• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଭାରତୀୟ ସମୟ ଅପରାହ୍ଣ ସାଢେ ୪ଟାରୁ ବୁଧବାର ସକାଳ ସାଢେ ୬ଟା ଯାଏଁ ଚାଲିବ ଭୋଟ୍ । ମଙ୍ଗଳବାର ରାତି ସାଢେ ୨ଟାରୁ ଆରମ୍ଭ ହୋଇଯିବ ଏଗଜିଟ୍ ପୋଲ୍ । ହେଲେ ଫାଇନାଲ ଫଳାଫଳ ଆସିବାକୁ ଲାଗି ଯାଇପାରେ ଗୋଟିଏ ସପ୍ତାହର ସମୟ । ମୈଦାନରେ ଅଛନ୍ତି ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର କମଳା ହାରିସ । ତେବେ କେହି କାହାଠୁ କମ୍ ନୁହଁନ୍ତି ।

ତେବେ ଏହାରି ମଧ୍ୟରେ ମହାକାଶରୁ ଭୋଟ୍ ଦେଇଛନ୍ତି ସୁନୀତା । ନାସା ତରଫରୁ ଏହି ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ମହାକାଶରୁ ମଧ୍ୟ ମହାକାଶଚାରୀମାନେ ଭୋଟ୍ ଦେଇପାରିବେ । ନାଗରିକମାନେ ଯେମିତି ନିଜ ଅଧିକାରରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ନାସା ତରଫରୁ ଏପରି ବ୍ୟବସ୍ଥା କରାଯାଇଛି । ମହାକାଶରେ ଥାଇ ମଧ୍ୟ ମହାକାଶଚାରୀମାନେ ନାଗରିକର କର୍ତ୍ତବ୍ୟ ପାଳନ କରିପାରିବେ । ରିପୋର୍ଟରୁ ଜଣାପଡିଛି ଯେ ଚାରି ଜଣ ଆମେରିକୀୟ ବର୍ତ୍ତମାନ ମହାକାଶରେ ଅଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ବୋଇଙ୍ଗ ଷ୍ଟାରଲିନର୍ ମହାକାଶଚାରୀ - ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ମହାକାଶରେ ଆସନ୍ତା ଫେବୃଆରୀ ପର୍ଯ୍ୟନ୍ତ ରହିବେ ।

ଅଧିକ ପଢ଼ନ୍ତୁ: US Presidential Election 2024: କାହା ଝୁଲାକୁ ଯିବ ଆମେରିକା, କିଏ ପିନ୍ଧିବ ରାଷ୍ଟ୍ରପତି ମୁକୁଟ

ଭାରତୀୟ ବଂଶୋଭବ ସୁନୀତା ୱିଲିୟମ୍ସ ଗତ ସେପ୍ଟେମ୍ବରରେ କହିଥିଲେ, ନଫେରି ପାରିବାରୁ ସେ ମହାକାଶରୁ ହିଁ ଭୋଟ୍ ଦେବାକୁ ଚାହିଁବେ । କାରଣ ଏହା ନାଗରିକର ବ୍ୟକ୍ତିଗତ ଅଧିକାର । ତେବେ ସେ ଯିବା ବେଳେ ସମସ୍ତେ ଭାବିଥିଲେ ଯେ, ଆମେରିକାର ନିର୍ବାଚନ ବେଳକୁ ସେ ଫେରିଆସିବେ । କିନ୍ତୁ ବର୍ତ୍ତମାନ ତାହା ଅସମ୍ଭବ ।

ଅନ୍ୟପଟେ ସୁନୀତା କହିଛନ୍ତି ଯେ, ନାଗରିକ ଭାବରେ ଭୋଟ୍ ଦେବା ଆମର କର୍ତ୍ତବ୍ୟ ଓ ଅଧିକାର । ମହାକାଶରୁ ଭୋଟ୍ ଦେବାକୁ ଅପେକ୍ଷା କରିଛି, ଯାହା ବହୁତ ସୁନ୍ଦର ଅଟେ । ସୁନୀତାଙ୍କ ସାଥୀ ୱିଲମୋର କହିଛନ୍ତି ଯେ ସେ ତାଙ୍କର ଭୋଟ୍ ଅଧିକାର ବ୍ୟବହାର କରିବାକୁ ଉତ୍ସାହିତ ଅଛନ୍ତି । ଏହାକୁ ସମ୍ଭବପର କରିଥିବାରୁ ସେ ନାସାକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

ମହାକାଶରେ କିପରି ଦେବେ ଭୋଟ୍

ନାସା ତରଫରୁ ଏହି ଭୋଟ୍ ଗ୍ରହଣ ପ୍ରକ୍ରିୟାକୁ ସରଳ କରାଯାଇଥାଏ । ମତଦାନ କେନ୍ଦ୍ରକୁ ନଯାଇପାରିବା ଦ୍ୱାରା ଯେଉଁ ବାଲଟ୍ ସିଷ୍ଟମ୍‌ର ପ୍ରୟୋଗ ହୋଇଥାଏ, ମହାକାଶରେ ମଧ୍ୟ ତାହା ହୋଇଥାଏ । ମହାକାଶଚାରୀମାନେ ଏକ ସାଧା ବାଲଟ୍ ଜାଗାରେ ଏକ ଇଲେକ୍ଟ୍ରୋନିକ୍ ବାଲଟ୍‌ର ବ୍ୟବହାର କରନ୍ତି । ଏହା ପରେ ଏକ ଫେଡେରାଲ୍ ପୋଷ୍ଟ କାର୍ଡ ଆବେଦନ ପୂରଣ କରନ୍ତି । ଏହି ଡକ୍ୟୁମେଣ୍ଟଟି ନାସାର ଟ୍ରାକିଂ ଏବଂ ଡାଟା ରିଲେ ସାଟେଲାଇଟ୍ ସିଷ୍ଟମ ମାଧ୍ୟମରେ ନ୍ୟୁ ମେକ୍ସିକୋରେ ଥିବା ଏକ ବିଶାଳ ଆଣ୍ଟେନାକୁ ପଠାଯାଇଥାଏ ।

ସେଠାରୁ ବାଲଟ୍ ମିଶନ୍ କଣ୍ଟ୍ରୋଲ୍ ସେଣ୍ଟରକୁ ପଠାଯାଏ ଯାହା ଭୋଟ୍ ଦେବା ପାଇଁ ଦାୟୀ ରହିଥିବା କାଉଣ୍ଟି କିରାଣୀଙ୍କୁ ମିଳେ । ତେବେ ଗୋପନୀୟତା ନିଶ୍ଚିତ କରିବାକୁ, ବାଲଟ୍‌ଗୁଡ଼ିକ ଏନକ୍ରିପ୍ଟ ଥାଏ । ୧୯୯୭ ମସିହାରେ ଡେଭିଡ ୱଲ୍ଫ ମହାକାଶରୁ ପ୍ରଥମେ ଭୋଟ୍ ଦେଇଥିଲେ । ୨୦୨୦ ନିର୍ବାଚନ ସମୟରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ କେଟ୍ ରୁବିନ୍ସ ଶେଷ ମହାକାଶଚାରୀ ଭାବେ ଭୋଟ୍ ଦେଇଥିଲେ ।

ଆମେରିକାରେ ମୋଟ ୫୦ ରାଜ୍ୟ । ମୋଟ୍ ଇଲେକ୍ଟୋରାଲ୍ କଲେଜ ଭୋଟ୍ ୫୩୮ । ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ । ତେବେ ଆମେରିକାରେ ଖେଳ ବିଗାଡି ପାରନ୍ତି ୭ ସ୍ୱିଙ୍ଗ ଷ୍ଟେଟ୍ । ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ । ଫଳ ପ୍ରକାଶ ପରେ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।

ଅଧିକ ପଢ଼ନ୍ତୁ: US Presidential Elections 2024: କେତେ ଦରମା ପାଆନ୍ତି ଆମେରିକା ରାଷ୍ଟ୍ରପତି, ମିଳେ କେଉଁ ସବୁ ସୁବିଧା ଜାଣନ୍ତୁ...

OTV is now on Whatsapp

Join and get latest news update delivered to you via whatsapp

Join Now