/odishatv-khabar/media/post_attachments/uploadimage/library/16_9/16_9_0/Taliban_1630425058.jpg)
Taliban
କାବୁଲ: ପଡିଲା ଆମେରିକା ଇତିହାସରେ ଦୀର୍ଘତମ ଯୁଦ୍ଧର ଯବନିକା। ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ ମାଟି ଖାଲି କରି ସ୍ୱଦେଶ ଫେରିଲେ ସବୁ ସୈନ୍ୟ। ୨୦୨୦ ଫେବ୍ରୁଆରିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ତାଲିବାନ୍ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଅଗଷ୍ଟ ୩୧ ଡେଡଲାଇନ୍ ଦିନକ ପୂର୍ବରୁ କାବୁଲ୍ ଛାଡିଛନ୍ତି ଆମେରିକୀୟ ସୈନ୍ୟ। ଏହାପରେ କାବୁଲ ବିମାନବନ୍ଦର କବଜା କରିବା ସହ ତାଲିବାନ ବିଜୟ ଉତ୍ସବ ପାଳନ କରିଥିବା ବେଳେ ବିଦେଶୀ ଆକ୍ରମଣକାରୀମାନେ ଆଫଗାନିସ୍ତାନ ଘଟଣାରୁ ଶିକ୍ଷାଲାଭ କରିବା ଦରକାର ବୋଲି କହିଛି।
Also Read
ଇତିହାସ ମନେ ରଖିଲାଭଳି ଦୁଇଟି ଦୃଶ୍ୟକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ଅଗଷ୍ଟ ୩୦, ରାତି ୧୨ଟା ବାଜିବାକୁ ଠିକ୍ ୧ ମିନିଟ୍ ବାକି ରହିଥିଲା। କାବୁଲ ଏୟାରପୋର୍ଟରେ ଠିଆ ହୋଇଥିବା ମିଲିଟାରୀ ବିମାନରେ ବସିଥିଲେ ଆମେରିକାର ସେନାଧିକାରୀ ମେଜର ଜେନେରାଲ କ୍ରିସ୍ ଡୋନାହ୍ୟୁ। ଯାହାଙ୍କ ଫଟୋ ଏବେ ବିଶ୍ୱବ୍ୟାପୀ ଭାଇରାଲ ହେବାରେ ଲାଗିଛି। ଏପଟେ ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଲିବାନର ବିଜୟ ଉତ୍ସବ ପାଳନ କରିଛି। ବାହ୍ୟ ଶକ୍ତି କବଳରୁ ଦେଶକୁ ମୁକ୍ତ କରିଥିବା ଦର୍ଶାଇ ଶୂନ୍ୟରେ ଫାୟାରିଂ ସହ ଅନ୍ଧାର ଆକାଶରେ ଗୁଳିର ବର୍ଷା ହୋଇଛି। ଆଉ ଏପଟେ ଆତଙ୍କୀ ତାଲିବାନୀ ଶାସନର ସୂର୍ଯୋଦୟ ସହ ସକାଳ ହେଉ ହେଉ ବିମାନ ବନ୍ଦରରେ ତାଲିବାନୀ କମାଣ୍ଡୋ ପ୍ରବେଶ କରିଥିଲେ।
ଏବେ ତାଲିବାନୀ ଏଲିଟ୍ ଫୋର୍ସ ବଦ୍ରି-୩୧୩ ନିୟନ୍ତ୍ରଣରେ କାବୁଲ୍ ଏୟାରପୋର୍ଟ। ଆଉ ଏୟାରପୋର୍ଟକୁ ନିୟନ୍ତ୍ରଣକୁ ନେବାକ୍ଷଣି ଆଫଗାନିସ୍ତାନ ଘଟଣାରୁ ବିଦେଶୀ ଆକ୍ରମଣକାରୀ ଶିକ୍ଷାଲାଭ କରିବା ଦରକାର ବୋଲି କହିଛି ତାଲିବାନ।
ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ସଂପୂର୍ଣ୍ଣ ହଟିଯାଇଛନ୍ତି ଆମେରିକୀୟ ଓ ନାଟୋ ସୈନ୍ୟ । ଆଉ ଆତଙ୍କୀ ତାଲିବାନୀଙ୍କ ହାତରେ ଛାଡ଼ି ଯାଇଛନ୍ତି ଫାଇଟର ଜେଟ୍, ହେଲିକପ୍ଟର, ତୋପ, ଟ୍ୟାଙ୍କ, ଗୁଳିଗୋଳା, ବିପୁଳ ଅତ୍ୟାଧୁନିକ ରାଇଫଲସ, ସାମରିକ ଗାଡ଼ି ସହ ପ୍ରାୟ ଅଢ଼େଇ ଲକ୍ଷ କୋଟି ଡଲାରର ବିପଦଜନକ ଯୁଦ୍ଧାସ୍ତ୍ର, ଅତ୍ୟାଧୁନିକ ସାଜ ସରଞ୍ଜାମ। ବିନା ଯୁଦ୍ଧ, ରକ୍ତପାତରେ ଆମେରିକାଠାରୁ ଏଭଳି ବିପୁଳ ଅସ୍ତ୍ରଭଣ୍ଡାରକୁ ମାଗଣାରେ ହାତେଇଇବାର ଖୁସି ସ୍ପଷ୍ଟ ଜଣାଯାଉଛି ତାଲିବାନଙ୍କ ମୁହଁରୁ। କିଏ ହ୍ୟାଙ୍ଗର ଭିତରେ ବୁଲିଲେଣି, ତ କିଏ ହେଲିକପ୍ଟର କକପିଟ୍ରେ ବସିଲେଣି ତ କିଏ ଅତ୍ୟାଧୁନିକ ଟ୍ୟାଙ୍କ ଉପରେ ଚଢ଼ି ନିରୀକ୍ଷଣ କଲେଣି। କେହି କେହି ଲଡାକୁ ଲ୍ଫି ନେବା ସହ ଫଟୋ ପୋଜ୍ ବି ଦେଲେଣି। ୨୦ ବର୍ଷ ଧରି ଯେଉଁ ଯୁଦ୍ଧାସ୍ତ୍ରରେ ଆମେରିକା ତାଲିବାନକୁ ଦମନ କରିବାରେ ପ୍ରୟୋଗ କରୁଥିଲା, ସେସବୁ ଏବେ ଯେତେବେଳେ ସେଇ ତାଲିବାନୀଙ୍କ କବଜାକୁ ଆସିଯାଇଛି, ତେଣୁ ଆତଙ୍କୀ ସଙ୍ଗଠନ ପାଇଁ ୟାଠୁ ବଳି ବଡ଼ କଥା ଆଉ କଣ ହୋଇପାରେ?
ଏସବୁ ଏବେ ତାଲିବାନର ଶତ୍ରୁ , ଆଫଗାନୀ ଜନତା ଏପରିକି ଆମେରିକା ପାଇଁ ବଡ଼ ବିପଦ। ହେଲେ ୟୁଏସ୍ର ଦାବି, ଆମେରିକୀୟ ସୈନ୍ୟ କାବୁଲ ଛାଡ଼ିବା ପୂର୍ବରୁ ଏସବୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର, ଯୁଦ୍ଧ ବିମାନ, ହେଲିକପ୍ଟର, ସାଞ୍ଜୁଆା ଗାଡ଼ି ସବୁକୁ ଅକାମୀ କରି ଦେଇଛନ୍ତି। ଅର୍ଥାତ୍ ଏଇ ହେଲିକପ୍ଟର ଉପରେ ଏମିତି ତାଲିବାନୀ କମାଣ୍ଡୋ ଖାଲି ବସିବେ ସିନା ଉଡ଼େଇ ପାରିବେନି। ଆମେରିକା ସେଣ୍ଟ୍ରାଲ କମାଣ୍ଡ୍ ମୁଖ୍ୟ ଜେନେରାଲ କେନିଥ୍ ମାକେଞ୍ଜିଙ୍କ ସୂଚନା ଅନୁଯାୟୀ ବିମାନବନ୍ଦରରେ ଥିବା ୭୩ଟି ମିଲିଟାରୀ ଏୟାରକ୍ରାଫ୍ଟକୁ ଏଭଳି ଅଚଳ କରାଯାଇଛି ଯେ, ଭବିଷ୍ୟତରେ କେହି ବି ଏହାକୁ ଉଡ଼ାଇ ପାରିବେନି। ସେହିପରି ଏଠାରେ ଥିବା ୭୦ଟି MRAP ଆର୍ମର୍ର୍ଡ ଟ୍ୟାକଟିକାଲ ଭେହିକଲ୍ ଓ ୨୭ଟି ହମ୍ଭିଜରୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ କାଢି ନିଆଯାଇଛି। ଗୋଟିଏ ଗୋଟିଏ ଗାଡିରେ ଦାମ୍ ୧୦ ଲକ୍ଷ ଆମେରିକୀୟ ଡଲାର ହୋଇଥିବା ବେଳେ, ଏହା ତାଲିବାନର କୌଣସି କାମରେ ଆସିବ ନାହିଁ। ସେହିପରି ଅନ୍ୟପକ୍ଷରେ କାବୁଲ ବିମାନବନ୍ଦରକୁ ରକେଟ୍ ମାଡ଼ରୁ ସୁରକ୍ଷା ଦେଉଥିବା C-RAM କ୍ଷେପଣାସ୍ତ୍ର ନିରୋଧ ବ୍ୟବସ୍ଥାକୁ ବି ଅକାମୀ କରି ଦିଆଯାଇଛି।
ଏପଟେ ଆମେରିକା ସାମରିକ ବାହିନୀ ଆଫଗାନିସ୍ତାନ ଛାଡୁ ଛାଡୁ ଏପର୍ଯ୍ୟନ୍ତ ଅପରାଜେୟ ଥିବା ପଞ୍ଜଶିରକୁ କବଜାକୁ ନେବା ଲାଗି ଏହା ଉପରେ ତାଲିବାନୀ ଲଡାକୁ ହମଲା ଆରମ୍ଭ କରିଦେଇଥିବା ଖବର ଆସୁଛି। ଗତ ରାତିରେ ତାଲିବାନୀ ଯୋଦ୍ଧାଙ୍କ ପଞ୍ଜଶିର ପ୍ରବେଶ ଉଦ୍ୟମ ବେଳେ ନର୍ଦ୍ଦନ୍ ଆଲାଏନ୍ସ ସହ ଜୋରଦାର ସଂଘର୍ଷ ହୋଇଛି। ଯେଉଁଥିରେ ଉଭୟ ପକ୍ଷରୁ ବହୁ ମୃତାହତ ହୋଇଛନ୍ତି। ନର୍ଦ୍ଦନ ଆଲାଏନ୍ସର ଦାବି ଅନୁଯାୟୀ ଏଇ ସଂଘର୍ଷରେ ୭ରୁ ୮ ଜଣ ତାଲିବାନୀ ପ୍ରାଣ ହରାଇଛନ୍ତି। ଅପରପକ୍ଷେ କେବଳ ପଞ୍ଜଶିରକୁ ଛାଡ଼ିଦେଲେ ପୂରା ଆଫଗାନିସ୍ତାନରେ ଆରମ୍ଭ ହୋଇଥିବା ତାଲିବାନୀ ରାଜକୁ ନେଇ ଉତ୍କଣ୍ଠା ଓ ଆଶଙ୍କାରେ ସାରା ବିଶ୍ୱ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)