• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ୍ : ଭଷ୍ମାସୁର ତାଲିବାନ୍ । ଅଣ୍ଟି ଛୁରୀ ତଣ୍ଟି କାଟେ । ଚଉକି ମୋହରେ ମୁଖିଆଙ୍କ ଜୀବନ ନେଇଗଲେ ତାଲିବାନୀ । ଆଫଗାନିସ୍ତାନରେ କ୍ଷମତା ହାସଲ କରିବା ପରେ ନିଜ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ତାଲିବାନୀ ସଂଗଠନକୁ ବଡ଼ ଝଟକା ଦେଇଛି । ବ୍ରିଟିଶ ମାଗାଜିନ ଅନୁସାରେ ତାଲିବାନ୍ ସରକାରଙ୍କ ସର୍ବେସର୍ବା ହିବତୁଲ୍ଲା ଅଖୁନ୍ଦଦାଙ୍କୁ ହତ୍ୟା କରିବା ସହ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ ବନ୍ଧକ ରଖିଛନ୍ତି । କ୍ଷମତା ପାଇଁ ତାଲିବାନୀ ସଂଗଠନ ଦୁଇଟି ଦଳ ମଧ୍ୟରେ ବିଭକ୍ତ ହୋଇଯାଇଛି । ମାଗାଜିନରେ ଆହୁରି କୁହାଯାଉଛି, ହକ୍କାନୀ ନେଟୱର୍କ ସହ ଏହି ଝଗଡ଼ାରେ ମୁଲ୍ଲା ବରାଦରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି । କାରଣ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବରାଦର ।

ବ୍ରିଟେନର ପତ୍ରିକାର ରିପୋର୍ଟରେ କୁହଯାଇଛି, ସେପ୍ଟେମ୍ବର ମାସରେ ତାଲିବାନର ଦୁଇ ଦଳ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ କୌଣସି କଥା ନେଇ ଉଭୟ ଦଳ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ହକ୍କାନୀ ନେତା ଖଲିଲ-ଉଲ-ରହମାନ ଚେୟାରରୁ ଉଠି ବରାଦାରଙ୍କୁ ବିଧା ମାରିବା ଆରମ୍ଭ କରିଥିଲେ ବୋଲି କୁହାଯାଉଛି । ଅଣ-ତାଲିବାନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ କ୍ୟାବିନେଟରେ ସାମିଲ କରିବା ପାଇଁ ବରଦାର କ୍ରମାଗତ ଭାବରେ ତାଲିବାନ ସରକାରଙ୍କ ଉପରେ ଚାପ ପକାଉଥିଲେ । ଆଉ ଏଥିପାଇଁ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ବିଶ୍ୱରେ ତାଲିବାନ୍ ସରକାରଙ୍କୁ ମାନ୍ୟତା ମିଳିବା ଉଦ୍ଦେଶ୍ୟରେ ଏପରି କରୁଥିଲେ ବରାଦର୍ ।

ତେବେ ଏହି ସଂଘର୍ଷ ପରେ ବରାଦର କିଛି ଦିନ ପାଇଁ ନିଖୋଜ ଥିଲେ ଏବଂ ପୁଣି ଥରେ ତାଙ୍କୁ କାନ୍ଦାହାରରେ ଦେଖିବାକୁ ମିଳିଥିଲା । ବରାଦର ଆଦିବାସୀ ନେତାଙ୍କୁ ଭେଟିଥିଲେ, ଆଉ ତାଙ୍କୁ ସେମାନଙ୍କ ସମର୍ଥନ ମଧ୍ୟ ମିଳିଛି ବୋଲି କୁହାଯାଉଥିଲା । ତେବେ ବରାଦରଙ୍କ ଉପରେ ଚାପ ପକାଇ ତାଙ୍କୁ ଏକ ଭିଡିଓ ବାର୍ତ୍ତା ଦଆଯାଇଥିଲା । ବରାଦରଙ୍କୁ ବନ୍ଧକ ରଖିଥିବା କଥା ଭିଡିଓ ବାର୍ତ୍ତାରେ କୁହାଯାଇଛି ବୋଲି ମାଗ୍ୟାଜିନ୍ ରିପୋର୍ଟରୁ ପ୍ରକାଶ ।

ସେହିପରି ଏବେ ସୁଦ୍ଧା ତାଲିବାନୀ ସୁପ୍ରିମୋ ଅଖୁନ୍ଦଜାଦାଙ୍କର କୌଣସି ଖୋଜଖବର ନାହିଁ । ସେ କେଉଁଠାରେ ଅଛନ୍ତି ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଦୀର୍ଘ ସମୟ ଧରି ତାଙ୍କର ଦେଖା ନାହିଁ, କି ତାଙ୍କଠାରୁ କୌଣସି ବାର୍ତ୍ତା ଦିଆଯାଇ ନାହିଁ । ଏଭଳି ସ୍ଥିତିରେ ଅଖୁନ୍ଦଜାଦାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତାଲିବାନ୍ ସରକାରରେ କ୍ଷମତା ପାଇଁ ଏଭଳି ଯୁଦ୍ଧ ପୂର୍ବରୁ ଦେଖିବାକୁ ମିଳିନଥିଲା । ତାଲିବାନ ଏବଂ ହକ୍କାନି ନେଟୱର୍କ ୨୦୧୬ ଏକାଠି ହୋଇଥିଲେ । ଆଉ ଏବେ ତାଲିବାନୀ ସଂଗଠନ ପାଇଁ କାଳସର୍ପ ସାଜିଛି ହକ୍କାନି ନେଟୱର୍କ ।