• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ବଦଳିଗଲା କି ତାଲିବାନୀ ଶାସନ । ମହିଳାଙ୍କ ପାଇଁ ଉଦାରବାଦୀ ନୀତି ଗ୍ରହଣ କରିବା ପରେ ଚାରିଆଡ଼େ ଚର୍ଚ୍ଚା ହେଉଛି । ତେବେ ଏହାକୁ ତାଲିବାନ ଶାସନ ଉପରେ ଆନ୍ତର୍ଜାତୀୟ ଚାପର ପ୍ରଭାବ ବୋଲି ମଧ୍ୟ କୁହାଯାଉଛି । ବର୍ତ୍ତମାନ ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ନେଇ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି । ନୂତନ ଆଦେଶରେ ଅନୁସାରେ ମହିଳାଙ୍କୁ ଆଉ ସମ୍ପତ୍ତି ଭାବରେ ବ୍ୟବହାର କରିବେ ନାହିଁ । ବଳପୂର୍ବକ ବିବାହ ଉପରେ ରୋକ୍ ଲଗାଇଛନ୍ତି ତାଲିବାନ୍ ସରକାର । କେବଳ ଏତିକି ନୁହେଁ ବିବାହ ପାଇଁ ମହିଳାଙ୍କ ସହମତି ନେବା ଆବଶ୍ୟକ ବୋଲି କୁହାଯାଇଛି । ତେବେ ଏପର୍ଯ୍ୟନ୍ତ ମହିଳାଙ୍କ ଶିକ୍ଷା ଏବଂ କାମ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ନାହିଁ ।

ଦିନକୁ ଦିନ ଆଫଗାନିସ୍ତାନର ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି । ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଆଫଗାନିସ୍ତାନକୁ ମିଳୁଥିବା ସମସ୍ତ ଫଣ୍ଡ୍ ବନ୍ଦ କରିଦିଆଯାଇଛି । ଏପରିସ୍ଥଳେ ମହିଳାଙ୍କ ଅଧିକାର ସମ୍ପର୍କରେ କୌଣସି ସଠିକ୍ ନିଷ୍ପତ୍ତି ନେବାପାଇଁ ତାଲିବାନ୍ ସରକାରଙ୍କ ଉପରେ ଲଗାତାର ଚାପ ପଡ଼ୁଥିଲା । ଆଉ ଏହାକୁ ଦୃଷ୍ଟିରେ ରଖି ତାଲିବାନ୍ ସରକାର ଶେଷରେ ନୂଆ ନିଷ୍ପତ୍ତି ନେଇଛନ୍ତି । 'ମହିଳାମାନେ କାହାର ସମ୍ପତ୍ତି ନୁହଁନ୍ତି, ବରଂ ଜଣେ ଜଣେ ମୁକ୍ତ ମଣିଷ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ।

ବର୍ତ୍ତମାନ ମହିଳାମାନଙ୍କ ଉପରେ ବିବାହ ପାଇଁ ଚାପ ପ୍ରୟୋଗ କରାଯିବ ନାହିଁ

ନୂତନ ନିୟମ ଅନୁସାରେ ବର୍ତ୍ତମାନ ବିବାହ ପାଇଁ ମହିଳାମାନଙ୍କ ଉପରେ କୌଣସି ଚାପ ପ୍ରୟୋଗ କରାଯିବ ନାହିଁ । ଏହା ସହିତ ବିଧବା ମହିଳାମାନଙ୍କୁ ତାଙ୍କ ସ୍ୱାମୀଙ୍କ ସମ୍ପତ୍ତିରେ ଅଂଶ ପ୍ରଦାନ କରାଯିବ । ବର୍ତ୍ତମାନ କୋର୍ଟ ନିଷ୍ପତ୍ତି ଶୁଣାଇବା ସମୟରେ ନୂତନ ଆଦେଶକୁ ଧ୍ୟାନରେ ରଖି ବିଚାର କରିବେ ।

ତାଲିବାନ ଶାସନର ଆସିବା ପରେ ସ୍ଥିତି ଖରାପ ହେବାରେ ଲାଗିଛି

ତେବେ ବର୍ତ୍ତମାନ ତାଲିବାନ ଦ୍ୱାରା ମହିଳାଙ୍କ ଶିକ୍ଷା ଏବଂ କାମ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପୂର୍ବରୁ ମହିଳାମାନଙ୍କୁ ପାଠ ପଢ଼ିବା ଏବଂ କାମ କରିବାକୁ ମଧ୍ୟ ଅନୁମତି ଦିଆଯାଇଥିଲା । ତାଲିବାନ କ୍ଷମତାରୁ ଯିବା ପରେ ଦୀର୍ଘ ୨ ଦଶନ୍ଧି ଧରି ମହିଳାଙ୍କ ସ୍ୱାଧୀନତାରେ ଉନ୍ନତି ଆସିଥିଲା। କିନ୍ତୁ ତାଲିବାନ ଶାସନରେ ମହିଳାଙ୍କ ଶିକ୍ଷା ଓ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ମହିଳାମାନେ ଏ ବିଷୟରେ ଦେଶର ରାସ୍ତାରେ ତୀବ୍ର ପ୍ରଦର୍ଶନ କରିଥିଲେ ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ମହିଳାମାନଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି । ହେଲେ ନୂଆ ନିର୍ଦ୍ଦେଶ ଜାରି ହେବା ପରେ ମଧ୍ୟ ମହିଳାମାନେ ନିଜ ଘରେ ରହିବେ । କାରଣ ତାଲିବାନୀ ଲଡାକୁ ମାନଙ୍କୁ ମହିଳାଙ୍କୁ ସମ୍ମାନ ଦେବା ପାଇଁ ତାଲିମ୍ ଦିଆଯାଇ ନାହିଁ । ତାଲିବାନ ନେତା ଅହମ୍ମଦୁଲା ୱାସେକ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି, ଯେପର୍ଯ୍ୟନ୍ତ ମହିଳାମାନେ ହିଜାବ ପିନ୍ଧୁଛନ୍ତି, ସେମାନେ ଚାକିରି କରିପାରିବେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ।