• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀଲଙ୍କା ଭଳି ଦେବାଳିଆ ଅବସ୍ଥାରେ ପାକିସ୍ତାନ । ଦିନକୁ ଦିନ ପଡ଼ୋଶୀ ଦେଶରେ ଆର୍ଥିକ ସଙ୍କଟ ଘନେଇ ପଡ଼ୁଛି । କିଛି ଦିନ ପୂର୍ବରୁ ଚା କପରେ ଝଡ଼ ଉଠିଥିବା ପାକିସ୍ତାନରେ ଏବେ ପେଟ୍ରୋଲ ସଞ୍ଚୟ କରିବା କରିବା ପାଇଁ ଲୋକଙ୍କୁ ଅପିଲ କରାଯାଇଛି । ପେଟ୍ରୋଲ ବଞ୍ଚାଇବା ପାଇଁ ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କ କର୍ମଚାରୀଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦେଇଛି । ବ୍ୟାଙ୍କ କର୍ମଚାରୀମାନଙ୍କୁ ଭର୍ଚୁଆଲ୍ ମିଟିଂରେ ଯୋଗଦେବାକୁ ଏବଂ ସପ୍ତାହରେ ଦୁଇ ଦିନ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି ।

ପେଟ୍ରୋଲ ଏବଂ ଡିଜେଲ କିଣିବା ପାଇଁ ସରକାରଙ୍କ ପାଖରେ ଅର୍ଥ ଅଭାବ ହେଉଥିବାରୁ ବର୍ତ୍ତମାନ ସଞ୍ଚୟ କରିବା ଜରୁରୀ ହୋଇପଡିଛି ବୋଲି ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି । ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ଦରଦାମ୍ ବି ଆକାଶଛୁଆଁ । ଅଟା, ଚାଉଳ, କିରାସିନିଠୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲର ଘୋର ଅଭାବ । ପାକିସ୍ତାନରେ ଆର୍ଥିକ ସଙ୍କଟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ତେଣୁ ଶ୍ରୀଲଙ୍କା ଭଳି ପରିସ୍ଥିତିକୁ ଏଡ଼ାଇବାକୁ ହେଲେ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏଥିପାଇଁ ପାକିସ୍ତାନର ନାଗରିକମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ କରିବାକୁ ପରାମର୍ଶ ଦିଆଯାଇଛି, ଯଦ୍ୱାରା ଅର୍ଥର ଅଭାବ ରହିବ ନାହିଁ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ଗୁରୁବାର କର୍ମଚାରୀମାନଙ୍କୁ ଭର୍ଚୁଆଲ୍ ମିଟିଂରେ ଯୋଗଦେବାକୁ କହିଛି । ଏହା ବ୍ୟତୀତ ଅଫିସକୁ ଯିବା ପାଇଁ କାର୍ ପୁଲିଂକୁ ଅଗ୍ରାଧିକାର ଦିଆଯିବା ସହ ଏସିର ବ୍ୟବହାରକୁ ହ୍ରାସ କରିବାକୁ କୁହାଯାଇଛି | ଏହା ବ୍ୟତୀତ ବ୍ୟାଙ୍କରୁ ଆସବାବପତ୍ର କ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଏତିକି ନୁହେଁ କର୍ମଚାରୀଙ୍କ ଟ୍ରାଭେଲ୍‌ ଉପରେ ମଧ୍ୟ ବାରଣ କରାଯାଇଛି । ଯେପରି କୌଣସି କାର୍ଯ୍ୟ ପ୍ରଭାବିତ ନହେବ ଏବଂ ଟଙ୍କା ମଧ୍ୟ ସଞ୍ଚୟ ହୋଇପାରିବ ଏଥିପାଇଁ ନିଷ୍ପତ୍ତି ହୋଇଛି ।