• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ୍‌-ଋଷିଆ ପରେ ବିଶ୍ୱରେ ଆଉ ଏକ ଯୁଦ୍ଧର ପଦଧ୍ୱନୀ । ତାଇୱାନ୍‌ ପାଇଁ ମୁହାଁମୁହଁ ବିଶ୍ୱର ଦୁଇ ମହାଶକ୍ତି । ସିଧାସଳଖ ନହେଲେ ମଧ୍ୟ ଚୀନ ଓ ଆମେରିକା ମଧ୍ୟରେ ଯୁଦ୍ଧ ହେବାର ଅନେକ ସମ୍ଭାବନା ରହିଛି । କାରଣ ତାଇୱାନ୍‌ ପାଇଁ ଉଭୟ ଦେଶ ମଧ୍ୟରେ ଟେକ୍‌ ୱାର ଆରମ୍ଭ ହୋଇଯିବ । ଚୀନ ଓ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ତାଇୱାନ୍‌ ମଧ୍ୟରେ ଯୁଦ୍ଧ ହେଲେ ଅଧିକ କ୍ଷତିଗ୍ରସ୍ତ ହେବ ଆମେରିକା । କେବଳ ଆମେରିକା ନୁହେଁ ବିଶ୍ୱର ଅନ୍ୟାନ୍ୟ ଦେଶ ଉପରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡ଼ିବ ।

ଟେକ୍ନୋଲୋଜି, ସେମିକଣ୍ଡକ୍ଟର ଚିପ୍‌ ଏବଂ ଅନ୍ୟାନ୍ୟ ବୈଷୟିକ କ୍ଷେତ୍ରରେ ତାଇୱାନ ଖୁବ୍‌ ଶକ୍ତିଶାଳୀ । ଏହି ସବୁ ସାମଗ୍ରୀ ପାଇଁ ତାଇୱାନ ବିଶ୍ୱର ସବୁଠାରୁ ବୃହତ୍ତମ ଉତ୍ପାଦକ । ତାଇୱାନରେ ତିଆରି ହେଉଥିବା ଏହି ଚିପ ଭିଡିଓ ଗେମ୍ ସହିତ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟରେ ମଧ୍ୟ ବ୍ୟବହୃତ ହୁଏ । ଯୁଦ୍ଧ ହେଲେ ଚିପ୍ସ ରପ୍ତାନୀ ବାଧାପ୍ରାପ୍ତ ହେବ ।

ଆମେରିକା ତାଇୱାନ୍‌ ଠାରୁ ବହୁଳ ସଂଖ୍ୟାରେ ଚିପ୍ସ ଆମଦାନୀ କରିଥାଏ । ଆମେରିକା ବାୟୁସେନା ନିଜର ଘାତକ F-35 ଯୁଦ୍ଧ ବିମାନରେ ବ୍ୟବହାର କରୁଥିବା ଚିପ୍ସ, ତାଇୱାନର ସେମିକଣ୍ଡକ୍ଟର ଉତ୍ପାଦନ କମ୍ପାନୀରେ ତିଆରି ହୁଏ । ଏହା ବ୍ୟତୀତ ତାଇୱାନରେ ନିର୍ମିତ ହାଇଟେକ୍ "ସାମରିକ ଗ୍ରେଡ୍ ଚିପ୍ସ" ଆମେରିକାର ଅନ୍ୟ କେତେକ ସାମରିକ ଉପକରଣରେ ମଧ୍ୟ ବ୍ୟବହୃତ ହୁଏ । ତେଣୁ ତାଇୱାନର ସେହି ସେମିକଣ୍ଡକ୍ଟର ଉତ୍ପାଦନ କମ୍ପାନୀକୁ ନିଜ ଦେଶକୁ ସ୍ଥାନାନ୍ତର କରିବାକୁ ଆମେରିକା କହିଥିବା ସୂଚନା ମିଳିଛି ।

ବର୍ତ୍ତମାନ ଚୀନ୍ ତାଇୱାନକୁ ବଳପୂର୍ବକ ଦଖଲ କଲେ ରାଷ୍ଟ୍ରପତି  ଜିନପିଙ୍ଗ ଆମେରିକାକୁ ସେମିକଣ୍ଡକ୍ଟର ଚିପ୍ସ ଯୋଗାଣ ବନ୍ଦ କରିଦେବେ । କିମ୍ବା ଚିପ୍ସ ସଂଖ୍ୟାକୁ ସୀମିତ କରିପାରନ୍ତି ବୋଲି ଆମେରିକା ସରକାର ଆଶଙ୍କା ପ୍ରକାଶ କରିଛନ୍ତି । ଏପରି ହେଲେ ଆମେରିକାର ସେନା ପାଇଁ ନୂତନ ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ଆଧୁନିକ ଅସ୍ତ୍ର ତିଆରି କରିବା କଷ୍ଟକର ହୋଇପଡ଼ିବ ।

କେବଳ ଆମେରିକାର ସୈନ୍ୟବାହିନୀ ପାଇଁ ନୁହେଁ, ଆମେରିକୀୟ ଶିଳ୍ପ ପାଇଁ ମଧ୍ୟ ତାଇୱାନରେ ନିର୍ମିତ ଚିପ୍ସ ଗୁରୁତ୍ୱପୂର୍ଣ୍ଣ । ତାଇୱାନ ସେମିକଣ୍ଡକ୍ଟର ଉତ୍ପାଦନକାରୀ କମ୍ପାନୀର ହାଇ-ଟେକ୍ ଚିପ୍ସ ଅର୍ଥାତ୍ TSMC ଜଣାଶୁଣା ମୋବାଇଲ୍ ଫୋନ୍ ନିର୍ମାତା ଆପଲର ଅନେକ ଗ୍ୟାଜେଟରେ ବ୍ୟବହୃତ ହୁଏ । TSMCର ଗ୍ରାହକମାନେ କ୍ୱାଲକମ୍, ଏମଡି ଏବଂ ଇଣ୍ଟେଲ ସହିତ ଅନେକ ଆମେରିକୀର ଅନେକ ବଡ଼ ବଡ଼ କମ୍ପାନୀ ସାମିଲ ରହିଛି । ତାଇୱାନରେ ନିର୍ମିତ ସେମି କଣ୍ଡକ୍ଟର ଚିପ୍ସ ଉପରେ ଆମେରିକା ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ । ତାଇୱାନରେ ଚିପ୍ସ ବିନା ଚୀନ୍‌ ମଧ୍ୟ କାର୍ଯ୍ୟ କରିପାରେ ନାହିଁ ।

ଯୁଦ୍ଧର ପ୍ରଭାବ ୫ଜି ନେଟୱର୍କ ଉପରେ ମଧ୍ୟ ପଡ଼ିବ । ଆଗାମୀ କିଛି ମାସରେ ଭିତରେ ସାରା ବିଶ୍ୱରେ ୫ ଜି ଲଞ୍ଚ ହେବା ପରେ ଯୁଦ୍ଧ ହେଲେ ଉପକରଣ ତିଆରି କରିବାରେ ଅସୁବିଧା ହେବ । କାରଣ ଏଥିପାଇଁ ମଧ୍ୟ ସେମିକଣ୍ଡକ୍ଟର ଚିପ୍ସ ଦରକାର । ଚୀନ ଓ ତାଇୱାନ୍‌ ମଧ୍ୟରେ ଯୁଦ୍ଧ ହେଲେ ସର୍ବାଧିକ କ୍ଷତିଗ୍ରସ୍ତ ହେବ ଆମେରିକା, ସେଥିପାଇଁ ତାଇଓ୍ୱାନର ସର୍ବଭୌମତ୍ୱ ରକ୍ଷା କରାଯିବ ବୋଲି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ।

ଆବଶ୍ୟକ ହେଲେ ଆମେରିକା ସାମରିକ ଶକ୍ତିର ବ୍ୟବହାର କରିବାକୁ ପଛେଇବ ନାହିଁ ବୋଲି ବି ସେ ସ୍ପଷ୍ଟ କରିଛନ୍ତି । ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ, ତାଇଓ୍ୱାନ୍ ବିରୁଦ୍ଧରେ ବଳ ପ୍ରୟୋଗ କରିବାକୁ ଚୀନ୍ ଉଦ୍ୟମ କଲେ ଏହାକୁ ପ୍ରଥମେ ଆମେରିକାକୁ ସାମ୍ନା କରିବାକୁ ପଡିବ । ଯେହେତୁ ୟୁକ୍ରେନ ଯୁଦ୍ଧ ବେଳେ ଋଷିଆକୁ ନୈତିକ ସମର୍ଥନ ଦେଇଥିଲା ବେଜିଂ, ତେଣୁ ସେ ଦୃଷ୍ଟିରୁ ପୁଟିନ ବି ଜିନପିଙ୍ଗକୁ ସମର୍ଥନ କରିପାରନ୍ତି ।