• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦି’ପଟ ରୁଟି ପାଇଁ ଡହଳ ବିକଳ ହେଉଛନ୍ତି ପାକିସ୍ତାନବାସୀ । କାରଣ ଅଟା ଦର ସେଠି ଆକାଶ ଛୁଆଁ । ଦେଶର ଅର୍ଥନୀତି ତଳିତଳାନ୍ତ ହୋଇସାରିଥିବା ବେଳେ, ରାଜନୈତିକ ହଟଚମଟ ବି ଥମିବାର ନାଁ ନେଉନି । ହେଲେ ଗରିବ ଜନସାଧାରଣଙ୍କର ସେଥିରେ ରୁଚି ନାହିଁ । କାରଣ ପେଟର ଭୋକ ସେମାନଙ୍କ ରାତିର ନିଦ ହଜାଇ ଦେଇଛି । ଶେହବାଜ ସରିଫ ସରକାର ମାଗଣା ଅଟା ସ୍କିମ୍ ଘୋଷଣା କରିବା ପରେ, ଲୋକେ ଆଶ୍ୱସ୍ତି ପାଇବେ କଣ, ବରଂ ଦଳାଚକଟାରେ ପ୍ରାଣ ହରାଉଛନ୍ତି ।

ପାକିସ୍ତାନରେ ଜୀବନ ନେଉଛି ମାଗଣା ଅଟା । ମାଗଣା ଅଟା ନେବାକୁ ଦଳାଚକଟା, ମୃତାହତ । ପାକିସ୍ତାନ ବିପନ୍ନ ଅର୍ଥନୀତି ଓ ଉତ୍କଟ ଖାଦ୍ୟାଭାବ ସହ  ଜୁଝୁଥିବା ବେଳେ, ଭୋକ ବିକଳରେ ଆଉଟୁପାଉଟୁ ହେଉଥିବା ଗରିବଗୁରୁବା ଅଟା ଟିକେ ପାଇବା ପାଇଁ ଜୀବନକୁ ବିପଦରେ ପକାଇବାକୁ ପଛାଉନାହାନ୍ତି । ଏମିତି କିଛି ଅଭାବନୀୟ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ମାଗଣା ଅଟା ନେବାକୁ କେଉଁଠି କିଲୋମିଟର ବ୍ୟାପୀ ଲମ୍ବା ଲାଇନ୍ ଲାଗିଛି, ତ ଆଉ କେଉଁଠି ଉପୁଜିଛି ଭୟଙ୍କର ଦଳାଚକଟା ସ୍ଥିତି ।

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସରକାରୀ ମାଗଣା ଅଟା କେନ୍ଦ୍ରରେ ଦଳଚକଟା ଘଟି ଜଣେ ମହିଳାଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନର ସାହିୱାଲରେ ଦଳାଚକଟା ଘଟି ଅତି କମରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ, ୫୬ ଜଣ ଆହତ ହୋଇଛନ୍ତି । ଅଟା ବଣ୍ଟନରେ ପରିଚାଳନାଗତ ତ୍ରୁଟି ପାଇଁ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ଦକ୍ଷିଣ ପଞ୍ଜାବର ସାହିୱାଲ, ବାହାୱଲପୁର, ମୁଜାଫରଗଡ଼ ଏବଂ ଓକାରାରେ ବି ମାଗଣା ଅଟା ନେବାକୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବା ପରେ, ଲୋକେ ହାତାହାତି ହୋଇଛନ୍ତି । ମୁଜାଫରଗଡ଼ରେ ମାଗଣା ଅଟା ବୋଝେଇ ଟ୍ରକ୍ ଚୋରି ଅଭିଯୋଗ ହେବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।

ସଶସ୍ତ୍ର ସୁରକ୍ଷାକର୍ମୀ ଅଟା ବୋଝେଇ ଟ୍ରକକୁ ସୁରକ୍ଷା ଦେଉଥିବା ବେଳେ, ଭିଡ଼ ନିୟନ୍ତ୍ରଣ ପାଇଁ ଅଟା ବଣ୍ଟନ କେନ୍ଦ୍ରରେ ବି ଫୋର୍ସ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ହିତାଧିକାରୀଙ୍କ କାର୍ଡ ଅକାମୀ ହୋଇଥିବା ଏହଂ ଆପ୍ କାମ କରୁନଥିବାରୁ ଲୋକେ ଉତ୍ୟକ୍ତ ହେଉଛନ୍ତି । ପଞ୍ଜାବ ପ୍ରଦେଶର କାମଚଳା ମୁଖ୍ୟମନ୍ତ୍ରୀ ମୋହସିନ ନକଭୀ ଏସବୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

କେବଳ ପଞ୍ଜାବ ନୁହେଁ, ଖାଇବର ପଖତୁନଖ୍ୱାରେ ବି ମାଗଣା ଅଟା ପାଇଁ ଦଳାଚକଟା ସ୍ଥିତି ଉପୁଜିଥିବା ସୂଚନା ମିଳିଛି । ମର୍ଦ୍ଦାନ ସ୍ପୋର୍ଟସ କଂପ୍ଲେକ୍ସରେ ଅଟା ବଣ୍ଟନ କେନ୍ଦ୍ର ଖୋଲାଯାଇଥିବା ବେଳେ, ଗତ ସପ୍ତାହରେ ଚାର୍ସାଦା ବଜାରରେ ରମଜାନ ପ୍ରଥମ ଦିନ ଜଣଙ୍କ ମୃତ୍ୟୁ ଓ ୯ ଜଣ ଆହତ ହୋଇଥିବା ଖବର ପ୍ରକାଶ ପାଇଛି ।

ପାକିସ୍ତାନରେ ଅଟା ପାଇଁ ହାହାକାର । ହୋସ୍ ଉଡ଼ାଉଛି ଆକାଶଛୁଆଁ ଅଟା ଦର । ରୁଟି ଖଣ୍ଡେ ପାଇଁ ଡହଳବିକଳ ଗରିବଗୁରୁବା । ପାକିସ୍ତାନରେ ୨୦ କେଜିଆ ଅଟା ପ୍ୟାକେଟ୍ ଦାମ୍ ଏବେ ୩ ହଜାର ଟଙ୍କା ଥିବା ସୂଚନା ମିଳିଛି । ଯାହାକି ସାଧାରଣ ଲୋକଙ୍କ ପାଇଁ କିଣିବା ବର୍ତ୍ତମାନ ସ୍ଥିତିରେ ଏକପ୍ରକାର ଦୁଃସାଧ୍ୟ । ଆଗକୁ ଖାଦ୍ୟ ସଂକଟ ଆହୁରି ଭୟାନକ ହେବ ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁସାରେ ଗୋଟିଏ ବର୍ଷରେ ପାକିସ୍ତାନର ଅଟାଦର ୧୨୦ ପ୍ରତିଶତ ବଢ଼ିଛି । ସ୍ଥିତିକୁ ଆହୁରି ଜଟିଳ କରିଛି କଳାବଜାରୀ । ଗରିବଙ୍କ ପାଇଁ ରିହାତି ଦରରେ ବିକ୍ରି ହେବାକୁ ଥିବା ଅଟା କଳାବଜାରି ହେବା ଫଳରେ, ବହୁ ହିତାଧିକାରୀ ୪-୫ ଘଣ୍ଟା ଧାଡ଼ିରେ ଠିଆ ହେବା ପରେ ବି ଅଟା ନପାଇ ଖାଲି ହାତରେ ଫେରୁଥିବା ଅଭିଯୋଗ ହୋଇଛି ।

ଅଟା ମିଲ୍ ଓ ପାକିସ୍ତାନର ଖାଦ୍ୟ ବିଭାଗ ମଧ୍ୟରେ ସମନ୍ୱୟ ରହୁନଥିବା ମଧ୍ୟ କୁହାଯାଉଛି । ଏଭଳି ସ୍ଥିତିରେ ବଜାରରେ ବି ଅଟା ପାଇଁ ଠେଲାପେଲା ଦଳଚକଟା ଦେଖିବାକୁ ମିଳିଛି ଖାଇବର ପଖତୁନଖ୍ୱା, ସିନ୍ଧ ଓ ବାଲୁଚିସ୍ତାନ ପ୍ରଦେଶରେ । ତେବେ ରମଜାନ ମାସରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବା ଲାଗି ଗରିବଙ୍କ ପାଇଁ ମାଗଣା ଅଟା ଯୋଜନା ଘୋଷଣା କରିଛନ୍ତି ଶେହବାଜ ସରିଫ ସରକାର । ଖାସ୍ କରି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏହାଦ୍ୱାରା ବହୁଲୋକ ଉପକୃତ ହେବେ ବୋଲି ଆଶା ରଖାଯାଇଛି । ସେଠାରେ ସାଢ଼େ ୭ହଜାର ବିତରଣ କେନ୍ଦ୍ର ଖୋଲି ୨ ଲକ୍ଷ ୪୭ ହଜାର ଟନ୍ ମାଗଣା ଅଟା ବାଣ୍ଟିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ଦଳଚକଟାରେ ଲୋକଙ୍କ ଜୀବନ ଯିବା ପରେ ମାଗଣା ଅଟା ଯୋଜନା ଶେହବାଜ ସରକାରର ମୁଣ୍ଡବିନ୍ଧା ଅଧିକ ବଢ଼ାଇଦେଇଥିବା ଚର୍ଚ୍ଚା ହେଉଛି ।