• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୀନ୍ ଏବଂ ତାଇୱାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଅକ୍ଟୋବର ୧ରେ ଚୀନ୍ ଜାତୀୟ ଦିବସ ପାଳନ କରିଥିଲା ​​ଏବଂ ସାମରିକ ଶକ୍ତି ପ୍ରଦର୍ଶନ କରି ପିପୁଲ୍ସ ଲିବରେସନ୍ ଆର୍ମି ତାଇୱାନର ପ୍ରତିରକ୍ଷା ଅଞ୍ଚଳରେ ୩୮ଟି ଯୁଦ୍ଧ ବିମାନ ଉଡାଇଥିଲା । ବର୍ତ୍ତମାନ ଏ ସମ୍ପର୍କରେ ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ (Tsai Ing-wen)ଙ୍କ ବୟାନ୍ ସାମ୍ନାକୁ ଆସିଛି ।

ସେ ଚୀନ୍‌କୁ ଚେତାବନୀ ଦେଇ କହିଛନ୍ତି ଚୀନ୍ ତାଇୱାନ ଦଖଲ କରିବାକୁ ଚେଷ୍ଟା କଲେ ସମଗ୍ର ଏସିଆରେ ଗମ୍ଭୀର ଏବଂଭୟଙ୍କର ପରିଣାମ ସୃଷ୍ଟି ହେବ । ଫରେନ୍ ଆଫେୟାର୍ସ ପତ୍ରିକାରେ ତାଇୱାନର ରାଷ୍ଟ୍ରପତିଙ୍କ ଏହି ବୟାନ୍ ସମ୍ପର୍କରେ ଖବର ପ୍ରକାଶ ପାଇଛି । ତାଇୱାନ ସାମରିକ ମୁକାବିଲା ଚାହୁଁ ନାହିଁ, କିନ୍ତୁ ଦେଶର ସୁରକ୍ଷା ପାଇଁ ଯାହା କରିବାକୁ ପଡିବ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ଚୀନ୍, ତାଇୱାନ ଉପରେ ଅତ୍ୟଧିକ ଚାପ ପକାଉଥିବା ସମୟରେ ତାଙ୍କର ଏପରି ବୟାନ୍ ଆସିଛି । ତାଇୱାନ ନିଜକୁ ଏକ ସ୍ୱୟଂଶାସିତ ତଥା ଗଣତାନ୍ତ୍ରିକ ଦ୍ୱୀପ ଭାବରେ ଦେଖେ । ଅନ୍ୟପଟେ ଚୀନ୍ କିନ୍ତୁ ତାଇୱାନକୁ ନିଜର ଏକ ଅଂଶ ବୋଲି ଭାବେ । ତାଇୱାନକୁ ଚୀନ୍ ନିଶ୍ଚିତ ଭାବେ କବଜା କରିବ ବୋଲି ପୂର୍ବରୁ କହିସାରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ।

ସୂଚନାଯୋଗ୍ୟ ଚୀନ୍‌ର ଜାତୀୟ ଦିବସରେ ଶୁକ୍ରବାର ଦିନ ୩୮ ଟି ଯୁଦ୍ଧ ବିମାନ ତାଇୱାନର ସୁରକ୍ଷା କ୍ଷେତ୍ରରେ ଦୁଇ ଥର ଉଡ଼ାଣ ଭରିଥିଲା । ଏହାକୁ ଚୀନ୍ ଏପର୍ଯ୍ୟନ୍ତ ସବୁଠାରୁ ବଡ ଆକ୍ରମଣ ଅତିକ୍ରମଣ ବୋଲି ବର୍ଣ୍ଣନା କରାଯାଇଥିଲା । ୨୦୧୬ରେ ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ପରଠାରୁ ଚୀନ୍ ଏହି ଅଞ୍ଚଳରେ ସାମରିକ, କୂଟନୈତିକ ଏବଂ ଅର୍ଥନୈତିକ ଚାପ ପକାଇ ଆସୁଛି । କାରଣ ନିର୍ବାଚନରେ Tsai Ing-wen ବିଜୟୀ ହୋଇଥିବା ବେଳେ ସେ ​​ଜିତିଛନ୍ତି ଏବଂ ତାଇୱାନକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ବିବେଚନା କରୁଛନ୍ତି । ତାଇୱାନ ଚୀନ୍‌ର ଅଂଶ ନୁହେଁ ବୋଲି ସେ ବାରମ୍ବାର କହୁଛନ୍ତି ।

ଚୀନ୍ ଏକ ମହାଶକ୍ତି ହୋଇଥିବା ସତ୍ତ୍ୱେ କ୍ୟୁବା ଠାରୁ ଛୋଟ ଦ୍ୱୀପ ତାଇୱାନ ଉପରେ ସାମରିକ ଆକ୍ରମଣ କରିପାରି ନାହିଁ । ଚୀନ୍ ଠାରୁ ମାତ୍ର ୧୮୦ କିଲୋମିଟର ଦୂରରେ ଥିବା ତାଇୱାନର ଭାଷା ଏବଂ ପିତୃପୁରୁଷମାନେ ଚୀନ୍‌ର ହିଁ ବଂଶଜ । କିନ୍ତୁ ସେଠାକାରେ ରାଜନୈତିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ତେବେ ଚୀନ୍ ନିଜର ସାମରିକ ଦକ୍ଷତା ପ୍ରଦର୍ଶନ କରି ତାଇୱାନ ଉପରେ ବାରମ୍ବାର ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଛି ।