• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏକାଠି ବସି ପାଠ ପଢ଼ିପାରିବେ ନାହିଁ ପୁଅ ଝିଅ । ସହ ଶିକ୍ଷାକୁ ଅନୁମତି ନାହିଁ । ଆଫଗାନିସ୍ତାନକୁ ଅକ୍ତିଆର ପରେ ପ୍ରଥମ ଫତୱା ଜାରି କରିଛି ତାଲିବାନ । ବିଶ୍ୱବିଦ୍ୟାଳୟରେ ଏବେ ପୁଅ ଓ ଝିଅ ଏକାଠି ପାଠ ପଢ଼ିବାକୁ ବାରଣ କରାଯାଇଛି । କାବୁଲ ତାଲିବାନଙ୍କ ନିୟନ୍ତ୍ରଣକୁ ଆସିବା ପରେ ପୂରା ଦେଶରେ ଏବେ ମହିଳାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ମନେ କରୁଛନ୍ତି । ଆଫଗାନିସ୍ତାନର ହେରାତ ପ୍ରଦେଶର ତାଲିବାନ ଅଧିକାରୀମାନେ ସରକାରୀ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ଶ୍ରେଣୀରେ ଝିଅଙ୍କୁ ପୁଅମାନଙ୍କ ସହି ବସିବାକୁ ଦିଆଯିବ ନାହିଁ।

ସହଶିକ୍ଷା ନେଇ ବିଶ୍ୱବିଦ୍ୟାଳୟ ଅଧ୍ୟାପକ, ବେସରକାରୀ ଅନୁଷ୍ଠାନର ମାଲିକ ଏବଂ ତାଲିବାନ ଅଧିକାରୀଙ୍କ ମଧ୍ୟରେ ତିନି ଘଣ୍ଟିଆ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ତାଲିବାନ ଅଧିକାରୀ କହିଛନ୍ତି, ସହଶିକ୍ଷା ଜାରି ରଖିବାର କୌଣସି ବିକଳ୍ପ ଏବଂ ଯଥାର୍ଥତା ଅନୁଭବ ହେଉନାହିଁ । ତେଣୁ ଏହାକୁ ରଦ୍ଦ କରାଯିବା ଉଚିତ । ଆଫଗାନିସ୍ତାନରେ ସହଶିକ୍ଷା ଏବଂ ଭିନ୍ନ ଭିନ୍ନ ଶ୍ରେଣୀରେ ବସି ପଢ଼ିବାର ବ୍ୟବସ୍ଥା ରହିଛି । ତେବେ ସମଗ୍ର ଦେଶରେ ସରକାରୀ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକରେ ସହଶିକ୍ଷା ବ୍ୟବସ୍ଥା ଲାଗୁ ରହିଥିଲା ।

ତେବେ ଏସମ୍ପର୍କରେ ହେରାତ ପ୍ରଦେଶର ଅଧ୍ୟାପକମାନେ ଯୁକ୍ତି କରିଛନ୍ତି ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକରେ ପୃଥକ ଭାବରେ ଶ୍ରେଣୀ ପରିଚାଳନା ହୋଇପାରିବ । କିନ୍ତୁ ମହିଳା ଛାତ୍ରଙ୍କ ସଂଖ୍ୟା ସୀମିତ ଥିବାରୁ ଘରୋଇ ଅନୁଷ୍ଠାନଗୁଡ଼ିକ ପୃଥକ ଶ୍ରେଣୀଗୃହ ତିଆରି କରାଯାଇ ନାହିଁ ।

ଆଫଗାନିସ୍ତାନର ଇସଲାମିକ୍ ଏମିରେଟର ଉଚ୍ଚଶିକ୍ଷାର ମୁଖ୍ୟ ମୁଲ୍ଲା ଫରିଦ ହେରାତ ଅନୁଷ୍ଠିତ ସଭାରେ ତାଲିବାନକୁ ପ୍ରତିନିଧିତ୍ୱ କରୁଥିଲେ। ବୈଠକରେ ସେ କହିଛନ୍ତି, ସହଶିକ୍ଷା ହିଁ ସବୁ ଅସୁବିଧାର କାରଣ । ସେହିପରି ଫରିଦ ମହିଳାଙ୍କ ଶିକ୍ଷା ପାଇଁ ଏକ ବିକଳ୍ପ ପରାମର୍ଶ ଦେଇଛନ୍ତି । ମହିଳା ଅଧ୍ୟାପକ କିମ୍ବା ବୃଦ୍ଧ ଗୁଣୀ ଲୋକ ହିଁ ଛାତ୍ରୀମାନଙ୍କୁ ଶିକ୍ଷାଦାନ କରିପାରିବେ । ସେପଟେ ହେରାତର ଅଧ୍ୟାପକମାନେ କହିଛନ୍ତି, ବେସରକାରୀ ଅନୁଷ୍ଠାନଗୁଡ଼ିକ ପୃଥକ ଶ୍ରେଣୀ ନଥିବାରୁ ହଜାର ହଜାର ବାଳିକା ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇପାରନ୍ତି ।

ସୂଚନାଯୋଗ୍ୟ ତାଲିବାନ ଶାସନରେ ଯୁବତୀ ଓ ମହିଳାମାନେ ସବୁଠୁ ଅଧିକ ବିପଦର ସାମ୍ନା କରିବେ ବୋଲି କୁହାଯାଉଛି । ତାଲିବାନୀ କାନୁନରେ ଝିଅମାନଙ୍କୁ ସ୍କୁଲ ଯିବାକୁ ଦିଆଯାଏ ନାହିଁ । ମହିଳାମାନେ ପାଠ ପଢ଼ିପାରିବେ ନାହିଁ, ପଢ଼ାଇପାରିବେ ନାହିଁ, ଚାକିରୀ କରିପାରିବେ ନାହିଁ । ମହିଳାଙ୍କୁ ଶରୀରକୁ ପୂରା ଢାଙ୍କିଥିବା ପୋଷାକ ବିନା ଏବଂ କୌଣସି ପୁରୁଷଙ୍କୁ ସାଥିରେ ନନେଇ ଘରୁ ଗୋଡ଼ କାଢ଼ିବାର ଅଧିକାର ନାହିଁ ।

ନିୟମ ଭାଙ୍ଗିଲେ ସର୍ବସାଧାରଣ ସ୍ଥାନରେ ଚାବୁକ ମାଡ଼, ଟେକାପଥର ମାଡ଼, ଏମିତିକି ମୃତ୍ୟୁ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି । କାବୁଲ୍ କବଜା କରିବା ପରେ ତାଲିବାନ ଆତଙ୍କୀ ବିଭିନ୍ନ ସ୍ଥାନରେ ମହିଳାଙ୍କ ଫଟୋ ଥିବା ବିଜ୍ଞାପନକୁ ଢାଙ୍କି ଦେଇଥିବା ଦେଖିବାକୁ ମିଳିଛି । ତେଣୁ ଆଗକୁ ଅତ୍ୟାଚାର ବଢ଼ିବା ନିଶ୍ଚିତ ବୋଲି ଆଙ୍କା କରାଯାଉଛି । ସେମାନଙ୍କୁ ଘରେ ରହି ମଧ୍ୟ ବନ୍ଦୀ ଜୀବନ କାଟିବାକୁ ପଡ଼ିପାରେ ।