• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କିଛି ବର୍ଷର ବିରାମ ପରେ ପୁଣି ଅଶାନ୍ତ ସୁଦାନ(Sudan Crisis) । ପୁଣି ଉପୁଜିଛି ଗୃହଯୁଦ୍ଧ ଭଳି ସ୍ଥିତି । ଏଥର ଲଢ଼େଇ ଦୁଇ ସାମରିକ ଶକ୍ତି ମଧ୍ୟରେ । ଗୋଟିଏ ପଟରେ ସୁଦାନ ସେନା, ଅନ୍ୟପଟେ ଶକ୍ତିଶାଳୀ ତଥା କ୍ରୁର ଅର୍ଦ୍ଧସାମରିକ ବାହିନୀ RSF । ଉଭୟଙ୍କ ମଧ୍ୟରେ ସଂଘର୍ଷ ଏଭଳି ଭୟଙ୍କର ରୂପ ଧାରଣ କରିଛି ଯେ, ଗତ ୪ ଦିନ ଭିତରେ ପ୍ରାୟ ଦୁଇ ଶହ ଲୋକଙ୍କ ଜୀବନ ଗଲାଣି । ଏହାସହ ୧୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସାଧାରଣ ସୁଦାନବାସୀ ଆତଙ୍କ ଭିତରେ ଜୀବନ କାଟୁଛନ୍ତି । ଘରୁ ଗୋଡ଼ କାଢ଼ିବାକୁ ବି ଡର ଲାଗୁଛି । ଆଉ ଏଭିତରେ ସ୍ପଷ୍ଟ ହୋଇଛି ଯେ, ସୁଦାନରେ ରହୁଥିବା ଜଣେ ଭାରତୀୟଙ୍କର ଗୁଳି ବାଜି ଜୀବନ ଯାଇଛି ।...

ଆଫ୍ରିକୀୟ ଦେଶ ସୁଦାନର ରାଜଧାନୀ ଖାରତୁମରେ ଗତ ଶନିବାର ଆରମ୍ଭ ହୋଇଥିବା ଗୃହଯୁଦ୍ଧ ସ୍ଥିତି ଥମିବାର ନାଁ ଧରୁନି । ସେନା ଓ ଅର୍ଦ୍ଧସାମରିକ ବାହିନୀ ରାପିଡ୍ ସପୋର୍ଟ ଫୋର୍ସ ବା RSF ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ତୃତୀୟ ଦିନରେ ବି ଅସମାହିତ ରହିଛି । ଘନଘନ ରକେଟ୍ ମାଡ଼, ଏୟାରଷ୍ଟ୍ରାଇକ୍, ବୋମାବର୍ଷଣ ଜାରି ରହିଛି । କେତେବେଳେ ସେନା ଶିବିର ଉପରେ RSF ଆକାଶମାର୍ଗରୁ ଆକ୍ରମଣ କରୁଛି, ତ ଆଉ କେତେବେଳେ ସେନାର ଆକ୍ରମଣର ଶିକାର ହେଉଛି RSF କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳ ।

ଜନବସତି ଅଞ୍ଚଳ ସଡ଼କରେ ଘନଘନ ଟ୍ୟାଙ୍କ୍, ଟ୍ରକ୍ ଉପରେ ମେସିନ୍ ଗନ୍ ଏବଂ ଯୁଦ୍ଧାସ୍ତ୍ର ପଇଁତରା ମାରୁଛି । ଚିନ୍ତାର ବିଷୟ ହେଉଛି ଯେ, ଗତ ୩ ଦିନ ଭିତରେ ୯୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ଏବଂ ୬ଶହରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଖାରତୁମ ସନ୍ନିକଟ ସହର ଅମଡର୍ମାନ୍ ବି ଏଥିରେ ପ୍ରଭାବିତ ହୋଇଛି ।

ସେନା ମୁଖ୍ୟାଳୟ ନିକଟରେ ଏୟାରଷ୍ଟ୍ରାଇକ୍ ପରେ ପ୍ରଚଣ୍ଡ ଆୱାଜରେ ଥରି ଉଠିଥିଲା ପୂରା ଅଞ୍ଚଳ । ଏହି ସମୟରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିଲା ଏବଂ କିଛି ଘରେ ଲୁଟପାଟ୍ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଡାରଫରରେ ନିହତ ନାଗରିକଙ୍କ ମଧ୍ୟରେ ୩ଜଣ ଜାତିସଂଘ କାର୍ଯ୍ୟକର୍ତ୍ତା ବି ଅଛନ୍ତି । ତେଣେ ହସ୍ପିଟାଲକୁ ଶହ ଶହ ଆହତ ଆସୁଥିଲେ ବି ରକ୍ତ, ଚିକିତ୍ସା ଉପକରଣ ଓ ଔଷଧର ଅଭାବ ଦେଖାଦେଇଛି । ଗତକାଲି ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ପାଇଁ ୩ ଘଣ୍ଟାର ଯୁଦ୍ଧ ବିରତି ହୋଇଥିଲା ।

ସୁଦାନ ଗୃହଯୁଦ୍ଧରେ ଜଣେ ଭାରତୀୟଙ୍କର ମଧ୍ୟ ମୃତ୍ୟୁ ଘଟିଛି । ସେ ହେଉଛନ୍ତି କେରଳ କନ୍ନୁରର ୪୮ ବର୍ଷୀୟ ଆଲବର୍ଟ ଅଗଷ୍ଟିନ୍ । ଖାରତୁନରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଜୋରଦାର ଗୁଳିବିନିମୟ ଲାଗି ରହିଥିବା ବେଳେ,ମଝିରେ ପସିଯାଇଥିଲେ ଡାଲ୍ ଗ୍ରୁପ୍ କମ୍ପାନୀରେ କାମ କରୁଥିବା ଆଲବର୍ଟ ଅଗଷ୍ଟିନ୍ ।ଅଚାନକ ଏକ ଗୁଳି ବାଜି ସେ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଟୁଇଟ୍ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଖାରତୋମ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ।...

ତେଣେ ସୁଦାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସେହି ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ସତର୍କ କରାଯାଇଛି । ସେମାନେ ଯେଉଁଠି ଅଛନ୍ତି ସେଇଠି ରହନ୍ତୁ ଏବଂ ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଅପିଲ୍ କରିଛି ଦୂତାବାସ । ଶାନ୍ତ ରହିବାକୁ ଏବଂ ବାଲକୋନି କିମ୍ବା ଛାତକୁ ନଯିବାକୁ ଚେତାଇ ଦିଆଯାଇଛି ।

ସୁଦାନରେ ସ୍ଥିରତା ଫେରୁନଥିବା ଦେଖି, ଔଷଧ, ପାଣି, ଟଙ୍କା, ପାସପୋର୍ଟ ଆଦି ପାଖରେ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏଥିସହ ସୁଦାନ ଯିବାକୁ ଥିବା ଭାରତୀୟମାନଙ୍କୁ ସେମାନଙ୍କ ଯାତ୍ରା ସ୍ଥଗିତ ରଖିବାକୁ କୁହାଯାଇଛି ।...