• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ୍ : ଦେଶବାସୀ ଭୋକରେ ଆଉଟୁ ପାଉଟୁ ହେଉଥିବା ବେଳେ ବିଶ୍ୱ ସମୁଦାୟକୁ ଧମକ୍ ଦେଲା ତାଲିବାନ୍ । କିଛି ଦିନ ପୂର୍ବରୁ ସାହାଯ୍ୟ କରିବାକୁ ଗୁହାରୀ କରୁଥିଲା,ଆଜି ଧମକ ଦେଉଛି । ଆମେରିକା ଓ ଅନ୍ୟ ବିଶ୍ୱସ୍ତରୀୟ ଶକ୍ତିମାନଙ୍କୁ ଆଫଗାନିସ୍ତାନରେ ସେମାନଙ୍କର ସରକାରକୁ ସ୍ୱୀକୃତି ଦେବାରେ ସମୟ ନଷ୍ଟ ନକରିବାକୁ ଆହ୍ୱାନ ଦେଇଛି ତାଲିବାନ୍ । ସ୍ୱୀକୃତି ପ୍ରଦାନ ନକଲେ କେବଳ ଦେଶ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ବଡ଼ ସମସ୍ୟା ହେବ । ଏହାସହ ପରିଣାମ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ତାଲିବାନ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଆମେରିକାକୁ ଇଙ୍ଗିତ କରି ସୂଚନା ଓ ସଂସ୍କୃତି ବିଭାଗର ଉପ ମନ୍ତ୍ରୀ ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି, ତାଲିବାବନ୍ ସରକାରଙ୍କୁ ସ୍ୱୀକୃତି ନିମଳିଲେ ଆଫଗାନିସ୍ତାନ ସମସ୍ୟା ଜାରି ରହିବ । ଆଗକୁ ଶୀତ ଦିନ ଆସୁଛି । ସେତେବେଳେ ସମସ୍ୟା ଅଧିକ ବଳେଇ ପଡ଼ିବ । ଦେଶରେ ସମସ୍ୟା ହେଲେ ବିଶ୍ୱ ପାଇଁ ମଧ୍ୟ ସମସ୍ୟା ଉପୁଜିବ ବୋଲି କାବୁଲରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ।

ଦେଶର ସରକାରକୁ ସ୍ୱୀକୃତି ମିଳିବା ଆଫଗାନିସ୍ତାନବାସୀଙ୍କ ଅଧିକାର । ଏପରି ନହେବା ଦ୍ୱାରା ଆଫଗାନିସ୍ତାନର ସମ୍ପତ୍ତି ଏବଂ ଟଙ୍କା ଜବତ ହୋଇପଡ଼ିଛି । ଲୋକଙ୍କ ଆବଶ୍ୟକତା ସମୟରେ ବ୍ୟବହାର ହୋଇପାରୁନି । ବର୍ତ୍ତମାନ ସମୟରେ ଦେଶ ଏକ ଗୁରୁତର ଅର୍ଥନୈତିକ ଏବଂ ମାନବିକ ସଙ୍କଟ ଦେଇ ଗତି କରୁଛି । ଆଉ ଏପରି ସମୟରେ ଦେଶକୁ ସାହାଯ୍ୟ ନମିଳିଲେ ଗଚ୍ଛିତ ସମ୍ପତ୍ତିର କୌଣସି ମୂଲ୍ୟ ନାହିଁ ।

ବନ୍ଧୁକ ମୁନରେ ତାଲିବାନ୍ ଆଫଗାନିସ୍ତାନ ଦଖଲ ପରଠାରୁ କୌଣସି ଦେଶ ନୂଆ ସରକାରକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇନାହାଁନ୍ତି । ପ୍ରତିନିଧୀ ସ୍ତରୀୟ ବୈଠକ ମାଧ୍ୟମରେ ତାଲିବାନ୍ ସରକାର ବିଶ୍ୱ ସମୁଦାୟ ସହ ଆଲୋଚନା କରିବା ପାଇଁ ପ୍ରୟାସ ଚଳାଇଛି । ତୁଳନାତ୍ମକ ଭାବେ ଅତୀତରେ ତାଲିବାନୀ ଗୋଷ୍ଠୀର ପରିବର୍ତ୍ତିତ ଭାବମୂର୍ତ୍ତି ଏବଂ ଦୃଷ୍ଟିକୋଣ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଉଛି ।

ତାଲିବାନ ପ୍ରତିନିଧୀମାନେ ଚୀନ୍ ସମେତ ବିଭିନ୍ନ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିକଟରେ ଭେଟିଛନ୍ତି । ଆଫଗାନିସ୍ତାନର ସରକାରଙ୍କୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟରେ ପାରସ୍ପରିକ ବୁଝାମଣା ସୃଷ୍ଟି କରିବାକୁ ବରିଷ୍ଠ ବୈଦେଶିକ ଅଧିକାରୀମାନେ ନିକଟରେ କାବୁଲ ଗସ୍ତ କରିଛନ୍ତି । ବର୍ତ୍ତମାନ ସମୟରେ ବିଶ୍ୱ ସମୁଦାୟ ଦ୍ୱାରା ସ୍ୱୀକୃତି ମିଳିନଥିବାରୁ ୧୦ ବିଲିୟନ ଡଲାରର ବିଦେଶୀ ସମ୍ପତ୍ତି ବ୍ୟବହାର କରୁପାରୁନି ତାଲିବାନ୍ ସରକାର ।