• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ତାଲିବାନ୍‌ଙ୍କ ବର୍ବରତା ସୀମା ଟପିଲା

  • ମହିଳାଙ୍କ ସହ ସାମ୍ବାଦିକଙ୍କୁ ପ୍ରବଳ ମାଡ଼ ମାରିଲେ

କାବୁଲ : ସରକାର ଗଠନ ପରେ ବର୍ବରତା ସୀମା ଟପିଲା । ଆଫଗାନିସ୍ତାନରେ ଆରମ୍ଭ ହୋଇଗଲା ତାଲିବାନୀ ଶାସନ । କେତେବେଳେ ମହିଳା ପୋଲିସଙ୍କୁ ଜୀବନରୁ ମାରିଦେଲେଣି ତ ଆଉ କେତେବେଳେ ସାଧାରଣ ଲୋକଙ୍କ ଉପରକୁ ଗୁଳି ଚଳାଇଲେଣି । ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରଠାରୁ ସାଧାରଣ ଲୋକେ ଚିନ୍ତାରେ ଅଛନ୍ତି । ଗତ କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହିଳାମାନେ ନିର୍ଭୟରେ ଏହି ପ୍ରଦର୍ଶନକୁ ଆଗେଇ ନେଉଛନ୍ତି ।

ଆଉ ଏହି କାରଣରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳା, ସାଧାରଣ ଜନତା ଏବଂ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛି ତାଲିବାନ ସରକାର । ତାଲିବାନ ଦ୍ୱାରା ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା ହେବା ପରେ ମହିଳାମାନେ କାବୁଲର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରୁଛନ୍ତି ଏବଂ ସରକାରରେ ପଦବୀ ଦାବି କରିଛନ୍ତି । ଯଦିଓ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ ସେତେଟା ପ୍ରଭାବୀ ନଥିଲା ତଥାପି ଏହା ତାଲିବାନ୍ ଶାସନକୁ ଥରାଇ ଦେଇଛି । ଏହାର ଜବାବରେ ତାଲିବାନୀ ସୈନ୍ୟ ମହିଳାଙ୍କୁ ମାଡ ମାରିବା ସହ ସେଠାରେ ଉପସ୍ଥିତ ସାମ୍ବାଦିକଙ୍କୁ ମଧ୍ୟ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ।

ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତାଲିବାନ ସୈନ୍ୟମାନେ ମହିଳାଙ୍କୁ ମଧ୍ୟ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହାସହ ତାଲିବାନୀ ସୈନ୍ୟ ମହିଳା ଏବଂ ସାମ୍ବାଦିକମାନଙ୍କୁ ବ୍ୟାଟରେ ପ୍ରବଳ ପିଟୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଅନେକ ସାମ୍ବାଦିକଙ୍କୁ ଗିରଫ କରିବା ସହ ତାଙ୍କୁ ଜେଲରେ ଅକଥନୀୟ ଅତ୍ୟାଚାର କରୁଛନ୍ତି ।

ସେହିପରି ତାଲିବାନ କ୍ଷମତାକୁ ଆସିବା ପରେ ମହିଳାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇବା ଯୋଗୁଁ ମଧ୍ୟ ଏହାର ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଆଫଗାନୀ ମହିଳା । ପୁଅ ଏବଂ ଝିଅମାନେ ସ୍କୁଲ ଏବଂ କଲେଜରେ ଏକାଠି ପାଠ ପଢ଼ି ପାରୁନାହାନ୍ତି । ପୋଷାକ ପରିଧାନ ସମ୍ମନ୍ଧରେ ମଧ୍ୟ ଅନେକ ବାରଣ ରହିଛି । ବର୍ତ୍ତମାନ ମହିଳାଙ୍କୁ କାମ କରିବାକୁ ଅନୁମତି ଦିଆଯାଇ ନାହିଁ । ଫଳରେ ତାଲିବାନ୍ ସରକାରଙ୍କ ବିରୋଧରେ ସ୍ୱର ଉଠାଉଛନ୍ତି ସାଧାରଣ ଜନତା । ସେପଟେ ବର୍ତ୍ତମାନ ସରକାର ଗଠନ ହେବାର ତୁରନ୍ତ ପରେ ବିନା ଅନୁମତିରେ କେହି ବିକ୍ଷୋଭ ପ୍ରଦର୍ଶନ କରିପାରିବେ ନାହିଁ ବୋଲି ତାଲିବାନ୍ ସଂଗଠନ ପକ୍ଷରୁ କୁହାଯାଇଛି ।