• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାସକ ଭିତରେ ଛାତ୍ରଙ୍କ ଭାଗ୍ୟ ବଦଳିଗଲା । ପୁଳା ପୁଳା ଟଙ୍କା ଆୟ କରି ଏବେ ସେ କୋଟିପତି । ଜଣେ ଛାତ୍ର ଷ୍ଟକ୍ ମାର୍କେଟରେ ୨୧୫ କୋଟି ଟଙ୍କା ବିନିଯୋଗ କରି ୧ ମାସ ପରେ ଷ୍ଟକ୍ ବିକ୍ରି କରିଦେଇଛନ୍ତି । ଆଉ ଏବେ ତାଙ୍କୁ ମିଳିଛି ପ୍ରାୟ ୮୭୯କୋଟି ଟଙ୍କା । ଅର୍ଥାତ୍ ମାତ୍ର ଏକ ମାସ ମଧ୍ୟରେ ଛାତ୍ର ଜଣକ ୬୬୪ କୋଟି ରୋଜଗାର କରିଛନ୍ତି । ତେବେ ଅଳ୍ପ ସମୟ ମଧ୍ୟରେ ଏତେ ଟଙ୍କା ରୋଜଗାର କରିବା ପରେ କାଳେ କେହି ପୁଅକୁ ଅପହରଣ କରିନେଇଯିବ ସେ ନେଇ ଚିନ୍ତାରେ ସଂପୃକ୍ତ ଛାତ୍ରଙ୍କ ବାପାମା’ ।

ଆଖି ଖୋସି ହେଲା ଭଳି ଟଙ୍କା ଆୟ କରିଥିବା ୨୦ ବର୍ଷର ଛାତ୍ରଙ୍କ ନାମ ହେଉଛି ଜେକେ ଫ୍ରିମ୍ୟାନ୍ । ଆମେରିକାରେ ଘର । ସେ ସାଉଥ୍ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଛାତ୍ର । ଜେକେ ଆପ୍ଲାଏଡ୍ ଗଣିତ ଏବଂ ଅର୍ଥନୀତିର ଛାତ୍ର । ସେ ବେଡ୍ ବାଥ୍ ଏବଂ ବିଏଣ୍ଡ୍ କମ୍ପାନୀର ଅଂଶଧନ କିଣି ମାସକରେ କୋଟିପତି ହୋଇଯାଇଛନ୍ତି ।

ଜେକେ ଗତ ଜୁଲାଇରେ ପ୍ରାୟ ୪୦ ଲକ୍ଷ ସେୟାର ୪୪୦ ଟଙ୍କାରେ କିଣିଥିଲେ । ଏକ ମାସ ପରେ ସେ କିଣିଥିବା ଷ୍ଟକର ମୂଲ୍ୟ ୨୧୬୦ ଟଙ୍କାରେ ପହଞ୍ଚିଥିଲା । ଆଉ ସେତେବେଳେ ସେ ନିଜର ୪୦ ଲକ୍ଷ ସେୟାର ବିକ୍ରି କରିଦେଇଥିଲେ । ତେବେ ଜେକେ କହିଛନ୍ତି, ସେ ଷ୍ଟକ୍‌ ମାର୍କେଟରେ ଲଗାଇଥିବା ଟଙ୍କା ତାଙ୍କର ନୁହେଁ । ସାଙ୍ଗ ଏବଂ ପରିବାର ଲୋକଙ୍କ ଠାରୁ ଟଙ୍କା ଉଧାର ନେଇ ସେ ଷ୍ଟକ୍ ମାର୍କେଟରେ ବିନିଯୋଗ କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜେକେ ଅର୍ଥ ନିବେଶ କରିଥିବା Bed Bath & Beyond କମ୍ପାନୀର ସିଏଫଓ ଗୁସ୍ତାଭୋ ଅର୍ଣ୍ଣେଲ (Gustavo Arnal ) କିଛି ଦିନ ପୂର୍ବରୁ ମାତ୍ର ୫୨ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି । ସେ କର୍ମଚାରୀଙ୍କୁ ଛଟେଇ କରିବା ପରେ ନିଜ ନିଷ୍ପତ୍ତିରେ ମ୍ରିୟମାଣ ହୋଇ ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଥିଲା । ବର୍ତ୍ତମାନ ତାଙ୍କ ସମ୍ପର୍କରେ ନୂଆ ଖବର ଶୁଣିବାକୁ ମିଳୁଛି । ମୃତ୍ୟୁ ପୂର୍ବରୁ ତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା ବୋଲି ଜଣାପଡ଼ିଛି ।

କମ୍ପାନୀ ସହ ଧୋକ୍କାଦାରୀ କରି ସାଧାରଣ ଲୋକଙ୍କ ଟଙ୍କା ଖାଇଯାଇଥିବା କୁହାଯାଇଥିଲା । ଏହାଦ୍ୱାରା ସେୟାର ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଥିଲା ​​ । ବର୍ତ୍ତମାନ ବେଡ୍ ବାଥ୍ ଏବଂ ବିଏଣ୍ଡର ସେୟାର ମୂଲ୍ୟ ୫୬୦ ଟଙ୍କାକୁ ଖସି ଆସିଛି । ଏହା ପରେ କମ୍ପାନୀ ଅନେକ ଷ୍ଟୋର ବନ୍ଦ କରିବା ସହ କର୍ମଚାରୀଙ୍କୁ ଛଟେଇ କରିଥିଲା । ଆଉ ଏହି ଘଟଣା ପରେ Gustavo Arnal ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ସେପଟେ ଏହି ଘଟଣା ସହିତ ମୋର କୌଣସି ସମ୍ପର୍କ ନାହିଁ ବୋଲି ଜେକେ ଫ୍ରିମ୍ୟାନ୍ ସ୍ପଷ୍ଟ କରିଛନ୍ତି । ଏହାସହ କମ୍ପାନୀ ସହ ଧୋକ୍କାଦାରୀ ତଥା ସିଏଫଓଙ୍କ ମୃତ୍ୟୁ ସହିତ ମଧ୍ୟ କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି ।