Advertisment

ଆଫଗାନିସ୍ତାନର ଏହି ଘାଟି ଯେଉଁଠିକୁ ଯିବାକୁ ଡରୁଛନ୍ତି ତାଲିବାନ

ଆଫଗାନିସ୍ତାନର ଦୁର୍ଗମ ଘାଟି ପଞ୍ଜଶିର। ଦେଶର ୩୪ଟିରୁ ୩୩ଟି ପ୍ରଦେଶରେ ତାଲିବାନୀ ସଫେଦ୍ ପତାକା ଉଡ଼ୁଥିବା ବେଳେ, ଆଜି ବି ଏଠି ନିର୍ଭୟରେ ଫରଫର ଉଡ଼ୁଛି ଉତ୍ତରୀ ଗଠବନ୍ଧନର ଝଣ୍ଡା  ।

author-image
Minati Mishra
ଆଫଗାନିସ୍ତାନର ଏହି ଘାଟି ଯେଉଁଠିକୁ ଯିବାକୁ ଡରୁଛନ୍ତି ତାଲିବାନ

panjshir valley of Afghanistan

କାବୁଲ: ତାଲିବାନ ଆତଙ୍କରେ ଥରହର ପୂରା ଆଫଗାନିସ୍ତାନ।  ତେବେ ଏହି ଦେଶରେ ଏମିତି ଏକ ଜାଗା ଅଛି, ଯେଉଁଠି ନା ତାଲିବାନକୁ ନା ଅଛି ଡର ନା ଭୟ  । ବରଂ କୁହାଯାଏ, ତାଲିବାନ ନିଜେ ସେଠାକୁ ଯିବାକୁ ଡରେ । ଏହି ଜାଗା ହେଉଛି ପଞ୍ଜଶିର୍ ଘାଟି।   ଏହି ଅପରାଜେୟ ଉପତ୍ୟକା ଯାହା କେବେ ବି ତାଲିବାନ କବଳକୁ ଆସିପାରିନି । ୧୯୯୬ରୁ ୨୦୦୧ ଯାଏଁ ଆଫଗାନିସ୍ତାନରେ ଯେତେବେଳେ ତାଲିବାନ ରାଜ କରୁଥିଲା  ସେତେବେଳେ ବି ପଞ୍ଜଶିରରୁ ଶୁଭିଥିଲା ବିରୋଧର ସ୍ୱର ।  ଗଠନ ହୋଇଥିଲା ନର୍ଦ୍ଦର୍ଣ୍ଣ ଆଲାଏନ୍ସ  । କୁହାଯାଉଛି, ଏବେ ବି ଏଠାରୁ ହିଁ  ଆରମ୍ଭ ହେବାକୁ ଯାଉଛି ତାଲିବାନ ବିରୋଧୀ ଯୁଦ୍ଧ ।

Advertisment

 ଇଏ ଏମିତି ଏକ ଘାଟି, ଯାହାକୁ ତାଲିବାନ ବି ଡରେ ।  ଇଏ ଏମିତି ଏକ ଇଲାକା, ଯାହାକୁ ଆଜିଯାଏଁ ଛୁଇଁପାରିନି ତାଲିବାନୀ ବର୍ବରତା।  କେବଳ ତାଲିବାନ ନୁହେଁ,  ଆଫଗାନିସ୍ତାନକୁ ଯେତେ ବି ବିଦେଶୀ ଶକ୍ତି ଆକ୍ରମଣ କରିଛନ୍ତି, କେହି ବି ଏହି ଘାଟିକୁ ପଶିବାକୁ ଦୁଃସାହସ କରିନାହାନ୍ତି  । ଇଏ ହେଉଛି ପାଞ୍ଚ ସିଂହର ଘାଟି ପଞ୍ଜଶିର।  ତାଲିବାନ ବିରୋଧୀ ନର୍ଦ୍ଦର୍ଣ୍ଣ ଆଲାଏନ୍ସର ଗଡ଼।  ଆଫଗାନିସ୍ତାନର ୩୪ଟିରୁ ୩୩ଟି ପ୍ରଦେଶରେ ତାଲିବାନୀ ସଫେଦ୍ ପତାକା ଉଡ଼ୁଥିବା ବେଳେ, ଆଜି ବି ଏଠି ନିର୍ଭୟରେ ଫରଫର ଉଡ଼ୁଛି ଉତ୍ତରୀ ଗଠବନ୍ଧନର ଝଣ୍ଡା  ।

କେବଳ ଏବେ ନୁହେଁ, ୯୦ ଦଶକରେ ବି ତାଲିବାନ କାବୁଲ୍ କବ୍‌ଜା କରିଥିଲା ସିନା, ହେଲେ ପଞ୍ଜଶିରରେ ପାଦ ବି ଦେଇପାରିନଥିଲା।  ଏବେ ପୁଣିଥରେ ପଞ୍ଜଶିରରୁ ତାଲିବାନ ବିରୋଧୀ ଅଭିଯାନର ସୂତ୍ରପାତ ହେବ ବୋଲି ଆଶା କରାଯାଉଛି । ନିଜକୁ କାମଚଳା ରାଷ୍ଟ୍ରପତି ଘୋଷଣା କରିବା ସହ ତାଲିବାନ ବିରୋଧରେ ଯୁଦ୍ଧ ଡାକରା ଦେଇଥିବା ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏଠାରେ ହିଁ ଆଶ୍ରୟ ନେଇଥିବା କୁହାଯାଉଛି  । ପଞ୍ଜଶିରର  ସିଂହ ଭାବେ ପରିଚିତ ଅହମ୍ମଦ ଶାହ ମସୁଦଙ୍କ ପୁଅ ଅହମ୍ମଦ ମସୁଦ୍, ବିସ୍ମିଲ୍ଲା ଖାନ୍ ମହମ୍ମଦି ପ୍ରମୁଖ ଏହି ତାଲିବାନ ବିରୋଧୀ ଅଭିଯାନର ନେତୃତ୍ୱ ନେବେ  ।

Advertisment

ସେମାନେ ପରସ୍ପରକୁ ଭେଟିଥିବା ସୂଚନା ମିଳିଛି  । ଅହମ୍ମଦ ମାସୁଦ୍ ମଧ୍ୟ ପାଶ୍ଚାତ୍ୟ ଦେଶଙ୍କ ସହଯୋଗ ଲୋଡ଼ିବା ସହ ଆଫଗାନୀ ସେନାଙ୍କୁ ପଞ୍ଜଶିର ଡକାଇଛନ୍ତି  । ତେବେ କେବଳ ଏଠାରେ ନୁହେଁ, ଗତକାଲି ଆଫଗାନିସ୍ତାନ ସ୍ୱାଧୀନତା ଦିବସ ଅବସରରେ ବହୁ ସ୍ଥାନରେ ତାଲିବାନୀ ଆତଙ୍କକୁ ଖାତିର ନକରି ଲୋକେ ଶୋଭାଯାତ୍ରା ବାହାର କରିବା ଓ ଜାତୀୟ ପତାକା ଉଡ଼ାଇଥିବା ଦେଖିବାକୁ ମିଳିଛି।  ଏହାକୁ ଦମନ କରିବା ପାଇଁ ଆସଦାବାଦ ସହରରେ ତାଲିବାନୀ ଯୋଦ୍ଧା ଗୁଳି ଚଳାଇବାରୁ କିଛି ଲୋକଙ୍କ ମୃତ୍ୟୁ  ଘଟିଛି।

୧୯୯୬ରୁ ୨୦୦୧ ଯାଏଁ ଆଫଗାନିସ୍ତାନରେ ତାଲିବାନ ରାଜ କରୁଥିଲା, ସେତେବେଳେ ପଞ୍ଜଶିରରୁ ଶୁଭିଥିଲା ତାଲିବାନ ବିରୋଧୀ  ସ୍ୱର  । ଗଠନ ହୋଇଥିଲା ନର୍ଦ୍ଦର୍ଣ୍ଣ  ଆଲାଏନ୍ସ, ଯାହାକୁ ଭାରତ, ଇରାନ, ତାଜିକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ ଆଦି ଦେଶ ସମର୍ଥନ କରିଥିଲା  । ତେବେ ପ୍ରବଳ ବିରୋଧ ସତ୍ତ୍ୱେ ତାଲିବାନ ଏହି ଘାଟିର କୌଣସି କ୍ଷତି କରିପାରିନଥିଲା।  ତେବେ ଆଫଗାନିସ୍ତାନର କେଉଁଠି ରହିଛି ପଞ୍ଜଶିର ? କାହିଁକି ଏଠି ପଶି ପାରୁ ନାହାନ୍ତି ତାଲିବାନ ?

ଆଫଗାନିସ୍ତାନ ରାଜଧାନୀ କାବୁଲ ଠାରୁ ମାତ୍ର ଦେଢ଼ ଶହ କିଲୋମିଟର ଉତ୍ତରକୁ ରହିଛି ପଞ୍ଜଶିର୍ ଘାଟି  । ହିନ୍ଦୁକୁଶ ରେଞ୍ଜ ନିକଟରେ ଅବସ୍ଥିତ ଏହି ଉପତ୍ୟକା ଯେତିକି ସୁନ୍ଦର, ଶତ୍ରୁ ପାଇଁ ସେତିକି ଭୟଙ୍କର  । ଏହାର ଭୌଗଳିକ ସ୍ଥିତି ଏହାକୁ ଏକ ଦୁର୍ଗ ଭଳି ସୁରକ୍ଷିତ ରଖିଛି  । ଚାରିପଟେ ସୁଉଚ୍ଚ ପର୍ବତ। ଘାଟିକୁ ଲାଗି ରହିଛି ଭୁଲଭୁଲୟା ରାସ୍ତା । ଘାଟି ସହ ପରିଚିତ ନଥିବା ଲୋକଙ୍କ ପାଇଁ ଏହାକୁ ଭେଦ କରିବା ଅସମ୍ଭବ । ସେଥିପାଇଁ ଆଜିଯାଏଁ ତାଲିବାନ ଏହାକୁ ଦଖଲ କରିପାରିନି ।

କେବଳ ତାଲିବାନ ନୁହେଁ, ୭୦ ଓ ୮୦ ଦଶକରେ ସୋଭିଏତ୍ ୟୁନିୟନ୍ ବି ଏହାକୁ ଜିତି ପାରିନଥିଲା  । ୯୦ ଦଶକର ତାଲିବାନୀ ରାଜ୍‌ରେ ଏଠାରେ କୌଣସି ସଂଘର୍ଷ ହୋଇନଥିବାରୁ ଆମେରିକା ସେନା ବି ଏଠାକୁ  ଆସିନଥିଲେ । ୭ଟି ଜିଲ୍ଲା, ୫୧୨ ଗାଁ, ଜନସଂଖ୍ୟା ପ୍ରାୟ ୧ଲକ୍ଷ ୭୦ ହଜାର । ତାଲିବାନରେ ଅଧିକାଂଶ ସେନା ଆଫଗାନିସ୍ତାନର ଅନ୍ୟତମ ବୃହତ୍ ସାମ୍ପ୍ରଦାୟିକ ଗୋଷ୍ଠୀ ପସ୍ତୁନର ହୋଇଥିବା ବେଳେ, ପଞ୍ଜଶିରରେ ରହନ୍ତି ଦ୍ୱିତୀୟ ବୃହତ୍ତମ ଗୋଷ୍ଠୀ ତାଜିକର ଅଧିକାଂଶ ଲୋକ । ଏଠାରେ ହଜାରା ସମୁଦାୟର ଲୋକ ବି ବସବାସ କରନ୍ତି ॥ ତେବେ ଯେଉଁ ସମୁଦାୟର ହୋଇଥାନ୍ତୁ ନା କାହିଁକି, ପଞ୍ଜଶିର୍ ବାସୀ ନିଜ ମାଟିର ସୁରକ୍ଷା ପାଇଁ ସର୍ବଦା ଆଗଭର। ସେମାନେ କହନ୍ତି, ଆମେ ମରିଯିବୁ ପଛେ, ଆତ୍ମସମର୍ପଣ କରିବୁ ନାହିଁ। 

Panjshir Valley Afghanistan
Advertisment
Advertisment