପୋର୍ଟିଂ ବେଳେ ମାଡ଼ ମାରିଥିବା ଜଣାପଡ଼ିଛି। ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ପରେ ନିଜେ ଜିୟାର ମୃତ୍ୟୁ ଖବରକୁ ଖଣ୍ଡନ କରିଥିଲେ।

ଟୋଲୋ ନ୍ୟୁଜ୍‌ ଚ୍ୟାନେଲ୍‌ର କହିବା ଅନୁସାରେ, ଜିୟାର ଓ କ୍ୟାମେରାମ୍ୟାନ୍‌ କାବୁଲର ହାଜି ୟାକୁବ ଅଞ୍ଚଳରେ ଗରିବ ଓ ବେରୋଜଗାର ସମସ୍ୟାକୁ ନେଇ ରିପୋର୍ଟିଂ କରୁଥିଲେ। ଏହି ସମୟରେ ତାଲିବାନୀ ଆତଙ୍କୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଘଟଣାକୁ ନେଇ ଜିୟାର ୟାଦ୍‌ ଖାନ୍‌ ଟ୍ୱିଟ୍‌ କରି କହିଛନ୍ତି, ‘ରିପୋର୍ଟିଂ କରୁଥିବା ବେଳେ କାବୁଲର ନ୍ୟୁ ସିଟିରେ ତାଲିବାନୀ ସୈନିକମାନେ ମାଡ଼ ମାରିଥିଲେ। ମୋ ସହଯୋଗୀଙ୍କୁ ମଧ୍ୟ ସେମାନେ ପିଟିଥିଲେ। ସେମାନେ ଆମ୍ଭମାନଙ୍କ ଫୋନ୍‌, କ୍ୟାମେରା ଓ ଅନ୍ୟାନ୍ୟ ଜିନିଷ ସବୁ ଛଡ଼ାଇ ନେଇଥିଲେ। ତେବେ କିଛି ଲୋକ ମୋର ମୃତ୍ୟୁ ହୋଇଥିବା ଖବର ପ୍ରଚାର କରିଦେଲେ, ଯାହା ମିଛ।’ 

Advertisment

ସୂଚନାଥାଉ କି, ଏହାପୂର୍ବରୁ ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକୀଙ୍କୁ ତାଲିବାନୀ ଆତଙ୍କୀ ହତ୍ୟା କରିଥିଲେ। ଦାନିଶ ନ୍ୟୁଜ ଏଜେନ୍ସି ରଏଟର ପାଇଁ କାମ କରୁଥିଲେ। ସେ କନ୍ଦାହାରର ସ୍ଥିତିକୁ ନେଇ ଖବର ଦେଇ ଆସୁଥିଲେ। ରଏଟର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦାନିଶ ତାଲିବାନ ଏବଂ ଆଫଗାନ ଆର୍ମି ମଧ୍ୟରେ ଚାଲିଥିବା ଯୁଦ୍ଧ ଖବର ଉପରେ କଭର କରୁଥିଲେ। ସେହି ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା। 

Attack On Journalist Jiyar Yaad
Advertisment
Advertisment