/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653293179.jpg)
Taliban enforces order for Afghan women TV anchors to cover faces
ଆଫଗାନିସ୍ତାନୀ ମହିଳାଙ୍କ ପାଇଁ ତାଲିବାନର ନୂଆ ଫତୱା । ଏଣିକି ମହିଳା ଆଙ୍କରମାନେ ମୁହଁ ଘୋଡାଇ ହୋଇ ଟିଭିରେ ଉପସ୍ଥାପନା କରିବେ । ଏନେଇ ତାଲିବାନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତାଲିବାନର ଏହି ନୂଆ ନିୟମକୁ ଯେ କୌଣସି ପରିସ୍ଥିତିରେ ମାନିବାକୁ ପଡିବ ବୋଲି ଚେତାବନୀ ଦିଆଯାଇଛି । କେବଳ ଗୋଟିଏ କି ଦୁଇଟି ନୁହେଁ ଆଫଗାନିସ୍ତାନର ସବୁ ଟିଭିରେ ଉପସ୍ଥାପନା ବେଳେ ମହିଳାମାନେ ମୁହଁ ଘୋଡାଇବା ବାଧ୍ୟତାମୂଳକ କରାଯାଇଛି ।
ତାଲିବାନ ସରକାରଙ୍କ ଏପରି ଘୋଷଣା ପରେ ଅନେକ ମହିଳା ଆଙ୍କର ମୁହଁ ଘୋଡାଇ ହୋଇ ଖବର ପଢୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ କ୍ଷମତାରେ ଥିବା ବେଳେ ସମସ୍ତ ମହିଳାଙ୍କ ପାଇଁ ବୁର୍ଖା ପିନ୍ଧିବା ବାଧ୍ୟତା ମୂଳକ କରାଯାଇଥିଲା । ଗତ ଅଗଷ୍ଟରେ ତାଲିବାନ ପୁଣି କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ପାଇଁ ନିୟମରେ କିଛିଟା କୋହଳ କରାଯାଇଥିଲା ।
ଟୋଲ ନ୍ୟୁଜ୍ ଏଜେନ୍ସିର ତଥ୍ୟ ଅନୁସାରେ, ଏନେଇ ଏକ ନ୍ୟୁଜ୍ ଆଙ୍କର ସୋନିଆ ନିୟାଜି କହିଛନ୍ତି ଯେ, ‘ଏହା କେବଳ ଏକ ବାହ୍ୟ ସଂସ୍କୃତି ଯାହା ଜବରଦସ୍ତି ଆମ ଉପରେ ଲାଗୁ କରାଯାଉଛି । ଯାହା ଦ୍ୱାରା ମୁହଁ ଘୋଡାଇବାକୁ ଆମକୁ ବାଧ୍ୟ କରାଯାଉଛି । ଫଳରେ ନ୍ୟୁଜ୍ ପଢ଼ିବା ସମୟରେ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି’ ।
ଜାତୀୟ ଗଣମାଧ୍ୟନର ରିପୋର୍ଟ ଅନୁଯାୟୀ, ଚଳିତ ମାସ ଆରମ୍ଭରୁ ହିଁ ତାଲିବାନ ମହିଳାମାନଙ୍କୁ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ଘୋଡ଼ାଇ ହେବାର ନିର୍ଦ୍ଦେଶ ଦେଇଛି । ଏହାସହ କୁହାଯାଇଛି ଯେ, ମହିଳାମାନେ ଏପରି ନିଜକୁ ଘୋଡାଇବା ଆବଶ୍ୟକ ଯେମିତି କେବଳ ମହିଳାଙ୍କ ଆଖି ଦେଖାଯିବ । ଏହି ନିୟମ ଉଲ୍ଲଙ୍ଘନ କଲେ ମହିଳାଙ୍କ ପରିବାରର ପୁରୁଷମାନେ ମହିଳାଙ୍କୁ ଦଣ୍ଡ ଦେବାକୁ ପଡିବ ବୋଲି ମଧ୍ୟ ତାଲିବାନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)