• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଲର୍ଟରେ ତାଇଓ୍ୱାନ୍ ସେନା । ଚୀନର ଆକ୍ରମଣ ଆଶଙ୍କାକୁ ଦେଖି ପୁରା ଦମରେ ଚାଲିଛି ଯୁଦ୍ଧ ପ୍ରସ୍ତୁତି । ସେନା ଅଧିକାରୀ ଓ ଯବାନଙ୍କ ଛୁଟି ବାତିଲ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାଇଓ୍ୱାନ୍ ସରକାର । କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ପକ୍ଷରୁ ଶକ୍ତିଶାଳୀ ଚୀନର ମୁକାବିଲା ଲାଗି ଯଥା ସମ୍ଭବ ନିଜକୁ ପ୍ରସ୍ତୁତ କରୁଛି । ଏପଟେ ନାନ୍ସିଙ୍କ ତାଇଓ୍ୱାନ୍ ଗସ୍ତକୁ ଜୋରଦାର ବିରୋଧ କରିଛି ବେଜିଂ ।

ନିଆଁ ସହ ଖେଳିଲେ ପୋଡ଼ି ଯିବା ନିଶ୍ଚିତ ବୋଲି କହିଛନ୍ତି ଚୀନ୍ ବୈଦେଶିକ ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ୍ । ପରିଣାମ ପାଇଁ ଆମେରିକାକୁ ପ୍ରସ୍ତୁତ ରହିବା ଲାଗି ଚେତାବନୀ ଦେବା ସହ ପିଏଲ୍ଏ ଚୁପ୍ ବସିବ ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି । ଅନ୍ୟପକ୍ଷରେ ପେଲୋସିଙ୍କ ଗସ୍ତକୁ ନେଇ ଚୀନ୍ ଉତ୍ତେଜିତ ହେବାର କୌଣସି କାରଣ ନାହିଁ ବୋଲି ଓ୍ୱାଶିଂଟନ ପକ୍ଷରୁ କୁହାଯାଇଛି ।

ଅଯଥାରେ ବିବାଦ ସଂକଟ ସୃଷ୍ଟି ନକରିବାକୁ ବେଜିଂକୁ ପରାମର୍ଶ ଦେବା ସହ ଆମେରିକାର ତାଇଓ୍ୱାନ୍ ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଆମେରିକା ନ୍ୟାସନାଲ କାଉନସିଲ ମୁଖପାତ୍ର ଜନ୍ କିର୍ବି କହିଛନ୍ତି । ଏହାସତ୍ତ୍ୱେ ମଧ୍ୟ ଦୀର୍ଘ ୨୫ ବର୍ଷ ପରେ ଜଣେ ଉଚ୍ଚପଦସ୍ଥ ନିର୍ବାଚିତ ଆମେରିକୀୟ ଜନ ପ୍ରତିନିଧି ତାଇଓ୍ୱାନ୍ ଯାଉଥିବାରୁ ଦ୍ୱୀପ ରାଷ୍ଟ୍ରର ସ୍ୱାଧୀନ ରହିବା ଦାବିକୁ ଏହା ପରୋକ୍ଷରେ ସମର୍ଥନ ବୋଲି ଚୀନ୍ ଅନୁଭବ କରୁଛି ।

ସମ୍ଭାବ୍ୟ ଯୁଦ୍ଧ ସ୍ଥିତିରେ କିଭଳି ସୁରକ୍ଷିତ ରହିବ ସାଧାରଣ ନାଗରିକଙ୍କ ଜୀବନ ? ତାକୁ ନେଇ ତତ୍ପର ତାଇଓ୍ୱାନ୍ ସରକାର ସମ୍ଭାବ୍ୟ ରକେଟ୍ ଓ ବିମାନ ଆକ୍ରମଣରେ ଯେଭଳି ଜୀବନହାନୀ ନହେବ, ସେଥିଲାଗି ଭୂତଳ ସୁରକ୍ଷାସ୍ଥଳକୁ ପ୍ରସ୍ତୁତ ରଖାଯାଉଛି । ତେବେ ଏହା ବଙ୍କର ନୁହେଁ ବୋଲି ତାଇଓ୍ୱାନ୍ କର୍ତ୍ତୃପକ୍ଷ କହିଛନ୍ତି । ଅଣ୍ଡରଗ୍ରାଉଣ୍ଡ ସୁରକ୍ଷାସ୍ଥଳୀ ଗୁଡିକର ଡାଟାବେସ୍ ଓ ମୋବାଇଲ ଆପ୍ ଲୋକଙ୍କୁ ଯୋଗାଇ ଦିଆଯାଇଛି । ସେମାନଙ୍କ ଘର ନିକଟରେ କେଉଁ ଆଶ୍ରୟସ୍ଥଳ ରହିଛି, ଏଥିରେ କେତେ ଲୋକ ରହିପାରିବେ, ସମସ୍ତ ସୂଚନା ଏହି ଆପରେ ରହିଛି । ତାଇଓ୍ୱାନ୍ ରାଜଧାନୀ ତାଇପେରେ ୪ହଜାର ୬ଶହ ଏଭଳି ସେଲଟର୍ ରହିଛି ।

ଏଥିରେ ରାଜଧାନୀର ଲୋକସଂଖ୍ୟାର ୪ ଗୁଣ ଅର୍ଥାତ୍ ୧ କୋଟି ୨୦ ଲକ୍ଷ ଲୋକ ଆଶ୍ରୟ ନେଇପାରିବେ । କ୍ଷେପଣାସ୍ତ୍ର ଓ ବିମାନ ଆକ୍ରମଣ ହେଲେ ନିଜକୁ କିଭଳି ସୁରକ୍ଷିତ ରଖିହେବ, ସେନେଇ ତାଇଓ୍ୱାନ୍ ସରକାର ଗତ ମାସରେ ମକ୍ ଡ୍ରିଲ୍ କରିବା ସହ ଲୋକଙ୍କୁ ସଚେତନ କରାଇଛନ୍ତି ।

ଆକ୍ରମଣ ସମୟରେ ସେଲଟର ମଧ୍ୟରେ ଆଣ୍ଠେଇ ପଡ଼ି କାନ ଓ ନାକକୁ ହାତରେ ବନ୍ଦ କରିଦେବା ସହ ମୁହଁ ଖୋଲା ରଖିବାକୁ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା କ୍ଷେପଣାସ୍ତ୍ର ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଓ ପ୍ରକୋପରୁ ବର୍ତ୍ତି ହେବ ଅନ୍ୟପକ୍ଷରେ ଯଦି ଚୀନ୍ ଆକ୍ରମଣ କରେ । ତେବେ ଲୋକଙ୍କୁ ବହୁ ଦିନ ଧରି ସେଲଟରରେ ରହିବାକୁ ପଡ଼ିପାରେ ତେଣୁ ଏଠାରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ଔଷଧ ଗଚ୍ଛିତ ରଖାଯାଉଛି ।