• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତାଲିବାନୀ ଶାସନରେ ତ୍ରାହି ତ୍ରାହି ଡାକିଲେଣି ସାଧାରଣ ଆଫଗାନୀ । ଏତେ କଟକଣା ଭିତରେ ଦୁର୍ବିସହ ଲାଗିଲାଣି ଜୀବନ । ବିଶେଷ କରି ମହିଳାମାନଙ୍କ ସ୍ଥିତି ଅତି ଶୋଚନୀୟ । ସରିୟା ଆଇନକୁ ଦୃଷ୍ଟିରେ ରଖି ମହିଳାଙ୍କୁ ଅନେକ ଅଧିକାରରୁ ବଞ୍ଚିତ କରିଥିବା ତାଲିବାନ ସରକାର, ଏବେ ଆହୁରି ଅନେକ ଅଜବ ନିୟମ ସାମ୍ନାକୁ ଆଣିଛି । ଯେମିତି କି ପୁରୁଷ ମହିଳା ଏକାଠି ପାର୍କକୁ ଯାଇପାରିବେନି, ମହିଳା ଏକାକୀ ବିମାନରେ ଯାତ୍ରା କରିପାରିବେନି, ପୁରୁଷ କର୍ମଚାରୀ ଦାଢ଼ି ନରଖିଲେ ଅଫିସରେ ପଶିବାକୁ ଦିଆଯିବନି ।

ତାଲିବାନୀ ନିୟମ-୧: ଏକାଠି ପାର୍କ ଯାଇପାରିବେନି ପୁରୁଷ ଓ ମହିଳା

ପ୍ରମୋଦ ଉଦ୍ଯାନ ବା ଆମୁ୍ଯଜମେଣ୍ଟ ପାର୍କରେ ମହିଳା ଓ ପୁରୁଷଙ୍କ ଏକାଠି ଭ୍ରମଣ ଉପରେ କଟକଣା ଲଗାଇଛି ତାଲିବାନ । ପୁରୁଷ ଓ ମହିଳା ଯେପରି ଏକାଠି ପାର୍କକୁ ଯାଇନପାରନ୍ତି, ସେଥିଲାଗି ବିଧିବଦ୍ଧ ବ୍ୟବସ୍ଥା କରାଯାଇଛି । ପୁରୁଷଙ୍କ ଲାଗି ପାର୍କ ବୁଲିବାକୁ ୪ ଦିନ ଅନୁମତି ଥିବା ବେଳେ, ମହିଳାଙ୍କ ଲାଗି ୩ ଦିନ ଅନୁମତି ରହିଛି । ମହିଳା ମାନେ ରବିବାର, ସୋମବାର ଓ ମଙ୍ଗଳବାର ପାର୍କ ବୁଲିପାରିବେ । ବାକି ୪ ଦିନ ଅର୍ଥାତ୍ ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର ପୁରୁଷଙ୍କ ପାଇଁ ପାର୍କ ଖୋଲା ରହିବ ।

ତାଲିବାନୀ ନିୟମ-୨: ବିମାନରେ ଏକାକୀ ଯାତ୍ରା କରିପାରିବେନି ମହିଳା

ଆଫଗାନିସ୍ତାନରେ ମହିଳାମାନେ ବିମାନରେ ଏକୁଟିଆ ଯାତ୍ରା କରିପାରିବେନି। କୌଣସି ମହିଳା, ପୁରୁଷ ସାଥୀ ବା ସଂପର୍କୀୟଙ୍କ ବିନା ଦେଶ ଭିତରେ କିମ୍ବା କୌଣସି ଅନ୍ତର୍ଜାତୀୟ ବିମାନରେ ଯାତ୍ରା କରିପାରିବେ ନାହିଁ । ଯୁବତୀ କିମ୍ବା ମହିଳାଙ୍କୁ ସେମାନଙ୍କ ସହ ଜଣେ ପୁରୁଷ ସଂପର୍କୀୟଙ୍କ ସହ ଯାତ୍ରା କରିବାକୁ ପଡ଼ିବ । ତାଲିବାନ ସରକାର ପକ୍ଷରୁ ଦେଶର ସମସ୍ତ ଏୟାରଲାଇନ୍ସ ସଂସ୍ଥାଙ୍କୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।.

ତାଲିବାନୀ ନିୟମ-୩: ଦାଢ଼ି ଓ ଟୋପି ନଥିଲେ ଅଫିସ୍ ମନା

କେବଳ ମହିଳା ନୁହେଁ, ପୁରୁଷଙ୍କ ଲାଗି ମଧ୍ୟ ନିୟମ ଜାରି କରିଛି ତାଲିବାନ । ସରକାରୀ କର୍ମଚାରୀ ଦାଢ଼ି ନରଖିଲେ ଅଫିସକୁ ଆସିପାରିବେ ନାହିଁ । ଏହି ନିର୍ଦ୍ଦେଶ ଜାରି ହେବା ପରେ ଅର୍ଥ ବିଭାଗରେ କାମ କରୁଥିବା କିଛି କର୍ମଚାରୀଙ୍କୁ ଅଫିସ ଭିତରକୁ ଛଡ଼ା ଯାଇ ନଥିଲା । ଏଥିସହ ମୁଣ୍ଡରେ ଆଫ୍ଗାନୀ ଇସଲାମ୍ ଟୋପି ପିନ୍ଧି ନଥିଲେ ବି ଅଫିସ ଭିତରକୁ କର୍ମଚାରୀଙ୍କୁ ଛଡ଼ା ଯାଉନାହିଁ । ଏଥିସହ ସମସ୍ତ ପୁରୁଷ କର୍ମଚାରୀ ଇସଲାମ୍ର ସରିଆ ଆଇନ ଅନୁଯାୟୀ ପୋଷାକ ପିନ୍ଧି ଆସିବାକୁ କୁହାଯାଇଛି ।.

ତାଲିବାନୀ ନିୟମ-୪: ସେଲୁନରେ ଦାଢ଼ି କାଟିବା ମନା

ଆଫଗାନିସ୍ତାନରେ ହେୟାର ଡ୍ରେସରମାନଙ୍କ ଉପରେ କଟକଣା ଲଗାଯାଇଛି । ସେମାନେ କାହାର ଦାଢ଼ି ଖିଅର କରିବା ତ ଦୂରର କଥା, ଦାଢ଼ିକୁ କାଟି ଛୋଟ ମଧ୍ୟ କରି ପାରିବେ ନାହିଁ । ଦାଢ଼ି ଟ୍ରିମିଂ ଉପରେ କଟକଣା ଜାରି କରାଯାଇଛି ।.

ସେପଟେ ତାଲିବାନ ପୂର୍ବରୁ ଜାରି କରିଥିବା ଅନ୍ୟ ଏକ ଆଦେଶରେ ୟୁଟର୍ନ ଆଣିଛି । ଦେଶରେ ନାବାଳକଙ୍କୁ ସେନାରେ ଭର୍ତ୍ତି କରିବା ଉପରେ ଲାଗିଛି କଟକଣା । ତାଲିବାନୀ ଶାସକ ମଖ୍ୟ ମୁଲ୍ଲା ହେବତୁଲ୍ଲା ଅଖୁନ୍ଦଜାଦା ଏହି କଟକଣା ଲଗାଇଛନ୍ତି । ସେହିପରି ୨୧ ବର୍ଷ ପୂର୍ବେ ଆଫଗାନିସ୍ତାନର ବାମିୟାଁରେ ଥିବା ପ୍ରାଚୀନ ବୁଦ୍ଧ ମୂର୍ତ୍ତି ଗୁଡିକୁ ନଷ୍ଟଭ୍ରଷ୍ଟ କରି ଦେଇଥିବା ତାଲିବାନ, ଏବେ ସେସବୁର ସୁରକ୍ଷା ଲାଗି ପ୍ରୟାସ ଆରମ୍ଭ କରିଛି । ଏହି ସମସ୍ତ ମୂର୍ତ୍ତି ଇସଲାମ ବିରୋଧି କହି ପୂର୍ବରୁ ନଷ୍ଟ କରି ଦେଇଥିଲା ତାଲିବାନ ।

ତେବେ ଚୀନର ନିବେଶ ଓ ବୈଦେଶିକ ମୁଦ୍ରା ଲୋଭରେ ନିଷ୍ପତ୍ତି ବଦଳାଇଛି ସଂଗଠନ । ବାମିୟାଁ ଅଂଚଳରେ ବିଶ୍ୱର ସର୍ବାଧିକ ପରିମାଣର ତମ୍ବା ଗଚ୍ଛିତ ରହିଛି । ଏହି ତମ୍ବାକୁ ଖନନ କରିବାକୁ ଚୀନ୍ ଆଗ୍ରହ ପ୍ରକାଶ କରିଛି । ସେଥିଲାଗି କୌଣସି ମୂର୍ତ୍ତି ଗୁଡିକୁ ନଷ୍ଟ ନକରି ଏହାକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଜାରି କରିଛି ତାଲିବାନ ସରକାର ।